ପ୍ରମୂଖ ଖବର

ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା, ଦଳୀୟ ନେତାଙ୍କୁ ତାଗିଦ କଲା କଂଗ୍ରେସ

Published By : Tapas Panda | April 28, 2025 10:45 PM

Image Courtesy: deccanherald

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଦଳୀୟ ନେତାଙ୍କ ବୟାନରୁ କଂଗ୍ରେସ ନିଜକୁ ଦୂରେଇ ରଖିଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା, କଂଗ୍ରେସ ନେତା ଆର.ବି ଟିମାପୁର, ବିଜୟ ୱାଡେଟିୱାର, ମଣି ଶଙ୍କର ଆୟାର, ତାରିକ ହମିଦ କାରା, ଏବଂ ରବର୍ଟ ଭଦ୍ରା ଦେଇଥିବା ବିବୃତ୍ତି ଯୋଗୁଁ କଂଗ୍ରେସ ବିରୋଧର ସମ୍ମୁଖୀନ ହୋଇଛି। କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଜୟରାମ ରମେଶ କହିଛନ୍ତି, ‘ଦଳର ନେତାଙ୍କ ମନ୍ତବ୍ୟ ସେମାନଙ୍କର ବ୍ୟକ୍ତିଗତ ମତ। ଏହା କଂଗ୍ରେସ ଦଳର ମତ ନୁହେଁ। ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ନେତାମାନଙ୍କୁ ଏପରି କହିବାର ଅଧିକାର କେହି ଦେଇନାହାଁନ୍ତି ।’

ସେ କହିଛନ୍ତି, ସମ୍ବେଦନଶୀଳ ସମୟରେ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ରାହୁଲ ଗାନ୍ଧୀ ଯାହା କହିବେ ତାହା ବୈଧ ହେବ। ନେତାମାନେ ସବୁଠି ମନ୍ତବ୍ୟ ଦେବା ଉଚିତ ନୁହେଁ । ସମ୍ବେଦନଶୀଳ ସମୟରେ ନେତାମାନେ କହିବାର କୌଣସି ଆବଶ୍ୟକତା ନାହିଁ। 

ସେପଟେ ବିଜେପି କଂଗ୍ରେସକୁ ଟାର୍ଗେଟ କରିଛି। ବିରୋଧୀ ଦଳର କିଛି ଲୋକ ପାକିସ୍ତାନର ଭାଷା କହୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି । ରବି ଶଙ୍କର ପ୍ରସାଦ କହିଛନ୍ତି, କଂଗ୍ରେସ ସରକାରଙ୍କ ସମସ୍ତ ନିଷ୍ପତ୍ତି ସହିତ ଅଛି । କିନ୍ତୁ କିଛି କଂଗ୍ରେସ ନେତା ଜମ୍ମୁକାଶ୍ମୀରର ପହଲଗାମ ଆକ୍ରମଣ ବିଷୟରେ ମିଥ୍ୟା ଏବଂ ଅପମାନଜନକ ବୟାନ ଦେଉଛନ୍ତି ।

ରବି ଶଙ୍କର ପ୍ରସାଦ କହିଛନ୍ତି ଯେ, ମୋର ମନେ ଅଛି ଯେତେବେଳେ ୨୬/୧୧ ଆକ୍ରମଣ ହୋଇଥିଲା, ମୋତେ ଦଳ ପକ୍ଷରୁ କେବଳ ଗୋଟିଏ ଧାଡ଼ି ‘ଆମେ ସରକାରଙ୍କ ସହିତ ଅଛୁ’ କହିବାକୁ ଅନୁମତି ଥିଲା । ପହଲଗାମରେ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣା ପାଇଁ ଲୋକମାନେ କ୍ରୋଧିତ ଅଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ବିହାର ଏବଂ ମନ କି ବାତ୍‌ରେ କହିଛନ୍ତି ଯେ, ଆତଙ୍କବାଦୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.