ପ୍ରମୂଖ ଖବର
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଫ୍ଲୋରିଡାରେ ତାଣ୍ଡବ ରଚିଲା ହରିକେନ୍‌ ମିଲଟନ୍‌, ବ୍ୟାପକ କ୍ଷୟକ୍ଷତି ସୂଚନା

Published By : Tapas Panda | October 10, 2024 1:05 PM

ନୂଆଦିଲ୍ଲୀ: ହରିକେନ୍‌ ମିଲଟନ୍ ଗୁରୁବାର ମଧ୍ୟ-ଫ୍ଲୋରିଡାରେ ତାଣ୍ଡବ ରଚିଛି । ଭୟଙ୍କର ବାତ୍ୟା ମିଲଟନ୍‌ ଫ୍ଲୋରିଡା ଉପକୂଳରେ ଲ୍ୟାଣ୍ଡଫଲ୍‌ କରିବା ପରେ କରାଳ ରୂପ ଧାରଣ କରିଛି । ପବନର ବେଗ ଏତେ ଅଧିକ ରହିଛି ଯେ, ଘରଦ୍ବାର ସବୁ ନଷ୍ଟ ହୋଇଯାଇଛି । ବାତ୍ୟା ଯୋଗୁଁ ପ୍ରାୟ ୨୦ ଲକ୍ଷ ଘରେ ବିଜୁଳୀ ସଂଯୋଗ କାଟି ଦିଆଯାଇଛି । ଆମେରିକାର ରାଷ୍ଟ୍ରୀୟ ହରିକେନ୍‌ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ବାତ୍ୟା ମିଲଟନ୍‌ ବୁଧବାର ରାତିରେ ଟାଇପ୍‌ ୩ ବାତ୍ୟାର ରୂପ ନେଇ ସିଏଷ୍ଟୋ କି ପାଖରେ ପହଞ୍ଚିଥିଲା । ଏହି ସମୟରେ ପବନର ବେଗ ୧୨୦ ମାଇଲ୍‌ (୧୯୫ କିମି) ପ୍ରତି ଘଣ୍ଟା ଥିଲା । 

ମିଲଟନ୍‌ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ପଶ୍ଚିମ ମଧ୍ୟ ଫ୍ଲୋରିଡାର କେତେକ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିଛି । ବାତ୍ୟା ପ୍ରଭାବରେ ୧୨୫ ଘର ଭାଙ୍ଗିରୁଜି ଯାଇଥିବା ବେଳେ ଆମେରିକୀୟ ପ୍ରଦେଶରେ ଇନ୍ଧନର ଅଭାବ ଦେଖାଦେଇଛି । ବାତ୍ୟା ଯୋଗୁଁ ପିଇବା ପାଣିର ସପ୍ଲାଇ ପ୍ରଭାବିତ ହୋଇଛି । ଅନେକ ସ୍ଥାନରେ ପାଇପ ଲାଇନ୍‌ ଭାଙ୍ଗି ଯାଇଥିବା ବେଳେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । 

ଫ୍ଲୋରିଡାରେ ଗଲ୍ଫ କୋଷ୍ଟ ଏବଂ ଏହାର ଆଖପାଖ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।  ସେପଟେ ରାଷ୍ଟ୍ରପତି ଜୋ ବାଇଡେନ୍‌  ଫ୍ଲୋରିଡା ଲାଗି ଜରୁରୀ ଘୋଷଣା କରିବା ସହ ଉଦ୍ଧାର କାର୍ଯ୍ୟ ଲାଗି ଅତିରିକ୍ତ ୭ ହଜାର ଯବାନ ନିୟୋଜିତ କରିଛନ୍ତି । ବାତ୍ୟା ମିଲଟନ୍‌ ଯୋଗୁଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ନିଜର ଜର୍ମାନୀ ଏବଂ ଅଙ୍ଗୋଲା ଗସ୍ତ ରଦ୍ଦ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଅପିଲ୍‌ କରିଛନ୍ତି । ଏହା ଜୀବନ ଏବଂ ମୃତ୍ୟୁର ମାମଲା । ଏହା ଫ୍ଲୋରିଡାରେ ଶତାବ୍ଦୀର ସବୁଠୁ ଭୟଙ୍କର ବାତ୍ୟା ହୋଇପାରେ । ସବୁ ଲୋକ ସାବଧାନ ଏବଂ ସୁରକ୍ଷିତ ରହିବାକୁ କହିଛନ୍ତି ଜୋ ବାଇଡେନ୍‌ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.