ନୂଆଦିଲ୍ଲୀ, ୦୮/୦୫ : ଭାରତ ମଙ୍ଗଳବାର ବିଳମ୍ବିତ ରାତିରେ ପାକିସ୍ତାନରେ ସ୍ଥିତ ଲସ୍କର, ଜୈସ ଓ ହିଜବୁଲ୍‌ର ୯ ଠିକଣା ଉପରେ ଏୟାର ଷ୍ଟ୍ରାଇକ୍‌ କରି ସେଗୁଡ଼ିକୁ ମାଟିରେ ମିଶାଇ ଦେଇଛି । ଚର୍ଚ୍ଚା ଯେ ଏହି ଆକ୍ରମଣ ପରେ ୩ ଆତଙ୍କୀ ସଂଗଠନର ମୁଖିଆଙ୍କ ଉପରେ ପାହାଡ଼ ଛିଡ଼ିପଡ଼ିଛି । ଭାରତ ଏମିତି ଅଣ୍ଟା ଭାଙ୍ଗିଦେବ ବୋଲି ପାକିସ୍ତାନ କେବେ କଳ୍ପନା କରିନଥିଲା । ଭାରତୀୟ ବାୟୁସେନା ଓ ସେନା କିଭଳି ଭାବେ ଅପରେସନ୍‌ ସିନ୍ଦୂର ଜରିଆରେ ଏହି ଆତଙ୍କୀ ମୁଖିଆଙ୍କୁ ଧୂଳି ଚଟାଇଛନ୍ତି, ତାହା ଏବେ ସବୁଠୁ ଚର୍ଚ୍ଚାର ବିଷୟ ହୋଇଛି । 

ହାଫିଜ ମହମ୍ମଦ ସୟିଦ (ଲସ୍କର-ଇ-ତୋଇବା) 

୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର୍‌ ମାଇଣ୍ଡ୍‌ । ଲସ୍କର-ଇ-ତଇବା ଲିଡର୍‌ ହାଫିଜ ସୟିଦର ୩ ପ୍ରମୁଖ ଠିକଣା ଥିଲା । ଏଥିରେ ମୁରିଦକେ, ସୱାଈ ନଲ୍ଲା ଓ ମରକଜ ଅହଲେ (ବରନାଲା) ରହିଛି । ଭାରତୀୟ ବାୟୁସେନା ଏହି ୩ ଆତଙ୍କୀ ଆଡ୍ଡାକୁ ସମ୍ପୂର୍ଣ୍ଣ ଧ୍ୱସ୍ତ କରିଦେଇଛି । ମୁରିଦକେ କ୍ୟାମ୍ପ୍‌ ଲସ୍କର୍‌ର ବୈଚାରିକ ଓ ସୈନ୍ୟ କେନ୍ଦ୍ର ଥିଲା । ଅନ୍ତର୍ଜାତୀୟ ସୀମାଠୁ ଏହା ମାତ୍ର ୩୦ କିମି ଦୂରରେ ଥିଲା । ବରନାଲା ଓ ସୱାଈ ନଲ୍ଲା ଠିକଣାରେ ଯୁଦ୍ଧାସ୍ତ୍ର, ଡ୍ରୋନ୍‌ ଓ ଆଇଇଡି ଟ୍ରେନିଂ ଦିଆଯାଉଥିଲା । 

ପ୍ରଭାବ: ହାଫିଜ ସୟିଦର ନେଟ୍‌ୱର୍କ ସମ୍ପୂର୍ଣ୍ଣ ଧୂଳିସାତ୍‌ ହୋଇଯାଇଛି । ନୂଆ ଆତଙ୍କୀଙ୍କୁ ପ୍ରଶିକ୍ଷଣ ଦେବା ଓ ଭାରତ ବିରୋଧୀ ଗତିବିଧିର ଯୋଜନା କରିବାର ଆଧାର ସମ୍ପୂର୍ଣ୍ଣ ଶେଷ ହୋଇଯାଇଛି । 

ମସୁଦ ଆଝାର (ଜୈଶ-ଇ-ମହମ୍ମଦ) 

ପୁଲୱାମା ଆକ୍ରମଣର ମାଷ୍ଟର୍‌ମାଇଣ୍ଡ ଓ ଜୈସଇ-ମହମ୍ମଦର ମୁଖିଆ ମସୁଦ ଆଝାର । ଭାରତର ଅପରେସନ୍‌ ସିନ୍ଦୂରରେ ଏହି ଆତଙ୍କୀର ବଡ଼ କ୍ଷତି ହୋଇଛି । ଜୈସ-ଇ-ମହମ୍ମଦର ବାହାବଳପୁର ମୁଖ୍ୟାଳୟ, ସରଜାଲ, ବିଲାଲ କ୍ୟାମ୍ପ୍‌ ଓ କୋଟଲୀ ସ୍ଥିତ ଲଞ୍ଚ୍‌ପ୍ୟାଡ୍‌କୁ ଭାରତ ଧ୍ୱସ୍ତ କରିଦେଇଛି । ବାହାବଳପୁର ଜୈସର ସବୁଠୁ ବଡ଼ ଆତଙ୍କବାଦୀ କାର୍ଯ୍ୟକଳାପ ପରିଚାଳନାର ପେଣ୍ଠସ୍ଥଳୀ ଥିଲା । ଅନ୍ତର୍ଜାତୀୟ ସୀମାଠୁ ଏହାର ଦୂରତା ୧୦୦ କିମି ଥିଲା । ଭାରତ ଏହାକୁ ମାଟିରେ ମିଶାଇ ଦେଇଛି । 

ପ୍ରଭାବ: ମସୁଦ ଆଝାରର୍‌ ଆତଙ୍କୀ ଭର୍ତ୍ତି ଓ ଫିଦାୟିନ ଆକ୍ରମଣ ଯୋଜନା ଠପ୍‌ ହୋଇଯାଇଛି । ଜୈସର କ୍ଷମତା ଅତିକମ୍‌ରେ ୭୦ ପ୍ରତିଶତ ହ୍ରାସ ପାଇଛି । 

ସୟେଦ ସଲ୍ଲାଉଦ୍ଦିନ (ହିଜବୁଲ ମୁଜାହିଦ୍ଦିନ) 

କାଶ୍ମୀରରେ ଆତଙ୍କ ଖେଳାଇଥିବା ହିଜବୁଲ ମୁଜାହିଦ୍ଦିନର ମୁଖିଆ ସୟେଦ ସଲାଉଦ୍ଦିନ ଭାରତର ଆକ୍ରମଣ ପରେ ସବୁଠୁ ଦୁର୍ବଳ ହୋଇପଡ଼ିଛି । ଏହାର କୋଟଲି, ମେହମୁନା ଜୋୟା (ସିୟାଲକୋଟ) ଓ ରାହିଲ ଶହିଦ କ୍ୟାମ୍ପ୍‌ ଭଳି ବେସ୍‌ ଧ୍ୱସ୍ତ ହୋଇଯାଇଛି । ଖାସ୍‌ କଥା ହେଉଛି ହିଜବୁଲର ଅଧିକାଂଶ ଠିକଣା ଏଲ୍‌ଓସିଠୁ ୧୦-୧୫ କିମି ଦୂରରେ ଥିଲା । ଏହା ମାଟିରେ ମିଶିବା ପରେ ସୀମା ପାର ଅନୁପ୍ରବେଶ ଅବରୋଧ ହୋଇଛି । 

ପ୍ରଭାବ: ସୟେଦ ସଲ୍ଲାଉଦ୍ଦିନ ପାଖରେ ଏବେ ଅନୁପ୍ରବେଶ ପାଇଁ ସୁରକ୍ଷିତ ମାର୍ଗ ନାହିଁ କିମ୍ବା ଆତଙ୍କବାଦୀ ଟ୍ରେନିଂ କ୍ୟାମ୍ପ୍‌ ବି ନାହିଁ । ଏହି ଆତଙ୍କୀ ସଂଗଠନର ମେରୁଦଣ୍ଡ ଭାଙ୍ଗିଦେଇଛି ଭାରତ ।

ଏହି ଖବରଟିକୁ ପଢନ୍ତୁ-ଉତ୍ତରକାଶୀ ଗଙ୍ଗାନାନୀରେ ହେଲିକପ୍ଟର ଦୁର୍ଘଟଣା; ୫ ମୃତ, ୨ ଗୁରୁତର