ମାଣତ୍ରୀ,୧୬/୧୦: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ପଦ୍ମନାଭପୁରରୁ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଏକ ଏଜବେଷ୍ଟସ ଘରୁ ବୁଧବାର ସନ୍ଧ୍ୟାରେ ବାଣ ପ୍ରସ୍ତୁତ କରାଯାଉଥିବା ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୁଲିସ। ଗୁରୁବାର ବମ୍ ସ୍କ୍ୱାଡ୍ ସାହାଯ୍ୟରେ ବିସ୍ଫୋରକ ସବୁକୁ ନଷ୍ଟ କରିବା ନେଇ ସୂଚନା ମିଳିଛି ।
ସୂଚନା ମୁତାବକ, ବେତନଟୀ ଏସ୍ଡିପିଓ ମିନତୀ ବିଶ୍ଵାଳ, ବୈଶିଙ୍ଗା ଥାନା ଆଇଆଇସି ବାରିଣୀ ଦାସ ବିଶେଷ ସୂତ୍ରରୁ ଖବର ପାଇ ପଦ୍ମନାଭପୁର ଗ୍ରାମରେ ବୈଶିଙ୍ଗା ଅଞ୍ଚଳର ଜଣେ ବ୍ୟକ୍ତିଙ୍କର ଭଡ଼ା ଲାଗିଥିବା ଆଜବେଷ୍ଟସ ଘରେ ବୁଧବାର ସନ୍ଧ୍ୟାରେ ଚଢ଼ାଉ କରିଥିଲେ । ଘର ମାଲିକ, ପୁଲିସ ଏବଂ ବେତନଟୀ ଅତିରିକ୍ତ ତହସିଲଦାର ଈଶ୍ୱର ଚନ୍ଦ୍ର ରଣାଙ୍କ ଉପସ୍ଥିତିରେ ତାଲା ଭଙ୍ଗା ଯାଇଥିଲା। ତାଲା ଭାଙ୍ଗିବା ପରେ ଘର ଭିତର ଦୃଶ୍ୟ ଦେଖି ଉପସ୍ଥିତ ସମସ୍ତ ଅଧିକାରୀଙ୍କ ସମେତ ଘର ମାଲିକ ସମସ୍ତେ ଅବାକ ହୋଇଯାଇଥିଲେ । ଜନବସତି ଭିତରେ ଥିବା ସେହି ଘରଟି ବାଣ ପ୍ରସ୍ତୁତ କରାଯାଉଥିବା ବିସ୍ଫୋରକ ସାମଗ୍ରୀରେ ଭରି ହୋଇଥିଲା । ପରେ ଘଟଣା ସ୍ଥଳରେ ବୈଶିଙ୍ଗା ଥାନା ଆଇଆଇସି ବାରିଣୀ ଦାସ, ଅତିରିକ୍ତ ତହସିଲଦାର ଓ ବ୍ୟାପକ ଫୋର୍ସ ଉକ୍ତ ସ୍ଥାନରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ସାବଧାନତା ସହ ଉକ୍ତ ଘରୁ ୧୦୭ ବସ୍ତା ବିସ୍ଫୋରକ ସାମଗ୍ରୀ, ୩ଡ୍ରମ୍ ମେଟାଲ ପାଉଡର ଓ ବାରୁଦ ବାହାରକୁ ଆଣିଥିଲେ । ୩ଟି ପିକଅପ୍ ଭ୍ୟାନରେ ବୋଝେଇ କରି ଥାନାକୁ ନେଇ ଆସିଥିଲେ । ତେବେ ଜନବସତିପୂର୍ଣ୍ଣ ଏହି ଗାଁ ଭିତରେ ଗୋଟିଏ ଘରେ ଏତେ ପରିମାଣରେ ବିସ୍ଫୋରକ ସାମଗ୍ରୀ ଗଚ୍ଛିତ ରହିଥିବା ଜାଣିବା ପରେ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି ।
ଅନ୍ୟପଟେ ଏହିଠାରୁ ହିଁ ବୈଶିଙ୍ଗା ଥାନା ଅଧୀନ ବାଛୁରୀପଡା ଗ୍ରାମରେ ଚାଲିଥିବା ବ୍ୟାପକ ବେଆଇନ ବାଣ ପ୍ରସ୍ତୁତକାରୀଙ୍କୁ କଞ୍ଚାମାଲ ଯୋଗାଇ ଦିଆଯାଉଥିବା ନେଇ ଚର୍ଚ୍ଚା ହେଉଛି । ଏନେଇ ପୁଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ କରି ବିଭିନ୍ନ ଲୋକଙ୍କୁ ଥାନାରେ ପଚରାଉଚରା ଜାରି ରଖିଛି । ଗୁରୁବାର ବମ୍ ସ୍କ୍ୱାଡ୍ ସାହାଯ୍ୟରେ ବିସ୍ଫୋରକ ସବୁକୁ ନଷ୍ଟ କରିବା ନେଇ ସୂଚନା ମିଳିଛି।