ଭୁବନେଶ୍ୱର ୦୬/୦୬ : ଚାକିରିରେ ଯୋଗ ଦେଲେ ଆଇଏଏସ୍ ଧୀମାନ ଚକମା । ଜେଲ୍ରୁ ଫେରିବା ପରେ ଆଇଏଏସ୍ ଧୀମାନ ଚକମା ପୁଣି ଚାକିରିକୁ ଫେରିଛନ୍ତି। ରାଜସ୍ୱ ବିଭାଗର ଉପ-ସଚିବ ଭାବେ ନିଯୁକ୍ତି ମିଳିଛି।

ସୂଚନା ଅନୁଯାୟୀ, ରାଜ୍ୟର ବହୁ ଚର୍ଚ୍ଚିତ ଭିଜିଲାନ୍ସ ମାମଲାରେ ଏବର୍ଷ ବହୁତ ଚର୍ଚ୍ଚାରେ ଥିଲା କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଜିଲ୍ଲାପାଳ ତଥା ଆଇଏଏସ ଧୀମାନ ଚକମା ଧରାପଡ଼ିବା ଘଟଣା । ତାଙ୍କ ଜାମିନ ନାମଞ୍ଜୁର ହେବା ସହ ଜେଲ ଯିବାକୁ ପଡ଼ିଥିଲା । ଜଣେ ଆଇଏଏସ ଭିଜିଲାନ୍ସ ମାମଲାରେ ଜେଲଯିବା ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ୨୦୨୫ ଜୁନ ୮ତାରିଖ ରାତିରେ ଭିଜିଲାନ୍ସ ଟିମ୍ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ସରକାରୀ ବାସଭବନରେ ଚଢଉ କରିଥିଲା । ଲଘୁଖଣି ବ୍ୟବସାୟୀ ହର୍ଷ ବର୍ଦ୍ଧନ ବେହେରାଙ୍କ ଅଭିଯୋଗକ୍ରମେ ଏହି ଚଢ଼ଉ ହୋଇଥିଲା । ଶ୍ରୀ ବେହେରାଙ୍କ ଜୟପାଟଣା କ୍ରସରକୁ ଚଲାଇ ନଦେବା ପାଇଁ ଉପଜିଲ୍ଲାପାଳ ଧୀମାନ ଚକମା ଭୟଭୀତ କରିଥିଲେ । କ୍ରସରର ବେଆଇନ କାର୍ଯ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେବାକୁ ୨୦ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ତାହାର ପ୍ରଥମକିସ୍ତି ଦେବାକୁ କ୍ରସର ମାଲିକ ରାତିରେ ସରକାରୀ ବାସଭବନ ପହଞ୍ଚିଥିଲେ । ତାଙ୍କ ସହ ପୂର୍ବ ପ୍ରସ୍ତୁତିରେ ଥିବା ଭିଜିଲାନ୍ସ ଟିମ୍ ମାଡ଼ି ବସି ରାସାୟନିକ ବୋଳା ଶହେ ଟଙ୍କିଆ ନୋଟ୍ ୨୬ଟି ବିଡ଼ାରେ ୧୦ଲକ୍ଷ ଲାଞ୍ଚ ଟଙ୍କା ଜବତ କରିଥିଲା । ପରବର୍ତ୍ତି ଯାଞ୍ଚରେ ୪୭ଲକ୍ଷ ୪୭ହଜାର ୬୦୦ଟଙ୍କା ମଧ୍ୟ ଜବତ ହୋଇଥିଲା ।

ଅଧିକ ପଢ଼ନ୍ତୁ :-  Elephant death : ସଙ୍ଘାପଶି ଖସଡ଼ା ଜଙ୍ଗଲରୁ ହାତୀ ଛୁଆର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଧିମାନଙ୍କ ତ୍ରିପୁରା ସ୍ଥିତ ଘରେ ମଧ୍ୟ ଚଢାଉ କରିଥିଲା ଭିଜିଲାନ୍ସ । ଏଠାରୁ ମଧ୍ୟ ଭିଜିଲାନ୍ସ ଅନେକ ତଥ୍ୟ ମିଳିଥିଲା ।ତେବେ ଭିଜିଲାନ୍ସ ହାତରେ ଧରାପଡିବା ପରେ ଗିରଫ କରାଯାଇଥିଲା । ଏହାପରେ ତାଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ ରାଜ୍ୟ ସରକାର। ଏବେ ପୁଣି ସେ ଚାକିରିରେ ଯୋଗ ଦେଇଛନ୍ତି। ରାଜସ୍ୱ ବିଭାଗରେ ଉପ ସଚିବ ଭାବେ ତାଙ୍କୁ ମେ ମାସ ୨୧ ତାରିଖରେ ନିଯୁକ୍ତି ମିଳିବା ପରେ ଏବେ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି ।