ନୂଆଦିଲ୍ଲୀ,୨୮/୦୩: ପ୍ରକାଶ ପାଇଛି ହୁରୁନ୍‌  ଗ୍ଲୋବାଲ ଧନୀ ତାଲିକା । ଏଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌  ଅଧ୍ୟକ୍ଷ ମୁକେଶ ଅମ୍ବାନି ଭାରତର ସବୁଠାରୁ ଧନୀ  ବ୍ୟକ୍ତି ମାନ୍ୟତାକୁ ବଜାୟ ରଖିଛନ୍ତି । ତେବେ ଗତବର୍ଷ  ତୁଳନାରେ ତାଙ୍କ ସମ୍ପତ୍ତି ୧ ଲକ୍ଷ କୋଟି ଟଙ୍କା ଖସିବା  ଦ୍ୱାରା ସେ ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରୁ ବାହାରି  ଯାଇଛନ୍ତି । ଅନ୍ୟପକ୍ଷରେ, ସେ ଏବେ ବି ଏସିଆର  ସର୍ବଶ୍ରେଷ୍ଠ ଧନୀ ରହିଥିବା ରିପୋର୍ଟରେ ଉଲ୍ଲେଖ  କରାଯାଇଛି । ଦ୍ୱିତୀୟ ସ୍ଥାନରେ ଅଛନ୍ତି ଆଦାନି ଗ୍ରୁପ୍‌  ଅଧ୍ୟକ୍ଷ ଗୌତମ ଆଦାନି । ସେ ଦେଶରେ ସବୁଠାରୁ  ଅଧିକ ସମ୍ପତ୍ତି ଯୋଡ଼ିଛନ୍ତି । ତାଙ୍କ ନେଟ୍‌ ସମ୍ପତ୍ତିରେ  ୧୩% ବା ୧ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଛି । 

ଏଚ୍‌ସିଏଲ୍‌ର ରୋଶ୍‌ନୀ ନାଦାର ଦେଶର ଧନୀ ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି । ନିକଟରେ ଏଚ୍‌ସିଏଲ୍‌ ପ୍ରତିଷ୍ଠାତା ଶୀବ ନାଦାର ଝିଅ ରୋଶ୍‌ନୀଙ୍କୁ  କମ୍ପାନିର ୪୭% ଅଂଶଧନ ଟ୍ରାନ୍ସଫର କରିଥିଲେ । ଏହି  କାରଣରୁ ପ୍ରଥମ ଥର ରୋଶ୍‌ନୀ ଦେଶର ଟପ୍‌ ଟେନ୍‌  ଧନୀ ତାଲିକାରେ ସାମିଲ ହୋଇଛନ୍ତି । 

ଟେସ୍‌ଲା ଏବଂ  ସ୍ପେସ୍‌ଏକ୍ସ ମୁଖ୍ୟ ଏଲନ୍‌ ମସ୍କ ୩୪.୩୨ ଲକ୍ଷ କୋଟି  ଟଙ୍କାର ନେଟ୍‌ ସମ୍ପତ୍ତି ସହ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଭାବେ ସ୍ଥାନ ବଜାୟ ରଖିଛନ୍ତି । ଡୋନାଲ୍ଡ ଟ୍ରମ୍ପ  ଦ୍ୱିତୀୟ ଥର ଆମେରିକା ରାଷ୍ଟ୍ରପତି ମନୋନୀତ ହେବା  ପରେ ମସ୍କଙ୍କ ନେଟ୍‌ ସମ୍ପତ୍ତିରେ ୮୨% ବା ୧୮୯୦୦  କୋଟି ଡଲାର ବୃଦ୍ଧି ହୋଇଛି । ବିଶ୍ୱ ଧନୀ ତାଲିକାରେ  ଆମାଜନ୍‌ର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ ଦ୍ୱିତୀୟ ସ୍ଥାନରେ  ରହିଛନ୍ତି । 

୨୦୨୫ ହୁରୁନ୍‌ ତାଲିକା ଅନୁସାରେ, ବିଶ୍ୱରେ  ୩,୪୫୬ ଅରବପତି ଅଛନ୍ତି, ଯାହାକି ୨୦୨୪ରେ  ୩,୨୭୯ ଥିଲା । ଏ କ୍ଷେତ୍ରରେ ୫% ବୃଦ୍ଧି ଘଟିଛି ।  ତାଲିକା ଅନୁସାରେ ଭାରତରେ ଅରବପତି ସଂଖ୍ୟା  ୨୦୨୪ର ୨୭୧ ତୁଳନାରେ ୨୮୪କୁ ବୃଦ୍ଧି ପାଇଛି ।  ଏମାନଙ୍କ ମୋଟ ସମ୍ପତ୍ତି ୯୮ ଲକ୍ଷ କୋଟି ଟଙ୍କା ।  ୧୨୯ ଅରବପତିଙ୍କ ସହ ନ୍ୟୁୟର୍କ ବିଶ୍ୱର ଅରବପତି  ରାଜଧାନୀ ରହିଛି । ୯୭ ଅରବପତିଙ୍କ ସହ ଲଣ୍ଡନ  ଏ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ଅଛି । ୯୦ ଅରବପତି  ଥିବା ସତ୍ତେ୍ୱ ମୁମ୍ବାଇ ଏସିଆର ବିଲିୟନେୟାର  ରାଜଧାନୀର ମୁକୁଟ ହରାଇଛି ।