ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

୬୦ ବର୍ଷ ବିବାଦର ଅନ୍ତ,ମରିସସ୍ ଫେରିପାଇବ 'ଚାଗୋସ' ଦ୍ବୀପ

Published By : Anindita Ratha | October 4, 2024 12:31 PM

ନୂଆଦିଲ୍ଲୀ,୦୪ /୧୦: ‘ଚାଗୋସ୍‌’ ଦ୍ୱୀପସମୂହକୁ ନେଇ ବ୍ରିଟେନ୍‌ ଓ ମରିସସ୍‌ ମଧ୍ୟରେ ପ୍ରାୟ ୬୦ ବର୍ଷ ଧରି ଯେଉଁ ବିବାଦ ଲାଗିରହିଥିଲା, ତାହାର ଅନ୍ତ ଘଟିଛି । ଉଭୟ ଦେଶ ମଧ୍ୟରେ ଶେଷରେ ବୁଝାମଣା ସ୍ଥାପନ ହୋଇଛି । ବୁଝାମଣା ଅନୁସାରେ ମରିସସ୍‌କୁ ଏହାର ଚାଗୋସ୍‌ ଦ୍ୱୀପକୁ ବ୍ରିଟେନ୍‌ ଫେରାଇଦେବ । ବ୍ରିଟେନ୍‌ ପଟେ ଥିବା ଭାରତ ମହାସାଗରରେ ଏହି ଦ୍ୱୀପସମୂହ ରହିଛି । ଏଠାରେ ପୂର୍ବରୁ ମରିସସ୍‌ର ହକ୍‌ ଥିଲା । କିନ୍ତୁ ଜୋର ଜବରଦସ୍ତ ଛଡ଼ାଇ ନେଇଥିଲା ବ୍ରିଟେନ୍‌ । ଭାରତ କିନ୍ତୁ ଏହି ପ୍ରସଙ୍ଗରେ ମରିସସ୍‌କୁ ଖୋଲାଖୋଲି ଭାବେ ସମର୍ଥନ ଜଣାଇଥିଲା । ସାମରିକ ଦୃଷ୍ଟିକୋଣରୁ ଚାଗୋସ୍‌ ଦ୍ୱୀପ ବେଶ୍‌ ମହତ୍ତ୍ୱପୂର୍ଣ୍ଣ କୁହାଯାଉଛି । ବ୍ରିଟେନ୍‌ କହିଛି ଯେ ଦୁଇଦେଶ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ଚାଗୋସ୍‌ ଦ୍ୱୀପର ଅଖଣ୍ଡତା ଏଣିକି ମରିସସ୍‌ ହାତକୁ ଯିବ । ଏହାଦ୍ୱାରା ଅନେକ ଦଶନ୍ଧି ତଳେ ଦ୍ୱୀପରୁ ବିସ୍ଥାପିତ ହୋଇଥିବା ଲୋକମାନେ ପୁନର୍ବାର ନିଜ ଘରକୁ ଫେରିବାକୁ ଅନୁମତି ପାଇବେ ।

ତେବେ ଭାରତ ମହାସାଗରର ଡିଏଗୋ ଗାର୍ସିଆ ଦ୍ୱୀପରେ ଥିବା ବ୍ରିଟେନ୍‌-ଆମେରିକା ସାମରିକ ଘାଟିକୁ ବ୍ରିଟେନ୍‌ ବ୍ୟବହାର କରିପାରିବ । ଉଲ୍ଲେଖଯୋଗ୍ୟ, ଆମେରିକା ସହ ମିଶି ବ୍ରିଟେନ୍‌ ଚାଗୋସ୍‌ର ଡିଏଗୋ ଗାର୍ସିଆ ଦ୍ୱୀପରେ ସାମରିକ ଘାଟି ପରିଚାଳନା କରୁଛି । ଏହା ଭାରତ ମହାସାଗରରେ ଊଭୟଙ୍କୁ ରଣନୀତିକ ଫାଇଦା ପ୍ରଦାନ କରୁଛି । ଉଲ୍ଲେଖଯୋଗ୍ୟ, ୧୯୬୦-୭୦ ଦଶକରେ ବ୍ରିଟେନ୍‌ ଚାଗୋସ ଦ୍ୱୀପ ସମୂହରେ ରହୁଥିବା ଲୋକମାନଙ୍କୁ ବିଦା କରିଦେଇଥିଲା । ଏହି ଘଟଣାକୁ ମାନବତା ବିରୋଧୀ ଅପରାଧ ବିବେଚନା କରାଯାଇଥିଲା । ୧୯୬୮ରେ ଯେତେବେଳେ ମରିସସ୍‌ ସ୍ୱାଧୀନ ହେଲା, ତାହା ପରେ ବି ବ୍ରିଟେନ୍‌ ଏହି କ୍ଷେତ୍ର ଉପରେ ନିଜ କବ୍‌ଜା ଜାରି ରଖିଥିଲା । ୧୮୧୪ରୁ ଏହା ଉପରେ ବ୍ରିଟେନ୍‌ର ନିୟନ୍ତ୍ରଣ ରହିଥିଲା । ମରିସସ୍‌ ଓ ସେସେଲ୍ସର ପ୍ରାୟ ୨ ହଜାର ଲୋକଙ୍କୁ ବ୍ରିଟେନ୍‌ ତଡ଼ିଦେଇଥିଲା । ଏହାପରେ ଏଠାରେ ସାମରିକ ଘାଟି ପ୍ରତିଷ୍ଠା ଲାଗି ଆମେରିକାକୁ ଆମନ୍ତ୍ରଣ କରିଥିଲା । ୨୦୧୯ରୁ ୨୦୨୧ ମଧ୍ୟରେ ଅନ୍ତର୍ଜାତୀୟ ଅଦାଲତ ବି ମରିସସ୍‌ ପକ୍ଷରେ ରାୟ ଦେଇଥିଲେ । 

କୋର୍ଟ କହିଥିଲେ କି ବ୍ରିଟେନ୍‌ ୧୯୬୮ରେ ମରିସସ୍‌କୁ ସ୍ୱାଧୀନତା ଦେବା ପୂର୍ବରୁ ଚାଗୋସ୍‌ ଦ୍ୱୀପସମୂହକୁ ମରିସସ୍‌ଠାରୁ ବେଆଇନ ଭାବେ ପୃଥକ୍‌ କରିଦେଇଥିଲା । ଚାଗୋସ୍‌ ହେଉଛି ୬୦ ଛୋଟବଡ଼ ଦ୍ୱୀପକୁ ନେଇ ଏକ ସମୂହ, ଯାହା କି ଭାରତ ମହାସାଗର ମଝିରେ ରହିଛି । ଏହା ୬୦ ବିର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ । ଏହି ଦ୍ୱୀପସମୂହ ମରିସସ୍‌ରୁ ପ୍ରାୟ ୨,୨୦୦ କିଲୋମିଟର ଏବଂ ଭାରତୀୟ ଉପ-ମହାଦ୍ୱୀପର ଦକ୍ଷିଣରୁ ପାଖାପାଖି ୧,୦୦୦ ନଟିକାଲ ମାଇଲ୍‌ ଦୂରରେ ରହିଛି । ଚାଗୋସ୍‌ର ଭୌଗୋଳିକ ସ୍ଥିତି ଯେ କୌଣସି ଦେଶକୁ ଭାରତ ମହାସାଗରରେ ନିଜ ସାମରିକ ଶକ୍ତି ବଢ଼ାଇବା ଲାଗି ସହାୟକ ହୋଇପାରିବ । ଏହି କାରଣରୁ ଆମେରିକା ଓ ବ୍ରିଟେନ୍‌ ମିଶି ଏଠାରେ ନିଜ ସାମରିକ ଆଡ୍ଡା ଚଳାଇବା ଜାରି ରଖିବାକୁ ଚାହୁଁଛନ୍ତି । ବୁଝାମଣା ବାବଦରେ ବ୍ରିଟେନ୍‌ର ବିଦେଶ ମନ୍ତ୍ରୀ ଡେଭିଡ୍‌ ଲ୍ୟାମି ଏକ ବୟାନରେ କହିଛନ୍ତି, ବ୍ରିଟେନ୍‌ ଡିଏଗୋ ଗାର୍ସିଆରେ ଥିବା ମହତ୍ତ୍ୱପୂର୍ଣ୍ଣ ସାମରିକ ଆଡ୍ଡାକୁ ନିଜ ପାଖରେ ସୁରକ୍ଷିତ ରଖି ସମ୍ପୂର୍ଣ୍ଣ ଚାଗୋସ୍‌ ଦ୍ୱୀପକୁ ମରିସସ୍‌କୁ ହସ୍ତାନ୍ତର ଲାଗି ବୁଝାମଣା କରିଛି । ଆମେରିକା ମଧ୍ୟ ଏହି ବୁଝାମଣାକୁ ସମର୍ଥନ ଜଣାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.