ରିଆମାଳ, ୬/୬ : ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ସଙ୍ଘାପଶି ଖସଡ଼ା ଜଙ୍ଗଲରୁ ହାତୀ ଛୁଆର ମୃତଦେହ ଉଦ୍ଧାର। ମୃତ ହାତୀଟି ଏକ ଅଣ୍ଡିରା ହାତୀ ଶାବକ ବୋଲି ଜଣାପଡ଼ିଛି। ତେବେ ହାତୀ ଛୁଆର କେମିତି ମୃତ୍ୟୁ ତାହା ଅସ୍ପଷ୍ଟ ରହିଛି। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ତଦନ୍ତ କରୁଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କୁହାଯାଉଛି।
ସୂଚନା ଅନୁସାରେ, ଶୁକ୍ରବାର ଅପରାହ୍ନ ସମୟରେ ଅନୁଗୁଳ ଜିଲ୍ଲା ପଟୁ ଦଳବଦ୍ଧ ଭାବେ ହାତୀପଲ ଆସିଥିଲେ। ମାତ୍ର କୌଣସି କାରଣରୁ ଏହି ଅଣ୍ଡିରା ହାତୀ ଛୁଆର ମୃତ୍ୟୁ ଘଟିଥିଲା। ଆଜି ସକାଳ ହେବାରୁ ଅନ୍ୟ ହାତୀ ଛାଡ଼ି ଯାଇଥିଲେ। ଫଳରେ କିଛି ସ୍ଥାନୀୟ ଜନସାଧାରଣ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଫରେଷ୍ଟର ମନ୍ମଥ ବେହେରା, ଫରେଷ୍ଟ ଗାର୍ଡ ବାହାନ ବେହେରା ସଦଳବଳେ ପହଞ୍ଚି ହାତୀ ଶାବକର ଶବ ଜବତ କରି ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ରେଞ୍ଜର ନିରଞ୍ଜନ ଧରୁଆଙ୍କ ସମେତ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଁଚି ତଦନ୍ତ କରିବା ସହିତ ଶବ ବ୍ୟବଚ୍ଛେଦ ପରେ ଘଟଣା ସମ୍ପର୍କରେ ଜଣା ପଡିବ ବୋଲି କହିଛନ୍ତି।
ଆହୁରି ପଢନ୍ତୁ- Heatwave : ରାଜଧାନୀରେ ତାତିର ଥାର୍ଡ ଡିଗ୍ରୀ, ୪୯ ଡିଗ୍ରୀ ପରି ଗରମ ଅନୁଭୂତ
କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବକଙ୍କ ଆତ୍ମହତ୍ୟା,ଥାନାରେ ଏତଲା ଦେଲେ ବାପା