ବଲାଙ୍ଗିର, ୮/୧୨ : ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ପାଇଁ ଦାୟୀ ଦୁଇ ମ୍ୟାନେଜର ଏବଂ ଗାୟିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଦୋହରାଇଲେ ମା’ ଶେଫାଳି ଏବଂ ସ୍ତ୍ରୀ ଶ୍ରେୟା। ହ୍ୟୁମାନ ସାଗରଙ୍କ ସ୍ମୃତିରେ ରବିବାର ଟିଟିଲାଗଡ଼ରେ ‘ଓଡ଼ିଶା କଳାକାର ଏକତା ମଞ୍ଚ’ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା । ଓଡ଼ିଶା ଚଳଚ୍ଚିତ୍ର ଜଗତ ସମେତ ସଙ୍ଗୀତ ଦୁନିଆର ଜଣାଶୁଣା ବ୍ୟକ୍ତି ହ୍ୟୁମାନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହି ସମୟରେ ମା’ ଶେଫାଳି ଏବଂ ସ୍ତ୍ରୀ ଶ୍ରେୟା କାର୍ଯ୍ୟାନୁଷ୍ଠାନ ଦାବି ଦୋହରାଇଥିଲେ।
ସୂଚନା ଥାଉକି, ରବିବାର ଅଭିନେତା ଅନୁଭବ ମହାନ୍ତି ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିମାନରେ କଳାହାଣ୍ଡି ଜିଲ୍ଲାର ଉତ୍କେଲା ଏୟାରଷ୍ଟ୍ରିପରେ ଓହ୍ଲାଇ ସଡ଼କପଥରେ ଟିଟିଲାଗଡ଼ରେ ପହଞ୍ଚିଥିଲେ । ପ୍ରଥମେ ହ୍ୟୁମାନଙ୍କ ଘରେ ମା’ ଶେଫାଳିଙ୍କୁ ଭେଟି ଆଶ୍ୱାସନା ଜଣାଇଥିଲେ । ଅନୁଭବ କୋହଭରା କଣ୍ଠରେ କହିଥିଲେ, ସେ ତାଙ୍କର ବଡ଼ପୁଅ ହୋଇ ରହିବେ । ହ୍ୟୁମାନଙ୍କ ବିନା ସେ କିଛି ଭାବି ପାରୁନାହାନ୍ତି । ସମାଧିସ୍ଥଳରେ ଅନୁଭବ ଗଣାମାଧ୍ୟମକୁ କହିଥିଲେ, ହ୍ୟୁମାନ ସହ ତାଙ୍କ ସମ୍ପର୍କ ଭାଇ ଭଳି । ସେ ତାଙ୍କୁ ନ୍ୟାୟ ଦେଇପାରିବେ ନାହଁ । କିନ୍ତୁ ନ୍ୟାୟ ପାଇଁ ନିଶ୍ଚିତ ଲଢ଼ିବେ । ହ୍ୟୁମାନଙ୍କ ମୃତ୍ୟୁର ନିଶ୍ଚିତ ତଦନ୍ତ କରାଯିବା ଉଚିତ । ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଏ ସମ୍ପର୍କରେ ଲିଖିତ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି । ଦୋଷୀମାନେ ନିଶ୍ଚିତ ଦଣ୍ଡ ପାଇବେ । ତଦନ୍ତ ବାଟରେ ଆଗେଇଛି । ଜନସାଧାରଣଙ୍କୁ ଜାଣିବା ପାଇଁ କିଛି ସମୟ ଦିଅନ୍ତୁ । ବହୁତ ଲୋକ ବହୁତ କିଛି କହି ଦେଉଛନ୍ତି । ଏହି ଆଲୋଚନା ତଦନ୍ତରେ ସହାୟତା କରୁଛି ବୋଲି ସେ କହିଥିଲେ ।
ଅନୁଭବ ପରେ ସମାଧିସ୍ଥଳକୁ ଯାଇଥିଲେ । ସମାଧିସ୍ଥଳରେ ସେ ଭାବବିହ୍ୱଳ ହୋଇପଡ଼ିଥିଲେ । ଓଲିଉଡ୍ର ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ମଧ୍ୟ ହ୍ୟୁମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମା’ ଶେଫାଳି ଗଣମାଧ୍ୟମ ଆଗରେ କହିଛନ୍ତି, ବୋହୂର ଦେହ ଭଲ ନାହିଁ । ତଥାପି ସେ ଆସି ମତେ ସମ୍ଭାଳୁଛି । ବୋହୂ ଓ ନାତୁଣୀକୁ ନେଇ ବଞ୍ଚିଛି । ଏ ଯାଏ ଏତଲା ଦେଇନାହିଁ । ପୂର୍ବରୁ ଯାହା ମିଡିଆ ଆଗରେ କହିଛି, ତାହା ହିଁ ସତ୍ୟ ବୋଲି ସେ କୋହଭରା କଣ୍ଠରେ କହିଛନ୍ତି । ସ୍ତ୍ରୀ ଶ୍ରୀୟା ମିଶ୍ର ମଧ୍ୟ ସ୍ୱାମୀଙ୍କୁ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଭୋଭୋ ହୋଇ ମୁଣ୍ଡପିଟି କାନ୍ଦିଥିଲେ । ହ୍ୟୁମାନଙ୍କ ସମାଧିକୁ ଧରି ନିଜକୁ କ'ଣ କରିଦେଲ? ଅଭିମାନ କରି ଏକା କରି ଏମିତି ଚାଲିଗଲ । ଯାହା ସହି ହେଉନାହିଁ ବୋଲି କହିଥିଲେ। ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଅନୁଭବ, ପ୍ରେମ ଆନନ୍ଦ, ଅସୀମା ପଣ୍ଡା, ମଣ୍ଟୁ ଛୁରିଆ, ରୁକୁ ସୁନା, ବିଶ୍ୱ ମୋହନ କବି, ଅର୍ଚ୍ଚନା ପାଢ଼ୀ, ଦୀପ୍ତିରେଖା ପାଢ଼ୀ, ଅଭିଜିତ ମିଶ୍ର, ଅନାମିକା, ସ୍ୱାଗତିକା ପ୍ରମୁଖ ଯୋଗଦେଇ ହ୍ୟୁମାନଙ୍କ ସ୍ମୃତିଚାରଣ କରିଥିଲେ ।