ଖୋର୍ଦ୍ଧା, ୩୦।୫: ବହୁ ଚର୍ଚ୍ଚିତ କାଜୁ ଜଙ୍ଗଲରେ ସ୍ତ୍ରୀକୁ ହତ୍ୟା କରିବା ଘଟଣା । ଜଙ୍କିଆ ଥାନା ଅନ୍ତର୍ଗତ ମଳିପଡ଼ା ଗାଁର ହତ୍ୟାକାରୀ ସ୍ୱାମୀ ଦିପ୍ତମାନ ସାହୁଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି ପ୍ରଥମ ଅତିରିକ୍ତ ଜଜ୍ ଶ୍ରୀମତୀ ମଞ୍ଜୁଲତା ଜେନା । କହିରଖୁ କି, ନୟାଗଡ଼ ଜିଲ୍ଲା ବାଣିଗୋଛା ଥାନା ଅନ୍ତର୍ଗତ ସିନ୍ଧୁରକୁମ୍ପା ଗ୍ରାମର ଦୀପ୍ତିମାନ ସାହୁ ତାଙ୍କ ସ୍ତ୍ରୀ ରୁନିତା ସାହୁ ଜଙ୍କିଆ ଥାନା ମଳିପଡ଼ା ଅଞ୍ଚଳରେ ରହୁଥିଲେ । ଗତ ୨୦୨୦ ମସିହା ଜାନୁଆରୀ ମାସ ୨୧ ତାରିଖରେ ଦୀପ୍ତିମାନ ତାଙ୍କ ସ୍ତ୍ରୀ ରୁନିତାଙ୍କୁ ପୁରୀ ବୁଲାଇବାକୁ ନେଇଥିଲେ । ସେଠାରୁ ଫେରିବା ପରେ ରୁନିତା ନିଖୋଜ ହୋଇଯାଇଥିବା ଦୀପ୍ତିମାନ ଶ୍ୱଶୁର ଘର ଲୋକଙ୍କୁ କହିଥିଲେ ।
ଦୀପ୍ତିମାନଙ୍କ କଥା ଶୁଣିବା ପରେ ଶ୍ୱଶୁର ଘର ଲୋକଙ୍କ ମନରେ ସନ୍ଦେହ ଉପୁଜିଥିଲା । ରୁନିତାଙ୍କ ଭାଇ ବିକାଶ ସାହୁ ଜଙ୍କିଆ ଥାନାରେ ଏନେଇ ଅଭିଯୋଗ କରିଥିଲେ । ପରବର୍ତ୍ତୀ ଅବସ୍ଥାରେ ତଦନ୍ତ କରିବା ପରେ ଜଙ୍କିଆ ପୁଲିସ ମଳିପଡ଼ା ଗ୍ରାମ ପାଟଶ ମୁଣ୍ଡିଆ ଜଙ୍ଗଲରୁ ରୁନିତା ଶବ ଉଦ୍ଧାର କରିଥିଲେ । ଅଭିଯୁକ୍ତ ଦୀପ୍ତିମାନ ଓଢ଼ଣୀରେ ରୁନିତାକୁ ହତ୍ୟା କରିଥିବା ତଦନ୍ତ ସମୟରେ ଜଙ୍କିଆ ପୋଲିସ ଜାଣିବାକୁ ପାଇଥିଲେ । ଉକ୍ତ ମାମଲାର ବିଚାର ପ୍ରଥମ ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟରେ ଚାଲିଥିବାବେଳେ ଶୁକ୍ରବାର କୋର୍ଟ ଅଭିଯୁକ୍ତ ଦୀପ୍ତିମାନ ସାହୁଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଥିବା ଜଣାପଡ଼ିଛି ।