ଭୁବନେଶ୍ୱର,୨୦/୦୪: ଟାଏଁ ଟାଏଁ ଖରା । ଭୀଷଣ ଗୁଳୁଗୁଳି । କଲବଲ ଜନଜୀବନ । ଏମିତି ଛଟପଟ ହେବେ । ନିସ୍ତାର ଆଶା ଦେଖାଯାଉନି । ମଝିରେ ମଝିରେ କାଳବୈଶାଖୀ ହେବ । କିନ୍ତୁ, ସୀମିତ ଅଞ୍ଚଳରେ ବର୍ଷିବ । ବିସ୍ତୃତ ଇଲାକାକୁ ଆଶ୍ୱସ୍ତ କରିବା ସମ୍ଭାବନା କମ୍ ।
ରବିବାର ପାରଦ ଅସ୍ୱାଭାବିକ ଭାବେ ବଢ଼ିଗଲା । ୪୩ ଡିଗ୍ରୀ ସେଲସିୟସ୍ ଡେଇଁଗଲା ତାପମାତ୍ରା । ଝାରସୁଗୁଡ଼ା ୪୩.୩ ଓ ଟିଟିଲାଗଡ଼ ୪୩ । ରାଜ୍ୟର ୧୫ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଯେମିତି ନିଆଁ ମାଡ଼ ହେଲା । ଉପକୂଳରେ ଗରମକୁ ଗୁଳୁଗୁଳି ନୟାନ୍ତ କରିଦେଲା ।
ଗ୍ରୀଷ୍ମ ପ୍ରକୋପ ଦେଖି ଆଉ ୩ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଆଜି ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା, ନୟାଗଡ଼ ଓ ଦେବଗଡ଼ ଜିଲ୍ଲାରେ ସ୍କୁଲ, କଲେଜ, ଅଙ୍ଗନବାଡ଼ି ସମେତ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା ହୋଇଛି । ବରଗଡ଼ରେ ୨୨ ତାରିଖ ଯାଏ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ହୋଇଛି । କଟକ ଜିଲ୍ଲାରେ ସାଢ଼େ ୬ରୁ ୯ଟା ପର୍ଯ୍ୟନ୍ତ ଖୋଲା ରହିବ । ପୂର୍ବରୁ ୯ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ହୋଇଥିଲା ।
ପାଣିପାଗ ବିଭାଗ ସତର୍କ କରାଇ ଦେଇଛି, ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଦିନ ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ସମ୍ଭାବନା ନାହିଁ । ପ୍ରତିଦିନ କିଛି କିଛି ଜାଗାରେ କାଳବୈଶାଖୀ ବର୍ଷା ସମ୍ଭାବନା ଅଛି । ତଥାପି ରାଜ୍ୟରେ ଜାରି ରହିବ ତାତିର ପ୍ରହାର । ୨୩ ତାରିଖ ଯାଏଁ ଗରମ ପ୍ରକୋପ ନେଇ ସତର୍କ ସୂଚନା ଜାରି ହୋଇଛି । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଗରମ ନେଇ ସତର୍କତା ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଦିନ ୧୧ଟାରୁ ଅପରାହ୍ନ ସାଢ଼େ ୩ଟା ପର୍ଯ୍ୟନ୍ତ ପଦାକୁ ଯିବାବେଳେ ସତର୍କ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।
ଝାରସୁଗୁଡ଼ା ଓ ଦେବଗଡ଼ ଟିଟିଲାଗଡ଼ ବାଦ୍ ରବିବାର ସୋନପୁର ତାପମାତ୍ରା ୪୨.୩, ସମ୍ବଲପୁର ୪୨, କେନ୍ଦୁଝର ୪୨, ଭବାନୀପାଟଣା ୪୨. ସୁନ୍ଦରଗଡ଼ ୪୧.୫, ବଲାଙ୍ଗିର ୪୧.୫, ରାଉରକେଲା ୪୧.୫, ଅନୁଗୁଳ ୪୧.୧, ହୀରାକୁଦ ୪୧, ନୂଆପଡ଼ା ୪୧ ଡିଗ୍ରୀ ସେଲସିୟସ୍ ଥିଲା । ଉପକୂଳରେ ବି ତାପମାତ୍ରା ବଢ଼ିଥିଲା । ଚାନ୍ଦବାଲି ୩୮ ଥିବାବେଳେ ଭୁବନେଶ୍ୱର ୩୬.୬ ଡିଗ୍ରୀ ଥିଲା । ତାତିଠୁ ବଳି ଯାଇଥିଲା ଗୁଳୁଗୁଳିର ଯନ୍ତ୍ରଣା । ଅପରାହ୍ନରେ କାଳବୈଶାଖୀ ଯୋଗୁ କଟକ, ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ପାଗ ବଦଳିଥିଲା । ବର୍ତ୍ତମାନ ରାଜ୍ୟରେ ଦିନ ସହ ରାତି ତାପମାତ୍ରା ବି ବଢ଼ିଛି । ଗତ ରାତିରେ ସର୍ବାଧିକ ତାପମାତ୍ରା ୨୭-୨୯ ଡିଗ୍ରୀ ପାଖାପାଖି ଥିଲା ।
ପାଣିପାଗ ବିଭାଗ ଆକଳନ- ସୋମବାର ବଲାଙ୍ଗିର ଓ ସମ୍ବଲପୁର ଜିଲ୍ଲାର ରାତିରେ ବି ଅସ୍ୱାଭାବିକ ଗରମ ଅନୁଭୂତ ହେବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲା ଉପରେ ବିଭିନ୍ନ ସ୍ଥାନରେ ଗରମ ସହ ଗୁଳୁଗୁଳି ଲାଗି ରହିବ । କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲାର ୧/୨ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । କେତେକ ଜାଗାରେ ପବନ ଆଶଙ୍କା ଅଛି । ୨୧ରୁ ପୁଣି ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବଲାଙ୍ଗୀରରେ ହିଟ୍ ୱେଭ (ଗ୍ରୀଷ୍ମ ପ୍ରବାହ) ଛଟପଟ କରିବ ।
୨୩ ଯାଏଁ ପଶ୍ଚିମରେ ହିଟ୍ ୱେଭ ଏବଂ ଉପକୂଳରେ ଗୁଳୁଗୁଳି ନାକେଦମ କରିବ । ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ଚଳିତ ମାସ ଶେଷ ଯାଏଁ ଏମିତି ଗରମ ରହିବ । ମଝିରେ ମଝିରେ ଉପକୂଳ ଏବଂ ପାଖ ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ବର୍ଷା ହୋଇପାରେ । ମାତ୍ର ବଡ଼ ଅଞ୍ଚଳରେ ବର୍ଷା ସମ୍ଭାବନା କମ୍ । ଆଭ୍ୟନ୍ତରୀଣ ଓ ପଶ୍ଚିମରେ ଗରମ ଲାଗି ରହିବ । ୨୬-୨୭ ତାରିଖବେଳକୁ ତାତି ଆହୁରି ବଢ଼ିବା ସହ ପାରଦ ୪୫ ଡିଗ୍ରୀ ଛୁଇଁପାରେ ।