ସୁନ୍ଦରଗଡ଼,୧୮/୧୧ : ସାମାନ୍ୟ କଥାକୁ କେନ୍ଦ୍ର କରି ଭଷ୍ମା ଥାନା ଅନ୍ତର୍ଗତ ଭଷ୍ମା ମୁଣ୍ଡାପଡ଼ାର ଜଣେ ଯୁବକ ତାଙ୍କ ସ୍ତ୍ରୀକୁ ପିଟିପିଟି ମାରି ଦେବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ଏ ନେଇ ମଙ୍ଗଳବାର ଥାନାରେ ଅଭିଯୋଗ ହେବା ପରେ ପୁଲିସ ହତ୍ୟା ମାମଲା ରୁଜୁ କରି ଶବ ଜବତ କରିଛି । ସେହପରି ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
ସୂଚନା ଅନୁସାରେ, ପ୍ରାୟ ୬ ବର୍ଷ ତଳୁ ମୁଣ୍ଡାପଡ଼ାର ରଞ୍ଜିତ ଓରାମ(୨୭) ଝାରସୁଗୁଡ଼ା ଏୟାରପୋର୍ଟ ଥାନା ଅଧୀନ ଟାଙ୍ଗରପାଲି ଗ୍ରାମର ମନୋଜ ମୁଣ୍ଡାଙ୍କ ଭଉଣୀ ଗୀତାଞ୍ଜଳିଙ୍କୁ (୨୨ ନିଜ ଘରକୁ ଆଣି ସ୍ୱାମୀ ସ୍ତ୍ରୀ ଭାବେ ରହି ଆସୁଥିଲେ । ସଂପ୍ରତି ତାଙ୍କ ଏକ ୩ବର୍ଷ ବୟସର ଶିଶୁପୁତ୍ର ରହିଛି । ସୋମବାର ଅପରାହ୍ନରେ ସାମାନ୍ୟ କଥାକୁ କେନ୍ଦ୍ର କରି ସ୍ୱାମୀ ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ରଞ୍ଜିତ ଉତକ୍ଷିପ୍ତ ହୋଇ ସ୍ତ୍ରୀ ଗୀତାଞ୍ଜଳିଙ୍କୁ ପିଟିପିଟି ମାରି ଦେଇଥିଲା । ଗୀତାଞ୍ଜଳିଙ୍କ ଭାଇ ମନୋଜ ଘଟଣା ସମ୍ପର୍କରେ ଜାଣି ଥାନାରେ ଏତଲା ଦେବା ପରେ ଭଷ୍ମା ଥାନା ଅଧିକାରୀ ସୁଶାନ୍ତ ସଦଳବଳ ଘଟଣାସ୍ଥଳରେ ପଂହଚି ତଦନ୍ତ ଚଳାଇଥିଲେ । ପୁଲିସ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପଂହଚି ବିଭିନ୍ନ ନମୁନା ସଂଗ୍ରହ କରିଥିବାବେଳେ ସଦର ଏସଡିପିଓ ନିର୍ମଳ କୁମାର ମହାପାତ୍ର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।
ଏକଜ୍ୟୁଟିଭଙ୍କ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଜବତ କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବାବେଳେ ଜାମିନ ନ ମିଳିବାରୁ ବିଚାର ବିଭାଗୀୟ ଜେଲ ହାଜତରେ ରହିଛନ୍ତି । ବାପ ହାତରେ ମା’ର ଜୀବନ ଯିବା ଓ ହତ୍ୟା ଅଭିଯୋଗରେ ବାପା ଜେଲ ଯିବା ପରେ ଏହି ଦମ୍ପତିଙ୍କ ଶିଶୁପୁତ୍ର ବେସାହାରା ହୋଇ ପଡ଼ିଛି । ଏହି ଶିଶୁର ସୁରକ୍ଷା ତଥା ଉଜ୍ଜଳ ଭବିଷ୍ୟତ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରା ଯିବାକୁ ଦାବି ହେଉଛି ।