ନୂଆଦିଲ୍ଲୀ,୨୧/୧୧; ଦେଶର ପ୍ରଧାନ ବିଚାରପତି ବିଆର ଗଭଇଙ୍କର ଆଜି ଶେଷ କାର୍ଯ୍ୟ ଦିବସ । ନଭେମ୍ବର ୨୩ରେ ସେ ଅବସର ନେବେ । ତାଙ୍କ ସ୍ଥାନରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ୨୪ ତାରିଖରେ ପଦ ସମ୍ଭାଳିବେ । ବିଆର ଗଭଇଙ୍କ ସମ୍ମାନର୍ଥେ ଆଡଭୋକେଟର୍ସ ଅଫ ରେକର୍ଡ ଆସୋସିଏସନ ପକ୍ଷରୁ ବିଦାୟ ସମାରୋହ ଆୟୋଜନ ହୋଇଛି । ବୌଦ୍ଧ ଧର୍ମ ପାଳନ କରେ, କିନ୍ତୁ ମୁଁ ସମସ୍ତ ଧର୍ମରେ ବିଶ୍ୱାସ କରେ ବୋଲି କହିଛନ୍ତି ସିଜେଆଇ ବି. ଆର. ଗଭଇ ।
ବିଦାୟୀ କାର୍ଯ୍ୟକ୍ରମରେ ଭାବୁକ ହୋଇପଡିଛନ୍ତି ସିଜେଆଇ ବିଆର ଗଭଇ । କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଜଷ୍ଟିସ୍ ଗଭଇ କହିଛନ୍ତି, ଯେ ସେ ବୌଦ୍ଧ ଧର୍ମରେ ବିଶ୍ୱାସ କରନ୍ତି । ହେଲେ କୌଣସି ଧର୍ମକୁ ଗଭୀର ଭାବେ ଅଧୟନ କରିନାହାନ୍ତି । ମୁଁ ପ୍ରକୃତରେ ଧର୍ମନିରପେକ୍ଷ ଏବଂ ହିନ୍ଦୁ, ଶିଖ୍, ଇସଲାମ, ଖ୍ରୀଷ୍ଟିଆନ ସବୁ ଧର୍ମକୁ ବିଶ୍ୱାସ କରେ । ଏହା ମୁଁ ମୋ ବାପାଙ୍କ ଠାରୁ ଶିଖିଛି କାରଣ ସେ ଡକ୍ଟର ଆମ୍ବେଦକରଙ୍କ ଉପରେ ବିଶ୍ୱାସ କରୁଥିଲି । କେହି ଜଣେ ତାଙ୍କୁ ଦରଘା ବିଷୟରେ କହିଥିଲେ । ଆମେ ସେଠାକୁ ଯାଉଥିଲୁ । ଦଳିତ ସମ୍ପ୍ରଦାୟରୁ ଆସିଥିବା ପ୍ରଧାନ ବିଚାରପତି ଗଭଇ ତାଙ୍କ ଜୀବନରେ ଡକ୍ଟର ଆମ୍ବେଦକର ଓ ସମ୍ବିଧାନର ମହତ୍ତ୍ବକୁ ସ୍ୱୀକାର କରିଛନ୍ତି । ସେ ଆଜି ଯାହା ବି କିଛି ହୋଇଛନ୍ତି ସମ୍ବିଧାନ ଏବଂ ବିଆର ଆମ୍ବେଦକରଙ୍କ ପାଇଁ ହୋଇଥିବା କହିଛନ୍ତି । ଏଥିପାଇଁ ସର୍ବଦା କୃତଜ୍ଞ ରହିବେ ବୋଲି କହିଛନ୍ତି ।
ବିଦାୟ ସମ୍ବର୍ଦ୍ଧନାରେ ସିଜେଆଇ ଆହୁରି କହିଛନ୍ତି,''ମୁଁ ଭାବୁନାହିଁ ମ୍ୟୁନିସିପାଲିଟି ସ୍କୁଲରେ ତଳେ ବସି ପଢୁଥିବା ଜଣେ ବାଳକ କେବେ ଏପରି ସ୍ୱପ୍ନ ଦେଖିପାରିବ । ମୁଁ ଭାରତୀୟ ସମ୍ବିଧାନର ଚାରି ସ୍ତମ୍ଭ ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭ୍ରାତୃତ୍ୱ ସହିତ ବଞ୍ଚିବାକୁ ଚେଷ୍ଟ କରିବି । ଗତ ୬ ମାସ ମଧ୍ୟରେ ପ୍ରଧାନ ବିଚାରପତି ଏବଂ ସାଢେ ୬ ବର୍ଷ ମଧ୍ୟରେ ସୁପ୍ରିମକୋର୍ଟ ବିଚାରପତି ଭାବରେ ଯାହା କିଛି ହାସଲ କରିଛି ଏହି ଅନୁଷ୍ଠାନ ପାଇଁ । ସୁପ୍ରିକୋର୍ଟ ଏକ ମହାନ ଅନୁଷ୍ଠାନ ।
ଜଷ୍ଟିସ ସୂର୍ଯ୍ୟକାନ୍ତ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ । ସେ ନଭେମ୍ବର ୨୪ ତାରିଖରେ କାର୍ଯ୍ୟଭାର ଗ୍ରହଣ କରିବେ । ଜଷ୍ଟିସ ସୂର୍ଯ୍ୟକାନ୍ତ ଦେଶର ୫୩ତମ ସିଜେଆଇ ଭାବରେ ୧୪ ମାସ ପାଇଁ କାର୍ଯ୍ୟ କରିବେ । ସେ ଫେବୃଆରୀ ୯, ୨୦୨୭ରେ ଅବସର ନେବେ । ତାଙ୍କ ବିଷୟରେ ଗଭଇ କହିଛନ୍ତି ଆମେ ସର୍ବଦା ବନ୍ଧୁ ହୋଇ ରହିବୁ ।