ନୂଆଦିଲ୍ଲୀ ୩୧/୦୩: ଅତ୍ୟନ୍ତ କ୍ଷାର ପାଣି ଯୋଗୁ ହ୍ରଦର ନାଁ ହୋଇଛି ଗ୍ରେଟ୍ ସଲ୍‌ଟ ଲେକ୍ । ଆମେରିକାର ୟୁଟା ରାଜ୍ୟରେ ଅବସ୍ଥିତ ଏହି ହ୍ରଦ ବିଶ୍ୱର ଅନ୍ୟତମ ସବୁଠୁ ବଡ଼ କ୍ଷାର ଜଳ ହ୍ରଦ । କିନ୍ତୁ ସଦ୍ୟ ଅଧ୍ୟୟନରୁ ଏକ ଆଶ୍ଚର୍ଯ୍ୟଚକିତ ତଥ୍ୟ ସାମ୍ନାକୁ ଆସିଛି । ୟୁନିଭର୍ସିଟି ଅଫ୍ ୟୁଟାର ଗବେଷକମାନେ ଜାଣିବାକୁ ପାଇଛନ୍ତି, ଏହି କ୍ଷାର ଜଳ ହ୍ରଦ ତଳେ ମଧୁର ଜଳର ଏକ ବିଶାଳ ଭଣ୍ଡାର ରହିଛି । ଗବେଷକମାନେ ହେଲିକପ୍ଟରରେ ଏୟାରବୋର୍ନ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ସର୍ଭେ (ଏଇଏମ୍ ସର୍ଭେ) କରିଥିଲେ । ଏହା ଏକ ସ୍ୱତନ୍ତ୍ର ଟେକ୍ନୋଲୋଜି, ଯାହା ଆକାଶରୁ ମାଟି ତଳେ କ’ଣ ଅଛି ଜାଣିପାରିବ ।

ହ୍ରଦର ଦକ୍ଷିଣ-ପୂର୍ବ କ୍ଷେତ୍ରରେ, ଖାସ୍‌କରି କର୍ମିଂଟନ୍ ବେ କ୍ଷେତ୍ରରେ ସର୍ଭେ କରାଯାଇଥିଲା । ଏଇଏମ୍ ସର୍ଭେ ଇଲେକ୍ଟ୍ରିକାଲ କଣ୍ଡକ୍ଟିଭିଟିକୁ ମାପେ, ଯାହା ଦ୍ୱାରା କ୍ଷାର ଓ ମଧୁର ଜଳରେ ଫରକ ସହଜରେ ଜଣାପଡ଼େ । ଚଟାଣର ସଂରଚନାକୁ ମଧ୍ୟ ଏହା ଦେଖେ । ଏଥିରୁ ବୈଜ୍ଞାନିକମାନେ ଜାଣିପାରିଲେ, ହ୍ରଦ ତଳର ଚଟାଣ ପରସ୍ତ ବହୁତ ତଳକୁ ଯାଇଛି । ଏହା ଦ୍ୱାରା ବହୁତ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି, ଯାହା ବାଲି ଓ ପଙ୍କରେ ଭରିଛି । ଏହି ସ୍ଥାନ ସମ୍ପୂର୍ଣ୍ଣ ରୂପେ ମଧୁର ଜଳରେ ପରିପୂର୍ଣ୍ଣ । ଭୂଭୌତିକ ବିଶେଷଜ୍ଞ ମାଇକେଲ ଜଦାନୋଭ କହିଛନ୍ତି, ସର୍ଭେରୁ ଜଣାପଡୁଛି ଯେ ଏହି ମଧୁର ଜଳ ୩-୪ କିମି ଗଭୀରକୁ ବ୍ୟାପିଛି । ତେବେ ହ୍ରଦର ଏକ ଛୋଟ ଅଂଶର ସର୍ଭେ ହୋଇଛି । ତେଣୁ ଏବେ ଏହାର ପ୍ରକୃତ ଆକାର ନିର୍ଦ୍ଧାରଣ ସମ୍ଭବ ନୁହେଁ ।

ଆହୁରି ପଢ଼ନ୍ତୁ...ନେଷ୍ଟଲେର ଚୋରି ହୋଇଗଲା ୧୨ ଟନ୍ ଚକଲେଟ୍, ଟ୍ରକ୍‌ରେ ଇଟାଲିରୁ ଯାଉଥିଲା ପୋଲାଣ୍ଡ