କଟକ,୨୩/୧୨: ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ଅକାଳ ମୃତ୍ୟୁକୁ ନେଇ ତାଙ୍କ ମାଆ ଶେଫାଳି ସୁନାଙ୍କ ଏତଲା ଆଧାରରେ ମର୍କତନଗର ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତଦନ୍ତରେ ପ୍ରମୁଖ ତଥ୍ୟ ପ୍ରମାଣ କୁହାଯାଉଥିବା ସିସିଟିଭି ଫୁଟେଜ୍, ବ୍ୟାଙ୍କ୍ର ଅର୍ଥ ଦେଣନେଣ ତଥ୍ୟ ଓ ମୋବାଇଲ୍ ଫୋନ୍ କଲ୍ ରେକର୍ଡ (ସିଡିଆର୍) ଆଣିବା ପାଇଁ ପୁଲିସ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ମର୍କତନଗର ଥାନା ଅଧିକାରୀ ନିଜେ ମାମଲାର ତଦନ୍ତ ଦାୟିତ୍ୱ ନେଇଛନ୍ତି । ତେବେ ଏତେ ଗୁଡ଼ିଏ ତଥ୍ୟ ଆସିବାକୁ ସମୟ ଲାଗିବ ଓ ଏହାକୁ ତର୍ଜମା କରିବା ପରେ ଅଭିଯୁକ୍ତମାନଙ୍କୁ ନୋଟିସ୍ କରାଯିବ ବୋଲି ପୁଲିସ ସୂଚନା ଦେଇଛି ।
ହ୍ୟୁମାନଙ୍କ ସିଡିଏ ସ୍ଥିତ ଘରେ ସିସିଟିଭି ନାହିଁ । ତେଣୁ ତାଙ୍କ ଘର ଆଖପାଖରୁ ସିସିଟିଭି ଫୁଟେଜ୍ ସଂଗ୍ରହ କରାଯିବ । ହେଲେ ହ୍ୟୁମାନଙ୍କ ମୃତ୍ୟୁକୁ ମାସେରୁ ଅଧିକ ସମୟ ହେଲାଣି, ଏତେ ସମୟର ଫୁଟେଜ୍ ସାଧାରଣ ଲୋକଙ୍କ ଘରୁ ମିଳିବା ସହଜ ନୁହେଁ ବୋଲି ପୁଲିସ କହୁଛି । ତଥାପି ଏକ ଟିମ୍ ଫୁଟେଜ୍ ସଂଗ୍ରହ ପାଇଁ ନିୟୋଜିତ ହୋଇଛି । ମା’ ଶେଫାଳି ସୁନା ତାଙ୍କ ଏତଲାରେ ବୋହୂ ସମେତ ମୋଟ୍ ୯ ଜଣଙ୍କୁ ଅଭିଯୁକ୍ତ କରିଛନ୍ତି । ବୋହୂ ଶ୍ରେୟା ମିଶ୍ର ଓ ତାଙ୍କ ପରିବାର, ଚିକିତ୍ସା କରୁଥିବା ଡାକ୍ତର ଶୁଭେନ୍ଦୁ ମିଶ୍ର, ସହ-କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ଓ ତାଙ୍କ ପରିବାର, ସଂଗୀତ ନିର୍ଦ୍ଦେଶକ ସୋମେଶ ଶତପଥୀ, ମ୍ୟାନେଜର ଦିନେଶ ବେହେରା, ମ୍ୟାନେଜର ଏମ୍ଡି ଆବିଦ (ବବ୍ଲୁ), ମ୍ୟାନେଜର ପ୍ରଶାନ୍ତ ବେହେରା, ସହଯୋଗୀ ଲୁଲୁ ମହାନ୍ତି ଓ ଜଗଦୀଶ ମହାନ୍ତି ଏହି ମାମଲାରେ ଅଭିଯୁକ୍ତ ଅଛନ୍ତି । ସମସ୍ତ ଅଭିଯୁକ୍ତଙ୍କ ବ୍ୟାଙ୍କ୍ ତଥ୍ୟ, ମୋବାଇଲ୍ କଲ୍ ରେକର୍ଡ ଓ ସୋସିଆଲ୍ ମିଡିଆ ଚାଟ୍ ରେକର୍ଡ ଆଣିବାକୁ ପୁଲିସ ପ୍ରକ୍ରିୟା ଆରମ୍ଭ କରିଛି । ହେଲେ ଏତେ ଅଭିଯୁକ୍ତଙ୍କର ଟିକିନିକି ତଥ୍ୟ ଆଣିବା ସମୟସାପେକ୍ଷ । ସୀମିତ ସାଧନ ମଧ୍ୟରେ ଏସବୁ ତଥ୍ୟକୁ ଆଣି ତର୍ଜମା କରିବାରେ ସମୟ ଲାଗିବ ବୋଲି ଥାନା ଅଧିକାରୀ ସତ୍ୟବ୍ରତ ଭୂତିଆ ସୂଚନା ଦେଇଛନ୍ତି ।
ଏହି ମାମଲାରେ ଏସବୁ ତଥ୍ୟର ଗୁରୁତ୍ୱ ରହିଛି । ତେଣୁ ସେସବୁ ଆସିବା ପରେ ହିଁ ଅଭିଯୁକ୍ତମାନଙ୍କୁ ନୋଟିସ୍ କରାଯିବ । ଯଦି ଅତି ଆବଶ୍ୟକ ହୁଏ ତାହେଲେ ତା ପୂର୍ବରୁ ମଧ୍ୟ କିଛି ଅଭିଯୁକ୍ତଙ୍କୁ ହାଜର ପାଇଁ ପୁଲିସ ନୋଟିସ୍ କରିପାରେ ବୋଲି ସୂଚନା ଦିଆଯାଇଛି । ବିଶେଷକରି ପତ୍ନୀ ଶ୍ରେୟା ମିଶ୍ର, ମ୍ୟାନେଜର ଦିନେଶ ବେହେରା, ମ୍ୟାନେଜର ଏମ୍ଡି ଆବିଦ ଓ ସହ-କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀଙ୍କୁ ପ୍ରଥମେ ନୋଟିସ୍ କରାଯାଇପାରେ ବୋଲି ପୁଲିସ କହିଛି । ତେବେ ଅଭିଯୋଗର ଫର୍ଦ୍ଦ ଲମ୍ବା ହୋଇଥିବାରୁ ତଦନ୍ତ ମଧ୍ୟ ଦୀର୍ଘ ସମୟ ଲାଗିବ ବୋଲି ପୁଲିସ କହିଛି । ଏବେ ଅଭିଯୁକ୍ତମାନଙ୍କ ଅଡୁଆ ବଢିପାରେ ବୋଲି କୁହାଯାଉଛି ।