ନୂଆଦିଲ୍ଲୀ ୦୩/୦୭: ବ୍ରିଟେନ୍‌ ଡର୍ବିଶାୟାରର ବାସିନ୍ଦା ଡେଭ୍‌ ବିଲିଙ୍ଗ୍‌ସ(୪୪) ନିଜ ଘରର ବଗିଚାରେ ଏକ ଅଣ୍ଡରଗ୍ରାଉଣ୍ଡ ବଙ୍କର ନିର୍ମାଣ କରିଛନ୍ତି । ସେଥିଲାଗି ତାଙ୍କର ଭାରତୀୟ ମୁଦ୍ରାରେ ଅଦ୍ୟାବଧି ପ୍ରାୟ ୫.୮୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ପ୍ରକଳ୍ପ ୧୦ ବର୍ଷ ତଳେ ଆରମ୍ଭ ହୋଇଥିଲା । ଏହାକୁ ବନାଇବା ଲାଗି ଡେଭ୍‌ଙ୍କୁ ପ୍ରସିଦ୍ଧ ହଲିଉଡ୍‌ ଫିଲ୍ମ ‘ଦ ଗ୍ରେଟ୍‌ ଏସ୍କେପ୍‌’ରୁ ପ୍ରେରଣା ମିଳିଥିଲା । ଏବେ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ମଧ୍ୟରେ ବଙ୍କରକୁ ଆହୁରି ମଜଭୁତ କରିବା ଲାଗି ସେ ୧୨ ଲକ୍ଷ ଟଙ୍କା ବ୍ୟୟରେ ତାର ଆଧୁନିକୀକରଣ କରାଉଛନ୍ତି । 

ବଙ୍କର ମଧ୍ୟରେ ୩୫ ଫୁଟ ଲମ୍ବା ଏକ ସୁଡ଼ଙ୍ଗ ରହିଛି । ସୁଡ଼ଙ୍ଗ ଶେଷରେ କେତେଗୁଡ଼ିଏ କୋଠରୀ ରହିଛି । ସେହିପରି ବଙ୍କର ମଧ୍ୟରେ ଏକ ଜିମ୍‌, ଶୌଚାଳୟର ସୁବିଧା ରହିଛି । ଏପରିକି ସେଠାରେ ଲିଫ୍ଟ ମଧ୍ୟ ଅଛି । ଖାଦ୍ୟପେୟ ସାମଗ୍ରୀକୁ ବଙ୍କର ଭିତରକୁ ନେଇ ଯିବାକୁ ଅନ୍ୟ ଏକ ରାସ୍ତାର ବ୍ୟବସ୍ଥା କରାଯାଇଛି । ତେବେ ସେହି ବଙ୍କର ପରମାଣୁ ଆକ୍ରମଣ ସହ୍ୟ କରିବାରେ ସକ୍ଷମ ନୁହେଁ । ଡେଭ୍‌ ପେସାରେ ଜଣେ ଇଞ୍ଜିନିୟର ଓ କଣ୍ଟେଣ୍ଟ କ୍ରିଏଟର । ପତ୍ନୀ ବେଥ୍‌, ୭ ବର୍ଷୀୟ ପୁଅ ଓଲିଭରଙ୍କ ସହ ଡର୍ବିଶାୟାରସ୍ଥିତ ଘରେ ସେ ରହନ୍ତି । ସେ କହିଛନ୍ତି, ଭବିଷ୍ୟତରେ ଯଦି କୌଣସି କାରଣରୁ ତୃତୀୟ ବିଶ୍ୱଯୁଦ୍ଧ ହୁଏ ତେବେ ପରିବାର ସହିତ ଏକ ସୁରକ୍ଷିତ ଅଣ୍ଡରଗ୍ରାଉଣ୍ଡ ସ୍ଥାନରେ ରହିବା ଲାଗି ହିଁ ସେ ଏହି ବଙ୍କରକୁ ନିର୍ମାଣ କରାଇଛନ୍ତି ।