ନୂଆଦିଲ୍ଲୀ,୧୮/୦୫:ହାଇଦ୍ରାବାଦର ଚାରମିନାର ନିକଟ ଗୁଲଜାର୍ ହାଉସରେ ଭୟାବହ ଅଗ୍ନିକାଣ୍ଡ। ନିଆଁର ଆଁରେ ୧୭ ଜଣ ଲୋକ ଜୀବନ୍ତ ଦଗ୍ଧ। ସେହିପରି ୧୫ ଜଣ ଗୁରୁତର ଆହତ ହୋଇଥିବା ବେଳେ ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି।ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛି ଅଗ୍ନିଶମବାହିନୀ।
ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ସେମାନେ ସକାଳ ପ୍ରାୟ ୬ଟା ୩୦ ସମୟରେ ଏକ ଜରୁରୀକାଳୀନ କଲ୍ ପାଇଥିଲେ । ଆଉ ଏହାପରେ ତୁରନ୍ତ ଘଟଣାସ୍ଥଳକୁ ଅଗ୍ନିଶମ ଦଳ ପଠାଇଥିଲେ। ନିଆଁ ଲିଭାଇବା ପାଇଁ ୧୧ଟି ଦମକଳ ଗାଡ଼ି ନିୟୋଜିତ କରାଯାଇଥିଲା । ଅନ୍ୟପଟେ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏହି ଘଟଣାରେ ମର୍ମାହତ ହୋଇଛନ୍ତି ଏବଂ ଅଧିକାରୀମାନଙ୍କୁ ଆହତଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଯେଉଁ ଅଞ୍ଚଳରେ ଏହି ଘଟଣା ଘଟିଛି ସେହି ଅଞ୍ଚଳରେ ଅଳଙ୍କାର ଦୋକାନ ଅଛି ଏବଂ ଏହା ଚାରମିନାର ନିକଟରେ ଅବସ୍ଥିତ। ତେଲେଙ୍ଗାନା ମନ୍ତ୍ରୀ କହିଛନ୍ତି ଯେ, ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇଛି ଏବଂ ହସ୍ପିଟାଲକୁ ପଠାଯାଇଛି ଏଥିସ ରାଜ୍ୟ ସରକାର ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ ସୂଚନା ସେୟାର କରିବେ। ସେହିପରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଅଗ୍ନିକାଣ୍ଡରେ ଜୀବନହାନି ଯୋଗୁଁ ସେ “ଗମ୍ଭୀର ଭାବରେ ମର୍ମାହତ”। ତେବେ ପ୍ରତ୍ୟେକ ମୃତକଙ୍କ ପରିବାରକୁ PMNRF ରୁ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି। ସେହିପରି ଆହତମାନଙ୍କୁ ୫୦,୦୦୦ ଟଙ୍କା ପ୍ରଦାନ କରାଯିବା ନେଇ PMO ଏକ୍ସରେ ସୂଚନା ମିଳିଛି।