ନୂଆଦିଲ୍ଲୀ ୨୫/୦୫: ଏବେ ହାଇପରସୋନିକ୍ ଯାତ୍ରାକୁ ନେଇ ଚର୍ଚ୍ଚା । ଏଭଳି ଉଡ଼ାଣ, ଯାହା ଶବ୍ଦର ଗତିଠୁ ୫ ଗୁଣ ଦ୍ରୁତ । ବୈଜ୍ଞାନିକମାନେ ଏବେ ହାଇପରସୋନିକ୍ ଯାତ୍ରାକୁ ସାଧାରଣ ଲୋକଙ୍କ ପାଇଁ ବାସ୍ତବତାରେ ରୂପାନ୍ତରିତ କରିବାକୁ ନିରନ୍ତର ପରିଶ୍ରମ କରୁଛନ୍ତି । ଏହା ସଫଳ ହେଲେ, ବିଶ୍ୱରେ ଯାତ୍ରାର ଶୈଳୀ ସମ୍ପୂର୍ଣ୍ଣ ବଦଳିଯିବ । ଲମ୍ବା ବିମାନ ଯାତ୍ରାର ସମୟ ଖୁବ୍ କମିଯିବ । ଜିନିଷ ଡେଲିଭରୀ ଦ୍ରୁତ ହେବ ଏବଂ ଆପାତକାଳ ସାହାଯ୍ୟ ମଧ୍ୟ ପୂର୍ବାପେକ୍ଷା ଖୁବ୍ଶୀଘ୍ର ପହଞ୍ଚିପାରିବ । ରିପୋର୍ଟ ଅନୁସାରେ, ହାଇପରସୋନିକ୍ ଯାତ୍ରା ଦ୍ୱାରା ନ୍ୟୁୟର୍କରୁ ଲସ୍ ଏଞ୍ଜେଲସକୁ ପ୍ରାୟ ୪,୪୦୦ କିମିର ଯାତ୍ରା ମାତ୍ର ୧୫ ମିନିଟ୍ରେ ଶେଷ ହେବ । ତେବେ ଏହି ସ୍ୱପ୍ନକୁ ସତରେ ରୂପାନ୍ତରିତ କରିବା ବୈଜ୍ଞାନିକଙ୍କ ପାଇଁ ସହଜ ନୁହେଁ । କିନ୍ତୁ ଜାପାନ ଏ ଦିଗରେ ପ୍ରୟାସ ଆରମ୍ଭ କରିଦେଇଛି । ବିଶ୍ୱ ଯାତ୍ରା ପ୍ରଣାଳୀକୁ ଏହା ସମ୍ପୂର୍ଣ୍ଣ ବଦଳାଇପାରେ ।
ହାଇପରସୋନିକ୍ ଯାତ୍ରା କ’ଣ?
କିଛି ଦଶନ୍ଧି ପୂର୍ବେ କନ୍କର୍ଡ ବିମାନ ବିଶ୍ୱର ସବୁଠୁ ଦ୍ରୁତ ଯାତ୍ରୀ ବିମାନ ରୂପେ ପରିଗଣିତ ହେଉଥିଲା । ଏହା ଶବ୍ଦର ବେଗଠୁ ପ୍ରାୟ ୨ ଗୁଣ ଅର୍ଥାତ୍ ମାକ୍-୨ ବେଗରେ ଉଡୁଥିଲା । ସୂଚନାଯୋଗ୍ୟ, ଶବ୍ଦର ବେଗ କୋଠରୀର ତାପମାତ୍ରାରେ ଶୁଷ୍କ ବାୟୁରେ ହାରାହାରି ଘଣ୍ଟା ପ୍ରତି ୧,୨୨୫ କିମି (କିମ୍ବା ସେକେଣ୍ଡ ପିଛା ହାରାହାରି ୩୪୩ ମିଟର) ହୋଇଥାଏ । ଏହି ବେଗରେ ଶବ୍ଦକୁ ୧ କିମି ଦୂରତା ଅତିକ୍ରମ କରିବାକୁ ହାରାହାରି ୨.୯ ସେକେଣ୍ଡ ସମୟ ଲାଗେ । କିନ୍ତୁ କୌଣସି ବିମାନକୁ ହାଇପରସୋନିକ୍ ସେତେବେଳେ କୁହାଯାଏ, ଯେତେବେଳେ ତା’ର ବେଗ ମାକ୍-୫ କିମ୍ବା ତା’ଠୁ ଖୁବ୍ ଅଧିକ ହେବ । ଅର୍ଥାତ୍ ଶବ୍ଦର ଗତିଠୁ ଅତିକମ୍ରେ ୫ ଗୁଣ ଦ୍ରୁତ ।
ଏତେ ଦ୍ରୁତ ବେଗରେ ଉଡ଼ାଣ ଅନ୍ୟନ୍ତ ମୁସ୍କିଲ । ଯେତେବେଳେ କୌଣସି ବିମାନ ଏତେ ଦ୍ରୁତ ବେଗରେ ପବନକୁ ଚିରି ଆଗକୁ ଯାଏ, ତା’ ସାମ୍ନାର ପବନ ବହୁତ ଅଧିକ ଚାପ ପକାଏ । ଏହା ଦ୍ୱାରା ଭୟଙ୍କର ଉତ୍ତାପ ସୃଷ୍ଟି ହୁଏ, ଯାହା ପ୍ରାୟ ୧୯୦୦ ଡିଗ୍ରୀ ସେଲ୍ସିୟସ ଯାଏ ପହଞ୍ଚିପାରେ । ଏହି ତାପମାତ୍ରା ଏତେ ଅଧିକ ଯେ ବିମାନର ବଡି, ଇଞ୍ଜିନ ଓ ଅନ୍ୟ ଉପକରଣକୁ ନଷ୍ଟ କରିପାରେ । ଏଥିସହ ବୈଷୟିକ ତ୍ରୁଟିର ବଡ଼ ବିପଦ ଥାଏ ।
ସବୁଠୁ ବଡ଼ ଆହ୍ୱାନ କ’ଣ?
ଏତେ ଭୀଷଣ ଉତ୍ତାପ ଓ ଦ୍ରୁତ ବେଗରେ ବିମାନକୁ ସୁରକ୍ଷିତ ରଖିବା ବୈଜ୍ଞାନିକଙ୍କ ପାଇଁ ସବୁଠୁ ବଡ଼ ଆହ୍ୱାନ । ସାଧାରଣ ଜେଟ୍ ଇଞ୍ଜିନ ଉଡ଼ାଣ ପୂର୍ବରୁ ବାୟୁର ଗତିକୁ ଧୀମା କରନ୍ତି । କିନ୍ତୁ ହାଇପରସୋନିକ୍ ବେଗରେ ଏଭଳି କରିବା ସମ୍ଭବ ନୁହେଁ । ଏଥିପାଇଁ ବୈଜ୍ଞାନିକମାନେ ସ୍କ୍ରାମ୍ଜେଟ୍ ଇଞ୍ଜିନ ଉପରେ କାମ କରୁଛନ୍ତି, ଯେଉଁଥିରେ ଇଞ୍ଜିନ ଭିତରେ ମଧ୍ୟ ବାୟୁ ସୁପରସୋନିକ୍ ବେଗରେ ପ୍ରବାହିତ ହେଉଥାଏ । କିନ୍ତୁ କେବଳ ଦ୍ରୁତ ଇଞ୍ଜିନ ନିର୍ମାଣ ଯଥେଷ୍ଟ ନୁହେଁ । ଏତେ ବେଗରେ ପବନର ବେଗ ଅସ୍ଥିର ହୋଇଯାଏ । ଏହି ଅସ୍ଥିର ବାୟୁ ପ୍ରବାହ ଦ୍ୱାରା ବିମାନର ନିୟନ୍ତ୍ରଣ ବିଗିଡ଼ିପାରେ । ସେଥିପାଇଁ ବୈଜ୍ଞାନିକମାନେ ଏବେ ଏଭଳି ଇଞ୍ଜିନ ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛନ୍ତି, ଯାହା ନିରନ୍ତର ସ୍ଥିର ରହି ଠିକ୍ ଶୈଳୀରେ କାମ କରିବ ଓ ବିମାନକୁ ସୁରକ୍ଷିତ ରଖିବ । ହାଇପରସୋନିକ୍ ଯାତ୍ରାରେ ବିମାନର ବଡିରେ ବହୁତ ଅଧିକ ଚାପ ପଡ଼େ । ସେଥିପାଇଁ ବୈଜ୍ଞାନିକମାନେ ନୂଆ ଉପକରଣ ଓ ନୂଆ ଟେକ୍ନୋଲୋଜିର ଅନ୍ୱେଷଣ ଜାରି ରଖିଛନ୍ତି । ହାଇପରସୋନିକ୍ ଟେକ୍ନୋଲୋଜିର ପରୀକ୍ଷଣ ମଧ୍ୟ ଅତ୍ୟନ୍ତ ଆହ୍ୱାନଭରା । ସାଧାରଣ ବିମାନ ଯାଞ୍ଚ ପାଇଁ ୱିଣ୍ଡ ଟନଲ ପ୍ରୟୋଗ କରାଯାଏ । କିନ୍ତୁ ହାଇପରସୋନିକ୍ ଉଡ଼ାଣରେ ସୃଷ୍ଟ ତାପମାତ୍ରା, ଚାପ ଓ ବେଗ ଏତେ ଅଧିକ ହୋଇଥାଏ ଯେ ସାଧାରଣ ୱିଣ୍ଡ ଟନଲ ଯଥେଷ୍ଟ ନୁହେଁ । ସେଥିପାଇଁ ବୈଜ୍ଞାନିକମାନେ କମ୍ପ୍ୟୁଟର ସିମୁଲେସନ୍ର ସାହାଯ୍ୟ ନେଉଛନ୍ତି । କମ୍ପ୍ୟୁଟର ମଡେଲ ଓ ବାସ୍ତବ ପରୀକ୍ଷଣକୁ ମିଶାଇ ଏହି ଟେକ୍ନୋଲୋଜିକୁ ଆଗକୁ ବଢ଼ାଯାଉଛି ।
ଜାପାନକୁ ମିଳିଲା ବଡ଼ ସଫଳତା
ଏ ଦିଗରେ ଜାପାନ ଏକ ବଡ଼ ସଫଳତା ହାସଲ କରିଛି । ମାଇନିଚିର ରିପୋର୍ଟ ଅନୁସାରେ, ଜାପାନ ମାକ୍-୫ ଅର୍ଥାତ୍ ଶବ୍ଦର ବେଗଠୁ ୫ ଗୁଣ ଦ୍ରୁତ ଉଡୁଥିବା ବିମାନ ପାଇଁ ନିର୍ମିତ ରାମ୍ଜେଟ୍ ଇଞ୍ଜିନର ସଫଳ ପରୀକ୍ଷଣ କରିଛି । ଏହା ହାଇପରସୋନିକ୍ ଯାତ୍ରା ଓ ପୁନଃ ବ୍ୟବହାରଯୋଗ୍ୟ ମହାକାଶଯାନ ଟେକ୍ନୋଲୋଜି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱାସ କରାଯାଉଛି । ଏହି ପରୀକ୍ଷଣ ଜାପାନର ମହାକାଶ ଏଜେନ୍ସି ଜାକ୍ସା ୱାସେଦା ବିଶ୍ୱବିଦ୍ୟାଳୟ, ଟୋକିଓ ବିଶ୍ୱବିଦ୍ୟାଳୟ ଓ କେଇଓ ବିଶ୍ୱବିଦ୍ୟାଳୟ ସହ ମିଶି କରିଛି । ଜାକ୍ସାର କାକୁଡା ସ୍ପେସ୍ ସେଣ୍ଟର୍ରେ ଏହି ପରୀକ୍ଷଣ ହୋଇଛି ।
ଆହୁରି ପଢ଼ନ୍ତୁ...Modi-Trump:'ମୋଦି ମୋ ବନ୍ଧୁ ମୁଁ ତାଙ୍କୁ ଭଲପାଏ, ଭାରତ ମୋର ଉପରେ ୧୦୦% ବିଶ୍ୱାସ କରିପାରିବ'; ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଲେ ଟ୍ରମ୍ପ
ବୈଜ୍ଞାନିକମାନେ ଏକ ସ୍ୱତନ୍ତ୍ର ରାମ୍ଜେଟ୍ ଇଞ୍ଜିନ ଟେଷ୍ଟିଂ ସୁବିଧା ଭିତରେ ପ୍ରାୟ ୨ ମିଟର ଲମ୍ବା ପରୀକ୍ଷାମୂଳକ ଯାନକୁ ମାକ୍-୫ ଭଳି ସ୍ଥିତିରେ ରଖିଲେ । ବିମାନ ଉଡ଼ିଲା ନାହିଁ, କିନ୍ତୁ ଅତ୍ୟନ୍ତ ବିପଦପୂର୍ଣ୍ଣ ସ୍ଥିତିକୁ ସହ୍ୟ କଲା । ବାସ୍ତବ ହାଇପରସୋନିକ୍ ଉଡ଼ାଣ ସମୟରେ ସୃଷ୍ଟି ହେଉଥିବା ସ୍ଥିତି ଏହି ଯାନକୁ ଦିଆଯାଇଥିଲା । ହାଇପରସୋନିକ୍ ବିମାନ ପାଇଁ ସବୁଠୁ ବଡ଼ ଆହ୍ୱାନ ଇଞ୍ଜିନ ଓ ଏୟାରଫ୍ରେମ୍ ମଧ୍ୟରେ ତାଳମେଳ । ସାଧାରଣ ବିମାନରେ ଇଞ୍ଜିନକୁ ଅଲଗା ଡିଜାଇନ୍ କରି ବିମାନରେ ଲଗାଯାଏ । କିନ୍ତୁ ହାଇପରସୋନିକ୍ ଉଡ଼ାଣରେ ବିମାନର ବଡି ଓ ଇଞ୍ଜିନ ଗୋଟିଏ ପ୍ରଣାଳୀ ଭଳି କାମ କରେ । ଏହାର କାରଣ ବିମାନ ଆଖପାଖରେ ପ୍ରବାହିତ ବାୟୁ ସିଧା ଇଞ୍ଜିନକୁ ଯାଏ ଏବଂ ଇଞ୍ଜିନର ପ୍ରଦର୍ଶନ ଉପରେ ପ୍ରଭାବ ପକାଏ । ଜାକ୍ସା ଅନୁସାରେ, ପରୀକ୍ଷଣରେ ବମାନ ଭିତର ତାପମାତ୍ରା ସାମାନ୍ୟ ରହିଲା । ଏହା ଦ୍ୱାରା ବିମାନର ବୈଦ୍ୟୁତିକ ପ୍ରଣାଳୀ ଓ ନିୟନ୍ତ୍ରଣ ଉପକରଣ ଠିକ୍ରେ କାମ କଲା ।