ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ବାବ୍ରି ମସଜିଦ୍ ନିର୍ମାଣକୁ ନେଇ ଥମୁନି ବିବାଦ । ବାବ୍ରି ମସଜିଦ୍ ନିର୍ମାଣ ପାଇଁ ଜିଦ୍ରେ ଅଟଳ ପୂର୍ବତନ ଟିଏମସି ନେତା ତଥା ଜନତା ଉନ୍ନୟନ ପାର୍ଟି ମୁଖ୍ୟ ହୁମାୟୁନ୍ କବୀର । ମଙ୍ଗଳବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାବ୍ରି ମସଜିଦ ସମ୍ପର୍କରେ ଦେଇଥିବା ବୟାନ ଉପରେ କଡ଼ା ଜବାବ ଦେଇଛନ୍ତି ହୁମାୟୁନ୍ । ସେ କହିଛନ୍ତି ଯେ, ସେ ନିଶ୍ଚିତ ଭାବରେ ମୁର୍ଶିଦାବାଦରେ ବାବ୍ରି ମସଜିଦର ଏକ ନକଲ ନିର୍ମାଣ କରିବେ ଏବଂ ତାଙ୍କୁ କେହି ଏଥିରୁ ଅଟକାଇ ପାରିବେ ନାହିଁ। ସେ ଯୋଗୀ ଆଦିତ୍ୟନାଥଙ୍କୁ ସିଧାସଳଖ ଚ୍ୟାଲେଞ୍ଜ କରି କହିଛନ୍ତି କି, "ମୁଁ ଏକ ମସଜିଦ ନିର୍ମାଣ କରିବି, ଯଦି ତୁମେ ପାରିବ ତେବେ ମୋତେ ଅଟକାଅ।" ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ବିବାଦ ଏବେ ତୀବ୍ର ହେବାରେ ଲାଗିଛି, ଯେଉଁଠାରେ ସାମ୍ପ୍ରଦାୟିକ ପ୍ରସଙ୍ଗ ପୁଣି ଥରେ ଉଠୁଛି।
ହୁମାୟୁନ୍ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି…
ମୁର୍ଶିଦାବାଦରେ ହୁମାୟୁନ୍ କବୀର ANIକୁ କହିଛନ୍ତି ଯେ, ଏହା ଲକ୍ଷ୍ନୌ କି ଉତ୍ତର ପ୍ରଦେଶ ନୁହେଁ । ଏହା ହେଉଛି ବେଙ୍ଗଲ, ଯେଉଁଠାରେ ମମତା ବାନାର୍ଜୀ ଶାସନ କରନ୍ତି। ସେ କହିଛନ୍ତି ଯେ, ଭାରତୀୟ ସମ୍ବିଧାନ ଅନୁଯାୟୀ, ମୁସଲମାନ ମାନଙ୍କୁ ମସଜିଦ ନିର୍ମାଣ କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି, ଯେପରି ଅନ୍ୟମାନେ ମନ୍ଦିର କିମ୍ବା ଚର୍ଚ୍ଚ ନିର୍ମାଣ କରନ୍ତି। ହୁମାୟୁନ୍ କବୀର ଘୋଷଣା କରିଥିଲେ ଯେ ସେ ବାବ୍ରି ମସଜିଦ ଭଙ୍ଗାଯିବାର ବାର୍ଷିକୀ, ଡିସେମ୍ବର ୬, ୨୦୨୫ରେ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଏବଂ ୧୧ ଫେବୃଆରୀ ୨୦୨୬ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ସେ କହିଥିଲେ ଯେ ପ୍ରାୟ ୧୨୦୦ ଲୋକ ସକାଳ ୧୦ ଟାରେ କୋରାନ ପାଠ କରିବା ସହିତ କାମ ଆରମ୍ଭ କରିବେ। ହୁମାୟୁନ୍ ଯୋଗୀ ଆଦିତ୍ୟନାଥଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ଯେ, ସେ କାମ ବନ୍ଦ କରି ଦେଖାନ୍ତୁ, କିନ୍ତୁ କହିଛନ୍ତି ଯେ ସେ ଭୟଭୀତ ନୁହଁନ୍ତି ଏବଂ କୌଣସି ଚାପର ବଶବର୍ତ୍ତୀ ହେବେ ନାହିଁ।
କ’ଣ କହିଥିଲେ ଯୋଗୀ ?
ଯୋଗୀ ଆଦିତ୍ୟନାଥ ଆଜି ବାରବାଙ୍କିରେ ଏକ ରାଲିରେ ବାବ୍ରି ମସଜିଦ ସମ୍ପର୍କରେ ଏକ ବଡ ବୟାନ ଦେଇଥିଲେ। ସେ କହିଥିଲେ ଯେ, କେବେବି ବି ମଧ୍ୟ ବାବ୍ରି ମସଜିଦ ପୁନଃନିର୍ମାଣ ହେବ ନାହିଁ । ଯୋଗୀ କହିଥିଲେ କି, ସେମାନଙ୍କର ସ୍ୱପ୍ନ କେବେ ପୂରଣ ହେବ ନାହିଁ। ରାମ ମନ୍ଦିର ବିଷୟରେ ଉଲ୍ଲେଖ କରି ସେ କହିଥିଲେ, "ଆମେ ପ୍ରତିଶ୍ରୁତି ଦେଇଥିଲୁ ଯେ ରାମ ଲଲ୍ଲା ଆସି ସେଠାରେ ମନ୍ଦିର ନିର୍ମାଣ କରିବେ; ଆଜି ସେଠାରେ ମନ୍ଦିର ନିର୍ମାଣ ହୋଇଛି।"
ଏହା ସହ ପଢନ୍ତୁ : "ଆମେରିକା ଆମକୁ ଟଏଲେଟ୍ ପେପର ପରି ବ୍ୟବହାର କରିଥିଲା ଏବଂ ପରେ ପ୍ରତ୍ୟାଖ୍ୟାନ କରିଥିଲା", ବିଷ ଓଗାଳିଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ…