ନୂଆଦିଲ୍ଲୀ,୨୮/୧୨: ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ମାମଲା ଭଳି କର୍ଣ୍ଣାଟକରୁ ଆଉ ଏକ ସ୍ତବ୍ଧ କରିଦେବା ଭଳି ମାମଲା ସାମ୍ନାକୁ ଆସିଛି। ବେଙ୍ଗାଲୁରୁର ଜଣେ ବ୍ୟବସାୟୀ ପତ୍ନୀଙ୍କ ଆତ୍ମହତ୍ୟାର ୪୮ ଘଣ୍ଟା ଭିତରେ ଜୀବନ ହାରିଛନ୍ତି। ଏଘଟଣାକୁ ନେଇ ବର୍ତ୍ତମାନ ବେଶ୍ ଚର୍ଚ୍ଚା ହେଉଥିବା ବେଳେ, ପୋଲିସ ତଦନ୍ତ ଜାରି ରଖିଛି।
ସୂଚନା ଅନୁସାରେ, ବଙ୍ଗୋଲୁରୁର ଅନଲାଇନ ଡେଲିଭରି ସର୍ଭିସ୍ ପ୍ରାଞ୍ଚାଇଜି ମାଲିକ ସୂରଜ ଶିବନ୍ନାଙ୍କ ବିବାହ ଚଳିତ ବର୍ଷ ଅକ୍ଟୋବର ୨୯ରେ ହୋଇଥିଲା। ବିବାହର ଦୁଇ ଦିନ ପରେ ହିଁ ଦମ୍ପତି ହନିମୁନରେ ଶ୍ରୀଲଙ୍କା ଯାଇଥିଲେ। ତେବେ ରିପୋର୍ଟ ଅନୁସାରେ, ଉଭୟଙ୍କ ମଧ୍ୟରେ ଶ୍ରୀଲଙ୍କାରୁ ହିଁ ଝଗଡ଼ା ଆରମ୍ଭ ହୋଇଥିଲା। ବେଙ୍ଗାଲୁରୁ ଫେରିବା ପରେ ଶିବନ୍ନାଙ୍କ ପତ୍ନୀ ବାପଘରକୁ ଚାଲିଯାଇଥିଲେ। ଆଉ ମାତ୍ର କିଛି ଘଣ୍ଟାରେ ହିଁ ସେ ଆତ୍ମହତ୍ୟା କରିଦେଇଥିଲେ।
ଏହା ପରେ ମାମଲା ଆହୁରି ବଢ଼ିଯାଇଥିଲା। ଝିଅର ବାପ ଘର ଲୋକ ମୃତ୍ୟୁ ପାଇଁ ସୂରଜ ଏବଂ ତାଙ୍କ ପରିବାର ଲୋକଙ୍କୁ ଦାୟୀ କରିଥିଲେ। ଏମିତିକି ଯୌତୁକ ପାଇଁ ନିର୍ଯାତନା ଦେବା ଏବଂ ଆତ୍ମହତ୍ୟା କରିବା ପାଇଁ ଉସ୍କେଇବା ମାମଲା ମଧ୍ୟ ରୁଜୁ କରାଇଥିଲେ। ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏହା ପରେ ସୂରଜଙ୍କ ଘରେ ପ୍ରାୟ ୩୦ ଜଣ ପଶିଥିଲେ। ସୂରଜଙ୍କ ବିରୋଧରେ ଯୌତୁକ ନିର୍ଯାତନା ମାମଲା ରୁଜୁ ଥିଲା। ପୂରା ପରିବାର ଭୟରେ ଥିଲେ।
ସୂରଜଙ୍କ ଭାଇ ସଞ୍ଜୟ କହିଥିଲେ ଧମକ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଯୋଗୁ ପୂରା ପରିବାର ଡିସେମ୍ବର ୨୫ରେ ବେଙ୍ଗାଲୁରୁରୁ ହାଇଦ୍ରାବାଦ ଚାଲିଯାଇଥିଲେ। ହେଲେ ଶୁକ୍ରବାର ସୂରଜ ୧୦୦୦ କିମି ନାଗପୁର ଚାଲିଯାଇଥିଲେ। ଆଉ ନାଗପୁରର ଏକ ହୋଟେଲରେ ଚେକ ଇନ୍ କରିବାର କିଛି ଘଣ୍ଟା ପରେ ସୂରଜ ମଧ୍ୟ ଫାସୀ ଲଗାଇ ଜୀବନ ହାରିଥିଲେ।
ଘଟଣା ବିଷୟରେ ଜାଣିବା ପରେ ସୂରଜଙ୍କ ପରିବାର ଲୋକେ ନାଗପୁର ପହଞ୍ଚିଥିଲେ। ସୂରଜଙ୍କ ମାଁ ଜୟନ୍ତୀ ପୁଅର ଝୁଲନ୍ତା ଅବସ୍ଥାରେ ଦେଖି ସ୍ତବ୍ଧ ହୋଇପଡ଼ିଥିଲେ। ସେ ମଧ୍ୟ ଜୀବନ ହାରିବାକୁ ଚେଷ୍ଟା କରିଥିବା ଜଣାପଡ଼ିଛି।
ତେବେ ସଞ୍ଜୟ ପରିବାର ଯୌତୁକ କଥାକୁ ଖାରଜ କରିଛନ୍ତି। ସଞ୍ଜୟ କହିଛନ୍ତି ବିବାହର ପୂରା ଖର୍ଚ୍ଚ ସେମାନେ ଉଠାଇଥିଲେ। ସେମାନେ କିଛି ବି ମାଗିନଥିଲେ। ସଞ୍ଜୟ କହିଛନ୍ତି, ସୂରଜ ନିଜ ପତ୍ନୀଙ୍କ ମୃତ୍ୟୁରେ ଅତ୍ୟନ୍ତ ଦୁଃଖୀ ଏବଂ ଭୟଭୀତ ଥିଲେ। ତେବେ ବର୍ତ୍ତମାନ ପୋଲିସ ଏହି ମାମଲାରେ ଯାଞ୍ଚ କରୁଛି। ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା ରହିଛି।