ସୁସ୍ଥ ରହିବା ପାଇଁ ବହୁ ପୋଷକ ତତ୍ତ୍ୱର ଆବଶ୍ୟକତା ରହିଛି । ଫାଇବରର ଅଭାବ ଶରୀର ପାଇଁ କେତେ କ୍ଷତିକାରକ? ଏହା ଓଜନ କମାଇବାଠାରୁ ଆରମ୍ଭ କରି ହୃଦୟ ରୋଗରୁ ରକ୍ଷା କରିବା ଯାଏ ବହୁତ କିଛିରେ ସହାୟକ ହୋଇଥାଏ ।
ଫାଇବର୍ କଣ?
ବାସ୍ତବରେ କହିବାକୁ ଗଲେ ଫାଇବର ହେଉଛି, ଆମେ ଯାହା ଖାଉଛେ ସେସବୁକୁ ଠିକ୍ ଭାବେ ହଜମ କରିବାରେ ଫାଇବର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହା ଶରୀରକୁ ସିଧାସଳଖ ଭାବେ କୌଣସି ପୋଷକ ତତ୍ତ୍ୱ ଯୋଗାଇ ନଥାଏ, କିନ୍ତୁ ସୁସ୍ଥ ଜୀବନଶୈଳୀ ପାଇଁ ଡାଏଟ୍ରେ ଏହାକୁ ସାମିଲ୍ କରିବ ଖୁବ୍ ଜରୁରି । ଏହା ସାହାଯ୍ୟରେ ହିଁ ବ୍ୟକ୍ତି ଅଧିକ ସମୟ ଯାଏ ଭୋକ ଅନୁଭବ କରି ନଥାଏ । ଏହା ଓଭର ଇଟିଙ୍ଗ୍ଠାରୁ ରକ୍ଷା କରିବା ସହ ଓଜନ କମାଇବାରେ ସହଯୋଗ କରିଥାଏ । ଚାଲନ୍ତୁ ଜାଣିବା ଫାଇବର କ’ଣ? ଶରୀରରେ ଏହାର ଆବଶ୍ୟକତା ଓ ଅଭାବରୁ ହେଉଥିବା କ୍ଷତି ବିଷୟରେ ଜାଣିବା ।
କାହିଁକି ଦରକାର?
ଫାଇବର ଏକ ପ୍ରକାର କାର୍ବୋ ହାଇଡ୍ରେଟ୍ । ଏହା ହଜମ ପ୍ରକ୍ରିୟାକୁ ସୁଚାରୁ ରୂପେ ନିୟନ୍ତ୍ରିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହା ଦୁଇପ୍ରକାରର ହୋଇଥାଏ । ପ୍ରଥମତଃ ଘୂର୍ଣ୍ଣନଶୀଳ ଓ ଦ୍ୱିତୀୟତଃ ଅଘୂର୍ଣ୍ଣନଶୀଳ ଫାଇବର । ଘୂର୍ଣ୍ଣନଶୀଳ ଫାଇବର ଦ୍ୱାରା ଖାଦ୍ୟ ସହଜରେ ପାଣିରେ ମିଶିଯାଇଥାଏ । ଏହା ଶରୀରରେ ତରଳ ପଦାର୍ଥ ଭାବେ ରୂପାନ୍ତରିତ ହୋଇ କୋଲେଷ୍ଟେରଲ୍କୁ ନିୟନ୍ତ୍ରିତ କରିବାରେ ସହଯୋଗ କରିଥାଏ । ସେହିପାଇଁ ମଧୁମେହ ଓ ରକ୍ତଚାପ ରୋଗୀଙ୍କୁ ଡାଏଟ୍ରେ ଅଧିକ ଘୂର୍ଣ୍ଣନଶୀଳ ଫାଇବର ନେବାକୁ ପରାମର୍ଶ ଦିଆଯାଇଥାଏ । ଦ୍ୱିତୀୟତଃ ଅଘୂର୍ଣ୍ଣନଶୀଳ ଫାଇବର ଓଜନ କମାଇବାକୁ ଚାହୁଁଥିବା ଲୋକଙ୍କ ପାଇଁ ଖୁବ୍ ସହାୟକ ହୋଇଥାଏ । ଏହା ଶରୀରରେ ଥିବା ଅଦରକାରୀ ଖାଦ୍ୟକୁ ସଫା କରିବାରେ ସାହାଯ୍ୟ କରିଥାଏ ।
କେଉଁଠୁ ମିଳେ?
ଫାଇବରଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା କେତେକ ରୋଗରୁ ମୁକ୍ତି ମିଳିଥାଏ । ଫାଇବର ଗହମ ଅଟା, ସବୁଜ ପତ୍ରଯୁକ୍ତ ପରିବା, ସାଲାଡ, ଟମାଟୋ, ପିଆଜ, ଚୋପାଯୁକ୍ତ ଡାଲି, ଶାକରକନ୍ଦ, ସୁଜି, ବେସନ, ଦଲିଆ, ଅଙ୍ଗୁର ଓ ସେଓ ଆଦିରୁ ଭରପୂର ମାତ୍ରାରେ ମିଳିଥାଏ । ଯଦି ବ୍ୟକ୍ତିଠାରେ ମଧୁମେହ କିମ୍ବ ମୋଟାପଣ ସମସ୍ୟା ରହିଥାଏ, ତେବେ ଏସବୁ ଖାଦ୍ୟକୁ ଡାଏଟ୍ରେ ସାମିଲ୍ କରିବା ଆବଶ୍ୟକ ।
ଅଭାବରୁ ହେଉଥିବା କ୍ଷତି
ଶରୀରକୁ ଆବଶ୍ୟକ ପର୍ଯ୍ୟାପ୍ତ ମାତ୍ରାର ଫାଇବର ନ ମିଳିବା ଦ୍ୱାରା ପାଚନ ତନ୍ତ୍ର ବିଗିଡ଼ି ଯାଇଥାଏ । ଫଳରେ ପେଟ ସମସ୍ୟା, ମୁହଁରେ ବ୍ରଣ, ପାଟିରେ ଅଲସର୍ ପରି ସମସ୍ୟା ଦେଖା ଦେଇଥାଏ । ଏହାବ୍ୟତୀତ ଫାଇବର ଅଭାବରୁ ଗ୍ୟାସ୍, କବ୍ଚ, ବଦ୍ହଜମୀ ଓ ଏସିଡିଟି ପରି ସମସ୍ୟାମାନ ଉପୁଜିଥାଏ । ସେହିପରି ହୃଦୟଜନିତ ସମସ୍ୟା, ଅନ୍ତଃନଳୀ କର୍କଟ ଇତ୍ୟାଦି ସମସ୍ୟା ମଧ୍ୟ ଆସିପାରେ ।