ନୂଆଦିଲ୍ଲୀ, ୦୩/୦୭ : ଚୀନ୍ ସହ ଆମେରିକା ମୁହାଁମୁହିଁ ହେଲେ ମୁକାବିଲା ପାଇଁ ଆମେରିକା କେତେ ପ୍ରସ୍ତୁତ ସେ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଆମେରିକାର ପ୍ରତିରକ୍ଷା ଉଦ୍ୟୋଗ ଚୀନ୍ ଉପରେ ଅଧିକ ନିର୍ଭରଶୀଳ । ଯଦି ଦିନେ ଚୀନ୍ ସହ ଆମେରିକା ଯୁଦ୍ଧକୁ ଓହ୍ଲାଏ ତେବେ ଆମେରିକା କିପରି ମୁକାବିଲା କରିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରତିରକ୍ଷା ଅଧିଗ୍ରହଣ ପ୍ରକ୍ରିୟା (ଡିଫେନ୍ସ ଆକ୍ୟୁଜିସନ ପ୍ରୋସେସ୍) ତ୍ୱରାନ୍ୱିତ କରୁଥିବା ଡାଟା ଆନାଲିଟିକ୍ସ ଫାର୍ମ ଗୋଭିନି ଏ ପ୍ରସଙ୍ଗରେ ଏକ ଚିନ୍ତାଜନକ ରିପୋର୍ଟ ପ୍ରକାଶ କରିଛି ।
ରିପୋର୍ଟରୁ ଜଣାପଡ଼ିଛି, ଚୀନ୍ କମ୍ପାନୀଗୁଡ଼ିକ ଆମେରିକାର ପ୍ରମୁଖ ପ୍ରତିରକ୍ଷା କାର୍ଯ୍ୟକ୍ରମରେ ପ୍ରତି ୧୦ରୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଉପକରଣ ଯୋଗାଉଛନ୍ତି । ଏଥିରେ ମିସାଇଲ ପ୍ରତିରକ୍ଷା, ପରମାଣୁ ବ୍ୟବସ୍ଥା, ମହାକାଶ ପ୍ରଯୁକ୍ତି ଆଦି ଅନ୍ତର୍ଭୁକ୍ତ । ଏହା ଦର୍ଶାଉଛି ଯେ, ବେଜିଂର ଶିଳ୍ପଗୁଡ଼ିକ ଆମେରିକାର ସାମରିକ ଯୋଗାଣ ଶୃଙ୍ଖଳକୁ କିପରି ନିୟନ୍ତ୍ରଣ କରୁଛି । ବିଶେଷ କରି ଚୀନ୍ ନିର୍ମିତ ମିସାଇଲ ପ୍ରତିରକ୍ଷା ଉପକରଣ ଏବଂ ଚୀନ୍ରୁ ଉତ୍ପାଦିତ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଉପରେ ଆମେରିକା ଅତିମାତ୍ରାରେ ନିର୍ଭରଶୀଳ ।
ଚଳିତ ସପ୍ତାହରେ ପ୍ରକାଶିତ ଗୋଭିନି ନ୍ୟାସନାଲ ସିକ୍ୟୁରିଟି ସ୍କୋରକାର୍ଡ ଅନୁସାରେ, ୨୦୨୪ରେ ୯ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଆମେରିକୀୟ ପ୍ରତିରକ୍ଷା କାର୍ଯ୍ୟକ୍ରମ ପାଇଁ ଟାୟର-୧ ଯୋଗାଣକାରୀ ଭାବେ ପ୍ରମୁଖ ଠିକାଦାରଙ୍କ ମଧ୍ୟରୁ ଚୀନ୍ ଫାର୍ମଗୁଡ଼ିକର ଭାଗୀଦାରି ୯.୩% ଥିଲା । ଏହି କ୍ଷେତ୍ରଗୁଡ଼ିକରେ ବିମାନ ଚଳାଚଳ, ସାମୁଦ୍ରିକ, କମାଣ୍ଡ ଏବଂ କଣ୍ଟ୍ରୋଲ ସିଷ୍ଟମ, ଆଣବିକ, ମିସାଇଲ ପ୍ରତିରକ୍ଷା, ମହାକାଶ ଆଦି ରହିଛି । ରିପୋର୍ଟରେ ଆହୁରି ଉଲ୍ଲେଖ ରହିଛି ଯେ, ଗୁରୁତ୍ୱପୂର୍ଣ୍ଣ ସାମରିକ ଯୋଗାଣ ଶୃଙ୍ଖଳ କ୍ଷେତ୍ରରେ ଚୀନ୍ ଅନ୍ୟତମ ପ୍ରମୁଖ ଯୋଗାଣକାରୀ ପାଲଟିଛି । ଆକ୍ରମଣରୁ ରକ୍ଷା ଲାଗି ପ୍ରମୁଖ ମିସାଇଲ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଆମେରିକା ଚୀନ୍ ଉପରେ ନିର୍ଭରଶୀଳ । କାରଣ ଟାୟାର-୧ ଯୋଗାଣକାରୀଙ୍କ ମଧ୍ୟରୁ ୧୧.୧% ହେଉଛନ୍ତି ଚାଇନିଜ୍ କମ୍ପାନି । ଏପରିକି ପରମାଣୁ କ୍ଷେତ୍ରରେ ଆବଶ୍ୟକ ଉପକରଣର ୭.୮% ଭାଗରେ ଆମେରିକା ଚୀନ୍ ଯୋଗାଣକାରୀଙ୍କ ଉପରେ ନିର୍ଭରଶୀଳ, ଯାହା କି ଅନ୍ୟ କୌଣସି ଦେଶ ତୁଳନାରେ ଅଧିକ । ତେଣୁ ଚୀନ୍ ଉପରେ ଆକ୍ରମଣ କରିବା ପୂର୍ବରୁ ଆମେରିକାକୁ ଅନେକ ଥର ଚିନ୍ତା କରିବାକୁ ପଡ଼ିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ଅନ୍ୟପକ୍ଷରେ ଏହି ନିର୍ଭରଶୀଳତା ବାବଦରେ ଖୋଦ୍ ଆମେରିକା ଜାଣିଥିଲେ ମଧ୍ୟ ଚୀନ୍ ଯୋଗାଣକାରୀଙ୍କୁ ବାଦ୍ ଦେବା ଏତେ ସହଜ ନୁହେଁ । ସେହିପରି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ପାଇଁ ମଧ୍ୟ ଆମେରିକା ବହୁଳ ଭାବେ ଚୀନ୍ ଉପରେ ନିର୍ଭର କରୁଛି । ଯୁଦ୍ଧ ବିମାନ ଠାରୁ ଆରମ୍ଭ କରି ଯୁଦ୍ଧ ଜାହାଜ, ମିସାଇଲ ଆଦି ଶତାଧିକ ଯୁଦ୍ଧାସ୍ତ୍ରରେ ଆଣ୍ଟିମୋନି, ଗାଲିୟମ୍, ଜର୍ମାନିୟମ, ଟଙ୍ଗ୍ଷ୍ଟେନ, ଟେଲୁରିୟମ ଭଳି ଖଣିଜ ପଦାର୍ଥ ଆବଶ୍ୟକ । ଏହି ଉତ୍ପାଦନରେ ଚୀନ୍ ସାରା ବିଶ୍ୱରେ ଦବ୍ଦବା ରଖିଛି । ଯଦି ଆମେରିକା ଚୀନ୍ରୁ ଏହି ଆମଦାନୀ ବନ୍ଦ କରେ ତେବେ ଆମେରିକାର ୭୮% ୱିପନ୍ ସିଷ୍ଟମ ପ୍ରଭାବିତ ହେବ । ଚୀନ୍ ଏହି ଖଣିଜର ରପ୍ତାନି ଉପରେ ସଦ୍ୟ କଟକଣା ଲଗାଇବା ଏବଂ ଏଥିପାଇଁ ଆମେରିକା ସହ ତିକ୍ତତା ବୃଦ୍ଧି ଚୀନ୍ର ଦବ୍ଦବାକୁ ସାମ୍ନାକୁ ଆଣିଥିଲା ।