ଭୁବନେଶ୍ବର,୨୮/୧୨:ଗ୍ରାମୀଣ ଓଡ଼ିଶାରେ ପରିବାର ପିଛା ହାରାହାରି ମାସିକ ବ୍ୟୟ ୩,୩୫୭ ଟଙ୍କା । ଅର୍ଥାତ ୪ରୁ ୫ ଜଣିଆ ଗୋଟିଏ ପରିବାର ମାତ୍ର ଏତିକି ଟଙ୍କା ପାଉଛି ଖର୍ଚ୍ଚ କରିବା ପାଇଁ । ସାରା ଦେଶରେ ୨୦ ପ୍ରମୁଖ ରାଜ୍ୟ ଭିତରେ ଓଡ଼ିଶା ସ୍ଥାନ ୧୭, ତଳପଟୁ ତୃତୀୟ । ଜାତୀୟ ସ୍ତରରେ ଗ୍ରାମୀଣ ପରିବାର ଖର୍ଚ୍ଚ କରୁଛି ୪,୧୨୨ ଟଙ୍କା । ପ୍ରମୁଖ ରାଜ୍ୟ ମଧ୍ୟରେ ସବୁଠାରୁ ଉପରେ ରହିଛି କେରଳ, ଓଡ଼ିଶାର ପାଖାପାଖି ଦୁଇ ଗୁଣା । ମାସକୁ ହାରାହାରି ୬,୬୧୧ ଟଙ୍କା ଖର୍ଚ୍ଚ ହେଉଛି ଗ୍ରାମୀଣ କେରଳରେ ପରିବାର ପିଛା । ପରିସଂଖ୍ୟାନ ଏବଂ ଯୋଜନା କାର୍ଯ୍ୟାନ୍ୱୟନ ମନ୍ତ୍ରାଳୟ ପକ୍ଷରୁ ଜାରି ପାରିବାରିକ ବ୍ୟୟ ସର୍ବେକ୍ଷଣ: ୨୦୨୩-୨୪ରେ ଏଭଳି ଉଦ୍‌ବେଗଜନକ ଚିତ୍ର ପଦାକୁ ଆସିଛି । ଓଡ଼ିଶା ସହରାଞ୍ଚଳ ସ୍ଥିତି ବି ପ୍ରାୟ ଏକା ପ୍ରକାର । ସହରୀ ଚଢ଼ା ଦରଦାମ ଓ ଅନ୍ୟାନ୍ୟ ଜରୁରୀ ସହରୀ ଖର୍ଚ୍ଚ ପାଇଁ ଗୋଟିଏ ପରିବାର ମାସକୁ ମାତ୍ର ୫,୮୨୫ ଟଙ୍କା ପାଉଛି ଖର୍ଚ୍ଚ କରିବାକୁ । ଏଥିରେ ଚଢ଼ା ଘରଭଡ଼ା ଓ ଦୈନିକ ଯାତାୟତ ଖର୍ଚ୍ଚ ସାମିଲ । 

ଜାତୀୟ ସ୍ତରରେ ସହରାଞ୍ଚଳ ହାରାହାରି ପରିବାର ପିଛା ବ୍ୟୟ ୬,୯୯୬ ଟଙ୍କା । ତେଲଙ୍ଗାନାରେ ସହରୀ ପରିବାର ହାରାହାରି ୮,୯୭୮ ଟଙ୍କା ଖର୍ଚ୍ଚ କରୁଛି ମାସକୁ । ସହରାଞ୍ଚଳ ହାରାହାରି ପରିବାର ପିଛା ବ୍ୟୟରେ ଓଡ଼ିଶାର ସ୍ଥାନ ତଳପଟୁ ୭ମ । ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ମଧ୍ୟରେ ବ୍ୟୟ ଅସମାନତା ୭୩.୫୧% । ସହରୀ ପରିବାର ଏତିକି ଅଧିକ ଖର୍ଚ୍ଚ କରୁଛି ବଞ୍ଚିବା ପାଇଁ ଗ୍ରାମାଞ୍ଚଳ ତୁଳନାରେ । ସର୍ଭେ ରିପୋର୍ଟ କହୁଛି, ୨୦୨୨-୨୩ ତୁଳନାରେ ପାରିବାରିକ ଖର୍ଚ୍ଚ ଗାଁରେ ୯% ଓ ସହରରେ ୮% ବଢ଼ିଛି । କିନ୍ତୁ ଦରଦାମ ବି ସେତିକି କିମ୍ବା ତାଠାରୁ ଅଧିକ ବଢ଼ିଛି ଏହି ସମୟ ଭିତରେ । ମାଗଣା ଚାଉଳ ଏବଂ ଅନ୍ୟାନ୍ୟ ରିହାତି ସୁବିଧାକୁ ମିଶାଇଲେ ଜାତୀୟ ସ୍ତରରେ ଗ୍ରାମୀଣ ପରିବାରିକ ହାରାହାରି ଖର୍ଚ୍ଚ ୪,୨୪୭ ଟଙ୍କା ଓ ସହରରେ ୭,୦୭୮ ଟଙ୍କା ହେବ । ରିପୋର୍ଟ ଅନୁସାରେ, ୨୦୨୩-୨୪ରେ ଦେଶରେ ଏମ୍‌ପିସିଇ କ୍ଷେତ୍ରରେ ଅର୍ବାନ୍‌-ରୁରାଲ ଗ୍ୟାପ୍‌ ୭୦%କୁ କମିଛି । ଏହା ୨୦୧୧-୧୨ରେ ୮୪% ଥିବାବେଳେ ୨୦୨୨- ୨୩ରେ ୭୧%କୁ ଖସିଥିଲା । ଏଥିରୁ ଜଣାପଡୁଛି ଯେ, ଦେଶର ଗ୍ରାମାଞ୍ଚଳରେ ବ୍ୟୟ ଅଭିବୃଦ୍ଧି ଧାରା ବଜାୟ ରହିଛି । ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଚାହିଦା ବୃଦ୍ଧି ପାଇଛି । ସବୁଠାରୁ ଭଲ ସ୍ଥିତିରେ ଅଛି ଛୋଟ ରାଜ୍ୟ ସିକ୍କିମ୍‌ । ଏଠାରେ ଗ୍ରାମୀଣ ପରିବାରଗୁଡ଼ିକର ମାସିକ ହାରାହାରି ମୁଣ୍ଡ ପିଛା ବ୍ୟୟ ୯,୩୭୭ ଟଙ୍କା ଥିବାବେଳେ ସହରାଞ୍ଚଳରେ ରହିଛି ୧୩,୯୨୭ ଟଙ୍କା । ଅନ୍ୟପକ୍ଷରେ, ଅତି ଖରାପ ସ୍ତରରେ ଅଛି ଛତିଶଗଡ଼ । ରାଜ୍ୟର ଗ୍ରାମାଞ୍ଚଳରେ ପାରିବାରିକ ମାସିକ ହାରାହାରି ବ୍ୟୟ ରହିଛି ୨,୭୩୯ ଟଙ୍କା ଏବଂ ସହରାଞ୍ଚଳରେ ଏହା ରହିଛି ୪,୯୨୭ ଟଙ୍କା । ରିପୋର୍ଟ ଅନୁସାରେ, ୨୦୨୩-୨୪ରେ ମାସିକ ହାରାହାରି ପାରିବାରିକ ବ୍ୟୟରେ ଅଣ-ଖାଦ୍ୟ ସାମଗ୍ରୀର ସିଂହଭାଗ ଅଂଶ ରହିଛି । ଗ୍ରାମୀଣ ଏବଂ ସହରାଞ୍ଚଳ ଭାରତରେ ମାସିକ ବ୍ୟୟରେ ଏହାର ଅଂଶ ଯଥାକ୍ରମେ ୫୩% ଏବଂ ୬୦% ରହିଛି । 

ଖାଦ୍ୟ ବର୍ଗକୁ ଯଦି ବିଚାରକୁ ନିଆଯାଏ ତେବେ ୨୦୨୩-୨୪ରେ ଗ୍ରାମୀଣ ଏବଂ ସହରାଞ୍ଚଳ ପରିବାରଗୁଡ଼ିକ ପାନୀୟ, ରିଫ୍ରେସ୍‌ମେଣ୍ଟ ଏବଂ ପ୍ରୋସେସ୍‌ଡ ଫୁଡ୍‌ରେ ସବୁଠାରୁ ଅଧିକ ବ୍ୟୟ କରିଛନ୍ତି । ଅଣ-ଖାଦ୍ୟ ସାମଗ୍ରୀ ବର୍ଗକୁ ଦେଖିଲେ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ପରିବାରଗୁଡ଼ିକ ପୋଷାକ, ବେଡିଂ ଏବଂ ଫୁଟ୍‌ୱେର୍‌, ମନୋରଞ୍ଜନ ଏବଂ ଅନ୍ୟାନ୍ୟ ଦୀର୍ଘସ୍ଥାୟୀ ଖାଉଟି ଉତ୍ପାଦରେ ଅଧିକ ବ୍ୟୟ କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସହରାଞ୍ଚଳରେ ପରିବାରଗୁଡ଼ିକର ଅଣ-ଖାଦ୍ୟ ବ୍ୟୟ କ୍ଷେତ୍ରରେ ଘରଭଡ଼ା, ଗ୍ୟାରେଜ୍‌ ଭଡ଼ା ଏବଂ ହୋଟେଲ୍‌ ଭଡ଼ାର ଭାଗ ରହିଛି ୭% । ଦେଶର ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବିନିଯୋଗ ଅସମାନତାରେ ହ୍ରାସ ଘଟିଛି । ୨୦୨୨-୨୩ରେ ଗ୍ରାମାଞ୍ଚଳରେ ଗିନି କୋଏଫିସିଏଣ୍ଟ ୦.୨୬୬ ଥିବାବେଳେ ୨୦୨୩-୨୪ରେ ଏହା ୦.୨୩୭କୁ ଖସିଛି । ସେହିଭଳି ସହରାଞ୍ଚଳରେ ଏହା ୦.୩୧୪ରୁ ୦.୨୮୪କୁ ଖସିଆସିଛି । ୨୦୨୩ ଅଗଷ୍ଟରୁ ୨୦୨୪ ଜୁଲାଇ ଅବଧି ମଧ୍ୟରେ ଏହି ସର୍ଭେ ହୋଇଥିଲା । ୨,୬୧,୯୫୩ ପରିବାର ଏଥିରେ ଅଂଶଗ୍ରହଣ କରିଥିଲେ, ଯାହାମଧ୍ୟରୁ ୧,୫୪,୩୫୭ ଗ୍ରାମୀଣ ପରିବାର ହୋଇଥିବାବେଳେ ୧,୦୭,୫୯୬ ହେଉଛନ୍ତି ସହରାଞ୍ଚଳ ପରିବାର ।