ନୂଆଦିଲ୍ଲୀ,୦୯/୦୮: ବଢିବ ଶେନା ଶକ୍ତି । ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ହେବାକୁ ଯାଉଛି ପ୍ରତିରକ୍ଷା କ୍ଷେତ୍ର । ପୁରୁଣା ଚେତକ ଏବଂ ଚିତା ହେଲିକପ୍ଟରକୁ ବଦଳାଇବା ପାଇଁ ପ୍ରସ୍ତୁତି କରୁଛି ମନ୍ତ୍ରଣାଳୟ । ଏଥିପାଇଁ ପ୍ରାୟ ୨୦୦ଟି ନୂତନ ହାଲୁକା ହେଲିକପ୍ଟର କିଣାଯିବ। ଏହି ହେଲିକପ୍ଟରଗୁଡ଼ିକୁ ଯାଞ୍ଚ ଏବଂ ସର୍ଭେଲାନ୍ସ ହେଲିକପ୍ଟର କୁହାଯାଏ । ଗୁପ୍ତଚର ସୂଚନା ସଂଗ୍ରହ ଏବଂ ପରିସ୍ଥିତି ବିଷୟରେ ସୂଚନା ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ । ଭାରତୀୟ ସେନା ଏବଂ ବାୟୁସେନା ଉଭୟ ପାଇଁ କାମ କରିବେ ଏହି ହେଲିକପ୍ଟର । ସେନାକୁ ୧୨୦ଟି ଏବଂ ବାୟୁସେନାକୁ ୮୦ ଟି ହେଲିକପ୍ଟର ଆବଶ୍ୟକ ରହିଛି । ପ୍ରକ୍ରିୟାକୁ ଆଗକୁ ନେବାକୁ ମନ୍ତ୍ରଣାଳୟ ପକ୍ଷରୁ ଆରଏଫଆଇ ବା ରିକ୍ୱେଷ୍ଟ ଫର ଇନ୍ଫରମେସନ ଜାରି କରାଯାଇଛି ।
ବିଶେଷତ୍ୱ କ’ଣ ? ନୂଆ ହେଲିକପ୍ଟରଗୁଡ଼ିକ ଅନେକ କାର୍ଯ୍ୟ କରିବ । ସୀମାବର୍ତ୍ତୀ ଅଞ୍ଚଳରେ ଯାଞ୍ଚ ଏବଂ ସର୍ଭେଲାନ୍ସ କରିବେ । ସ୍ୱତନ୍ତ୍ର ମିଶନ କିମ୍ବା କୁଇକ୍ ରେସପନ୍ସ ଟିମକୁ ଘଟଣାସ୍ଥଳରେ ପହଞ୍ଚାଇବ ଗ୍ରାଉଣ୍ଡ ମିଲିଟାରୀ ଅପରେସନରେ ସହାୟତା ସୈନ୍ୟ ଓ ସରଞ୍ଜାମ ପରିବହନ କରିବ । ଆକ୍ରମଣାତ୍ମକ ହେଲିକପ୍ଟର ସହ ସ୍କାଉଟିଂ କରିବ । ସର୍ଚ୍ଚ ଓ ରେସ୍କ୍ୟୁ ସମେତ ଆହତଙ୍କୁ ସ୍ଥାନାନ୍ତର କରାଇବାରେ ସହାୟତା ସହ ଜରୁରୀକାଳୀନ ପରିସ୍ଥିତିରେ ବେସାମରିକ ପ୍ରଶାସନକୁ ସହାୟତା ପ୍ରଦାନ କରିବ । ଭାରତୀୟ ବାୟୁସେନା ପୂର୍ବରୁ ଅନେକ ଉପଯୋଗୀ ହେଲିକପ୍ଟର କିଣିବାକୁ ଯୋଜନା କରିଥିଲା । ସଂସଦରେ ଉପସ୍ଥାପିତ ପ୍ରତିରକ୍ଷା ସ୍ଥାୟୀ କମିଟିର ରିପୋର୍ଟ ଅନୁଯାୟୀ ୨୦୨୫-୨୬ ପାଇଁ କିଛି ସ୍ୱତନ୍ତ୍ର ଯୋଜନା ରହିଛି । ଏଥିରେ ଲୋ-ଲେବଲ ରାଡାର, ହାଲୁକା ଯୁଦ୍ଧ ବିମାନ (LCA), ହାଲୁକା ଉପଯୋଗୀ ହେଲିକପ୍ଟର (LUH), ମଲ୍ଟିରୋଲ ହେଲିକପ୍ଟର ରହିଛି ।
ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (HAL) ରୁ ୪୫,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୫୬ଟି ହାଲୁକା ଯୁଦ୍ଧ ହେଲିକପ୍ଟର କ୍ରୟକୁ ଅନୁମୋଦନ କରିଛି । ଏହି ହେଲିକପ୍ଟରଗୁଡ଼ିକ ସେନା ଏବଂ ବାୟୁସେନା ଉଭୟ ପାଇଁ ହେବ। ଏଗୁଡ଼ିକୁ ଚୀନ୍ ଏବଂ ପାକିସ୍ତାନ ସୀମାରେ ବ୍ୟବହାର କରାଯିବ। ପ୍ରତିରକ୍ଷା ସୂତ୍ର କହିଛନ୍ତି ଯେ ଏହା ଦେଶରେ ନିଯୁକ୍ତି ବୃଦ୍ଧି କରିବ ଏବଂ ମହାକାଶ ଇକୋସିଷ୍ଟମକୁ ବିସ୍ତାର କରିବ।
ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବ ଭାରତ- ଏହି ପଦକ୍ଷେପ ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବାରେ ସାହାଯ୍ୟ କରିବ । ଏହା ଦେଶରେ ନିଯୁକ୍ତି ସୁଯୋଗ ମଧ୍ୟ ବଢିବ । ଏହା ସହିତ, ଭାରତୀୟ ସେନା ଏବଂ ବାୟୁସେନାର ଶକ୍ତି ବୃଦ୍ଧି ପାଇବ। ନୂଆ ହେଲିକପ୍ଟରଗୁଡ଼ିକ ଆଧୁନିକ ଟେକ୍ନୋଲୋଜିରେ ଖଞ୍ଜା ହେବ । ସମସ୍ତ ପ୍ରକାର ପରିସ୍ଥିତିରେ କାର୍ଯ୍ୟ କରିବାକୁ ସକ୍ଷମ ହେବ । ଦେଶର ସୁରକ୍ଷାକୁ ଆହୁରି ମଜବୁତ୍ କରିବ । ସରକାରଙ୍କ ଏହି ନିଷ୍ପତ୍ତି ଦେଶ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ।