ନୂଆଦିଲ୍ଲୀ, ୬।୬: ଆଜିକାଲି ଡିଜିଟାଲ୍ ଯୁଗରେ ଅନଲାଇନ୍ ଶପିଂ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଯାଇଛି । ଛୁଞ୍ଚିଠାରୁ ଆରମ୍ଭ କରି ବଡ଼ ବଡ଼ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପର୍ଯ୍ୟନ୍ତ, ସବୁ କିଛି ଆମେ ଘରେ ବସି ଅର୍ଡର କରୁଛୁ । ଆଉ ଅର୍ଡର କରିବା ପୂର୍ବରୁ ଆମେ ସମସ୍ତେ ଗୋଟିଏ କାମ ନିଶ୍ଚୟ କରୁ ସେଇଟା ହେଉଛି 'ପ୍ରୋଡକ୍ଟ ରିଭ୍ୟୁ' ବା ଷ୍ଟାର୍ ରେଟିଂ ଚେକ୍ କରିବା । କିନ୍ତୁ ସାବଧାନ ! ଆପଣ ଯେଉଁ ରିଭ୍ୟୁ ଦେଖି ପ୍ରୋଡକ୍ଟକୁ ଭଲ ଭାବି ଘରକୁ ମଗାଉଛନ୍ତି, ସେଗୁଡ଼ିକ 'ଫେକ୍' ବା ନକଲି ହୋଇଥାଇପାରେ । ଫେକ୍ ରିଭ୍ୟୁ ଚକ୍କରରେ ପଡ଼ି ଅନେକ ଲୋକ ଟଙ୍କା ଦେଇ ଘରକୁ 'ଆବର୍ଜନା' ଉଠାଇ ଆଣୁଛନ୍ତି । ତେବେ ଆପଣ କେମିତି ଏହି ଅନଲାଇନ୍ ସ୍କାମରୁ ବଞ୍ଚିବେ ଏବଂ ନକଲି ରିଭ୍ୟୁକୁ କେମିତି ଚିହ୍ନିବେ ଆସନ୍ତୁ ଜାଣିବା । ଅନଲାଇନ୍ ବଜାରରେ ଏବେ ଗ୍ରାହକଙ୍କୁ ଭ୍ରମିତ କରିବା ପାଇଁ ଫେକ୍ ରିଭ୍ୟୁର ଏକ ବଡ଼ କାରବାର ଚାଲିଛି । କମ୍ପାନୀଗୁଡ଼ିକ ନିଜର ଖରାପ ପ୍ରୋଡକ୍ଟକୁ ବିକ୍ରି କରିବା ପାଇଁ ଟଙ୍କା ଦେଇ ନକଲି ପଜିଟିଭ୍ ରିଭ୍ୟୁ ଲେଖାଉଛନ୍ତି । ଏଭଳି ସ୍ଥିତିରେ ଅସଲି ଓ ନକଲି ରିଭ୍ୟୁ ମଧ୍ୟରେ ଫରକ୍ ଜାଣିବା ନିହାତି ଜରୁରୀ । ଏଥିପାଇଁ କିଛି ସହଜ ଉପାୟ ଆପଣେଇ ପାରିବେ ।
ଯଦି କୌଣସି ପ୍ରୋଡକ୍ଟର ରିଭ୍ୟୁରେ କେବଳ ପ୍ରଶଂସା ଥାଏ ଏବଂ କୌଣସି ତ୍ରୁଟି ଦର୍ଶାଯାଇନଥାଏ, ତେବେ ସତର୍କ ହୋଇଯାଆନ୍ତୁ । ପ୍ରକୃତ ଗ୍ରାହକ ସାଧାରଣତଃ ପ୍ରୋଡକ୍ଟର ଭଲ ଏବଂ ମନ୍ଦ, ଉଭୟ ଦିଗ ବିଷୟରେ ଲେଖନ୍ତି । "ବହୁତ ଭଲ ପ୍ରୋଡକ୍ଟ", "ବେଷ୍ଟ କ୍ୱାଲିଟି", "ନିଶ୍ଚୟ କିଣନ୍ତୁ" ଭଳି ଅତି ଛୋଟ ଏବଂ ଏକା ଶୈଳୀର ରିଭ୍ୟୁ ଫେକ୍ ହୋଇପାରେ । ଏଗୁଡ଼ିକୁ ପ୍ରାୟତଃ ଏକାସଙ୍ଗେ ପୋଷ୍ଟ କରାଯାଇଥାଏ । ଯଦି ହଠାତ୍ ଅତି କମ୍ ଦିନ କିମ୍ବା ଘଣ୍ଟା ମଧ୍ୟରେ କୌଣସି ପ୍ରୋଡକ୍ଟରେ ଶହ ଶହ ପଜିଟିଭ୍ ରିଭ୍ୟୁ ଆସିଯାଏ, ତେବେ ବୁଝିଯାଆନ୍ତୁ ଏହା ପଛରେ କିଛି ଗଡ଼ବଡ଼ ଅଛି । ପ୍ରକୃତ ଗ୍ରାହକମାନେ ପ୍ରୋଡକ୍ଟ ପାଇବା ପରେ ନିଜ ମୋବାଇଲରୁ ଫଟୋ ବା ଭିଡିଓ ଉଠାଇ ରିଭ୍ୟୁରେ ଶେୟାର କରନ୍ତି । ଏହି ଫଟୋଗୁଡ଼ିକ ଅଫିସିଆଲ୍ ବା ପ୍ରୋଫେସନାଲ୍ ଦେଖାଯାଏନାହିଁ । ଯଦି ରିଭ୍ୟୁରେ କେବଳ ପ୍ରଫେସନାଲ ଫଟୋ ଥାଏ, ତେବେ ତାହା ନକଲି ହୋଇପାରେ ।
କୌଣସି ଜିନିଷ କିଣିବା ପୂର୍ବରୁ କେବଳ ଭଲ ରେଟିଂ ନୁହେଁ, ବରଂ 'ଖରାପ ରିଭ୍ୟୁ' ଅର୍ଥାତ୍ ନେଗେଟିଭ୍ ରିଭ୍ୟୁଗୁଡ଼ିକୁ ମଧ୍ୟ ଭଲ ଭାବେ ପଢ଼ନ୍ତୁ । ଏହାଦ୍ୱାରା ପ୍ରଡକ୍ଟର କ୍ୱାଲିଟି ସାମ୍ନାକୁ ଆସିଥାଏ । ଏଠାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା କେବଳ ୪ କିମ୍ବା ୫ ଷ୍ଟାର୍ ରେଟିଂ ଦେଖି ଆଖିବୁଜି ସାମଗ୍ରୀ କିଣନ୍ତୁ ନାହିଁ । କିଣିବା ପୂର୍ବରୁ ଲୋକଙ୍କ ବ୍ୟକ୍ତିଗତ ଅନୁଭୂତି, ପ୍ରୋଡକ୍ଟର ୱାରଣ୍ଟି ଏବଂ ରିଟର୍ଣ୍ଣ ପଲିସି ବିଷୟରେ ଭଲଭାବେ ଯାଞ୍ଚ କରିନିଅନ୍ତୁ । ତେବେ ମନେରଖନ୍ତୁ, ଆପଣଙ୍କର ସାମାନ୍ୟ ସତର୍କତା ଆପଣଙ୍କୁ ଅନଲାଇନ୍ ଠକେଇରୁ ରକ୍ଷା କରିପାରିବ ଏବଂ ଆପଣଙ୍କ ଅର୍ଜିତ ଟଙ୍କାକୁ ପାଣିରେ ପଡ଼ିବାରୁ ବଞ୍ଚାଇ ପାରିବ । ତେଣୁ ସ୍ମାର୍ଟ ବନନ୍ତୁ ଏବଂ ସୁରକ୍ଷିତ ଶପିଂ କରନ୍ତୁ ।
ଆହୁରି ପଢ଼ନ୍ତୁ... RBI MPC Meeting: ରିଜର୍ଭ ବ୍ୟାଙ୍କର ବଡ଼ ଘୋଷଣା; ବଢିବନି ସୁଧ ହାର, ରେପୋରେଟ୍ ୫.୨୫%ରେ ଅପରିବର୍ତ୍ତିତ