ନୂଆଦିଲ୍ଲୀ,୧୯/୦୨: ଭାରତୀୟଙ୍କ ଭାବପ୍ରବଣତା ସହ ଜଡ଼ିତ କ୍ରିକେଟ୍‌ । ସବୁ ସମୟରେ କ୍ରିକେଟ୍‌ ତା’ର ଲୋକପ୍ରିୟତା ହାସଲ କରିଛି । ଏବେ ମୋବାଇଲ ଯୁଗରେ ଏହାର ପହଞ୍ଚ ସବୁ ସୀମା ସରହଦ ଅତିକ୍ରମ କରିଛି । ଦିନକୁ ଦିନ କ୍ରିକେଟ୍‌ପ୍ରେମୀ ଅଧିକ ଭାବବିହ୍ୱଳ ହୋଇ ପଡ଼ୁଛନ୍ତି । ଦୀର୍ଘ ୬ ମାସରୁ ଉର୍ଦ୍ଧ୍ବ ସମୟ ଧରି କ୍ରିକେଟରେ ଯେଉଁ କଥା ଅଧିକ ଆଲୋଚନା ହେଉଥିଲା ତାହା ଥିଲା ଆଇସିସି ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ  । ଆଜିଠୁ ଏହି ସମ୍ମାନଜନକ ଟ୍ରଫି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଛି ।  ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଏହା ପାକିସ୍ତାନ ଓ ୟୁନାଇଟେଡ୍‌ ଆରବ ଏମିରେଟ୍ସରେ ଆୟୋଜିତ ହେବ । ଏହାକୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଢ଼ୁଛି । କାରଣ ଦିନିକିଆ ବିଶ୍ୱକପ୍‌ ପରେ ଏହାକୁ ‘ମିନି’ ବିଶ୍ୱକପ୍‌ ବୋଲି କୁହାଯାଏ । ଆଇସିସି ମାନ୍ୟତା ତାଲିକାର ଶ୍ରେଷ୍ଠ ୮ଟି ଦଳ ଏଥର ଚାମ୍ପିଅନ୍ସ ଟ୍ରଫିରେ ଭାଗ ନେଇଛନ୍ତି ।

୧୯୯୮୯ରୁ ଆରମ୍ଭ- ଆଇସିସି ଚାମ୍ପିଅନ୍ସ ଟ୍ରଫି ୧୯୯୮ ମସିହାରୁ  ଆୟୋଜିତ ହୋଇ ଆସୁଛି । ପ୍ରଥମ ସଂସ୍କରଣ ବାଂଲାଦେଶରେ ଆୟୋଜନ କରାଯାଇଥିଲା । ଏହାର ଦୁଇ ବର୍ଷ ପରେ ୨୦୦୦ ମସିହାରେ ଦ୍ୱିତୀୟ ସଂସ୍କରଣ କେନିଆରେ, ୨୦୦୨ରେ ତୃତୀୟ ସଂସ୍କରଣ ଶ୍ରୀଲଙ୍କାରେ, ୨୦୦୪ରେ ଚତୁର୍ଥ ସଂସ୍କରଣ ଇଂଲଣ୍ଡରେ, ୨୦୦୬ରେ ପଞ୍ଚମ ସଂସ୍କରଣ ଭାରତରେ, ୨୦୦୯ରେ ଷଷ୍ଠ ସଂସ୍କରଣ ଦକ୍ଷିଣ ଆଫ୍ରିକାରେ, ୨୦୧୩ ସପ୍ତମ ଓ ୨୦୧୭ ଅଷ୍ଟମ ସଂସ୍କରଣ ଇଂଲଣ୍ଡରେ ଆୟୋଜନ କରାଯାଇଥିଲା । ଏହାପରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ ବନ୍ଦ ରହିଥିଲା । ୧୯୯୮ ପ୍ରଥମ ସଂସ୍କରଣରେ ଏହାର ନାମ ରଖାଯାଇଥିଲା ଆଇସିସି ନକ୍‌ଆଉଟ୍‌ ଟ୍ରଫି । ମାତ୍ର ୨୦୦୦ ସଂସ୍କରଣ ଠାରୁ ଏହାକୁ ଆଇସିସି ଚାମ୍ପିଅନ୍ସ ଟ୍ରଫି ନାମରେ ନାମିତ କରାଯାଇଛି ।

୮ଦଳ ୧୫ ମ୍ୟାଚ୍- ୨୦୧୭ ଠାରୁ ସ୍ଥଗିତ ରହିଥିବା ଚାମ୍ପିଅନ୍ସ ଟ୍ରଫିକୁ ପୁନଃ ଆରମ୍ଭ କରିବା ନେଇ ଆଇସିସି ନିଷ୍ପତ୍ତି ନେଇଥିଲା । ୨୦୨୫ ସଂସ୍କରଣ ଆୟୋଜନ ଅଧିକାର ପାକିସ୍ତାନକୁ ପ୍ରଦାନ କରାଯାଇଥିଲା । ୨୦୨୪ ନଭେମ୍ବର ୧୩ ତାରିଖରେ ଏହି ସଂସ୍କରଣର ଲୋଗୋ ଏବଂ ସଙ୍ଗୀତ ଉନ୍ମୋଚନ କରାଯାଇଥିଲା । ମୋଟ୍‌ ୮ଟି ଦଳ ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଛନ୍ତି ।  ଗ୍ରୁପ୍‌ରୁ ଫାଇନାଲ ଯାଏ ମୋଟ୍‌ ୧୫ଟି ମ୍ୟାଚ୍‌ ଖେଳାଯିବ । ପାକିସ୍ତାନରେ ୩ଟି ଷ୍ଟାଡିୟମ ଯଥା- କରାଚୀ, ଲାହୋର ଓ ରାୱଲପିଣ୍ଡି ଏବଂ ଦୁବାଇର ଇଣ୍ଟରନ୍ୟାସନାଲ କ୍ରିକେଟ୍‌ ଷ୍ଟାଡିୟମରେ ମ୍ୟାଚ୍‌ ଗୁଡ଼ିକ ଖେଳାଯିବ । ଗ୍ରୁପ୍‌ର ଶ୍ରେଷ୍ଠ ୨ଟି ଲେଖାଏଁ ଦଳ ସେମି ଫାଇନାଲକୁ ଉନ୍ନୀତ ହେବେ । ଶେଷରେ ମାର୍ଚ୍ଚ ୯ ତାରିଖରେ ଫାଇନାଲ ମ୍ୟାଚ୍‌ ଖେଳାଯିବ । ଭାରତ ତା’ର ସମସ୍ତ ମ୍ୟାଚ୍‌ ୟୁନାଇଟେଡ୍‌ ଆରବ ଏମିରେଟ୍ସ ବା ୟୁଏଇରେ ଖେଳିବ । ଏଥର ଚାମ୍ପିଅନ୍ସ ଟ୍ରଫିରେ ଯଦି ଭାରତ ସେମି ଫାଇନାଲ ଏବଂ ଫାଇନାଲକୁ ଉନ୍ନୀତ ହୁଏ ତେବେ ଏହି ମ୍ୟାଚ୍‌ ଗୁଡ଼ିକ ପାକିସ୍ତାନ ପରିବର୍ତ୍ତେ ୟୁଏଇରେ ଖେଳାଯିବ ।

୨୯ ବର୍ଷ ପରେ ICC ଟୁର୍ଣ୍ଣାମେଣ୍ଟ- ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ଆର୍ଥିକ ଦୂରବସ୍ଥା ଯୋଗୁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଦୀର୍ଘ ବର୍ଷ ଧରି ଆଇସିସିର ଟୁର୍ଣ୍ଣାମେଣ୍ଟ ଆୟୋଜନ କରିପାରି ନଥିଲା । ଶେଷ ଥର ପାକିସ୍ତାନରେ ୧୯୯୬ ବିଶ୍ୱକପ୍‌ ଖେଳାଯାଇଥିଲା । ଦୀର୍ଘ ୨୯ ବର୍ଷ ପରେ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟ ପାଇଁ କରାଚୀ, ଲାହୋର ଓ ରାୱଲପିଣ୍ଡି ଷ୍ଟାଡିୟମର ପୁନରୁଦ୍ଧାର ହୋଇଛି । ଏଥିପାଇଁ ପିସିବି ୧୮ ବିଲିୟନ ପାକ୍‌ ମୁଦ୍ରା ଖର୍ଚ୍ଚ କରିଛି । ଦୀର୍ଘ ବର୍ଷ ହେଲା ଷ୍ଟାଡିୟମ ଗୁଡ଼ିକ ପୁନରୁଦ୍ଧାର ନ ହୋଇ ପଡ଼ି ରହିଥିଲା । ଚାମ୍ପିଅନ୍ସ ଟ୍ରଫି ପାଇଁ ପିସିବି ଏହି ଷ୍ଟାଡିୟମ ଗୁଡ଼ିକ ନୂଆ ରୂପ ଦେଇଛି ।

ବାଂଲାଦେଶ ବିପକ୍ଷରେ ଇଣ୍ଡିଆର ଅଭିଯାନ- ଗ୍ରୁପ୍‌ ଏ’ରେ ଭାରତ, ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ରହିଛନ୍ତି । ଆସନ୍ତାକାଲି (ଗୁରୁବାର) ଭାରତ ତା’ର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ଭେଟିବ । ୨୩ ତାରିଖରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ  ପାକିସ୍ତାନ ସହ ମ୍ୟାଚ ଖେଳିବ ରୋହିତସେନା । ଉଭୟ ଦଳ କେବଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହୋଇଥାନ୍ତି । ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ । ପୂର୍ବ ପ୍ରଦର୍ଶନ ଆଧାରରେ ଭାରତ ଓ ଅଷ୍ଟ୍ରେଲିଆ ଏଥର ମଧ୍ୟ ଚାମ୍ପିଅନ ହେବାକୁ ଦାବିଦାର ରହିଛନ୍ତି । ଉଭୟ ଦଳ ପୂର୍ବରୁ ୨ ଥର ଲେଖାଏଁ ଟ୍ରଫି ଜିତିଛନ୍ତି । ଭାରତ ୨୦୦୨ ଓ ୨୦୧୩ ଏବଂ ଅଷ୍ଟ୍ରେଲିଆ ୨୦୦୬ ଓ ୨୦୦୯ ସଂସ୍କରଣରେ ଚାମ୍ପିଅନ ହୋଇଥିଲା । ସେହିପରି ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ ଓ ପାକିସ୍ତାନ ଥରୁଟିଏ ଲେଖାଏଁ ଟାଇଟଲ ଜିତିଛନ୍ତି । ତେଣୁ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ ଓ ଆୟୋଜକ ପାକିସ୍ତାନକୁ ଟାଇଟଲ ଦୌଡ଼ରୁ ବାଦ ଦିଆଯାଇ ନପାରେ । ଇଂଲଣ୍ଡ ୨ ଥର ଫାଇନାଲ ଖେଳିଥିଲେ ବି ଚାମ୍ପିଅନ ହେବାର ସୌଭାଗ୍ୟ ଲାଭ କରିପାରି ନାହିଁ । ଆଫଗାନିସ୍ତାନ ଏଥର ପ୍ରଥମ ଥର ମିନି ବିଶ୍ୱକପ୍‌ ଖେଳିବାକୁ ଯାଉଛି । ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ ଭଳି ଦଳ ଯୋଗ୍ୟତା ହାସଲ କରିପାରି ନାହାନ୍ତି ।

ରୋହିତଙ୍କଠୁ ଆଉ ଏକ ଟ୍ରଫି ଆଶା- ରୋହିତଙ୍କ ନେତୃତ୍ବରେ ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତ ଚାମ୍ପିଅନ କରାଇଥିଲେ । ତାଙ୍କ ପାଖରେ ତୃତୀୟ ଚାମ୍ପିଅନ୍ସ ଟ୍ରଫି ଜିତାଇବାର ସୁଯୋଗ ରହିଛି । ଚାମ୍ପିଅନ୍ସ ଟ୍ରଫି ପାଇଁ ଘୋଷିତ ଦଳରେ ସମସ୍ତେ ଜଣେ ଜଣେ ଷ୍ଟାର ଖେଳାଳି । ରୋହିତ, ବିରାଟ, ଗିଲ, ପନ୍ତ, ରାହୁଲ ଓ ପାଣ୍ଡ୍ୟା ଫର୍ମରେ ରହିଲେ ବିଶ୍ୱର ଯେ କୌଣସି ଦଳକୁ ଭାରତ ପରାଜିତ କରିପାରିବ । ସେମିତି ବୋଲିଂରେ ହର୍ଷିତ, ମହମ୍ମଦ ସାମି, ଜାଡେଜା, ଅକ୍ଷର, ଅର୍ଶଦୀପ ଓ ୱାସିଂଟନ ସୁନ୍ଦର ରହିଛନ୍ତି । ଗତ ଦିନିକିଆ ବିଶ୍ୱକପ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ସାମି ଦଳକୁ ଫେରିବା ବୋଲିଂ ବାହିନୀକୁ ଅଧିକ ସନ୍ତୁଳିତ ଓ ଶକ୍ତ କରିଛି । 

ଖେଳିବେନି ବୁମରା- ଗତ ଜାନୁଆରୀ ୧୮ ତାରିଖରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଘୋଷଣା ହୋଇଥିଲା । ଦଳରେ ଶୁଭମନ ଗିଲଙ୍କୁ ଉପ ଅଧିନାୟକ କରାଯାଇଛି । ଭେଟେରାନ ବିରାଟ କୋହଲି, ଯଶସ୍ୱୀ ଜୈସ୍ୱାଲ, ଶ୍ରେୟାସ ଆୟର, ଲୋକେଶ ରାହୁଲ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ ସାମି, ଯଶପ୍ରୀତ ବୁମରା ଓ ଅର୍ଶଦୀପ ସିଂ ଦଳରେ ରହିଥିଲେ । ବୁମରା ସଂପୂର୍ଣ୍ଣ ଫିଟ୍‌ ହୋଇ ନଥିବାରୁ ଶେଷରେ ତାଙ୍କୁ ବାଦ ଦିଆଯାଇଛି । ତାଙ୍କ ସ୍ଥାନରେ ହର୍ଷିତ ରାଣାଙ୍କୁ ସାମିଲ କରାଯାଇଛି ।

ପାକ୍ ଷ୍ଟାଡିୟମରେ ଉଡିବନି ତ୍ରିରଙ୍ଗା- ପାକିସ୍ତାନର ୩ ଷ୍ଟାଡିୟମ କରାଚୀ, ଲାହୋର ଏବଂ ରାୱଲପିଣ୍ଡି ଚାମ୍ପିଅନ୍ସ ଟ୍ରଫି ପାଇଁ ପ୍ରସ୍ତୁତ ହୋଇଛି । ଆଜି ଆୟୋଜକ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କରାଚୀ ଷ୍ଟାଡିୟମରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ । ପ୍ରତ୍ୟେକ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ସମସ୍ତ ଦେଶର ପତାକା ଲଗା ଯାଇଛି । କିନ୍ତୁ ଭାରତୀୟ ପତାକା ଲଗାଯାଇ ନାହିଁ ।  ଏନେଇ ସୋସିଆଲ ମିଡିଆରେ ପ୍ରଶଂସକ ଘୋର ନିନ୍ଦା କରିଥିଲେ । ଏହାପରେ ପିସିବି (ପାକିସ୍ତାନ କ୍ରିକେଟ୍‌ ବୋର୍ଡ) ନିରବତା ଭଙ୍ଗ କରି ଏହାର କାରଣ ଦର୍ଶାଇଛି । ପିସିବି ପକ୍ଷରୁ କୁହାଯାଇଛି ଯେ, ଭାରତୀୟ ଦଳ ପାକିସ୍ତାନ ଆସି ମ୍ୟାଚ ଖେଳିବ ନାହିଁ । ତେଣୁ ଭାରତର ପତାକାକୁ ଆମେ ଷ୍ଟାଡିୟମରେ ଲଗାଇ ନାହୁଁ ।’

କ୍ରୀଡାସୂଚୀ-

ଗ୍ରୁପ-ଏ: ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ, ବାଂଲାଦେଶ ଗ୍ରୁପ୍‌-ବି: ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ 

୧୯ା୨ା୨୫ ପାକିସ୍ତାନ ବନାମ ନ୍ୟୁଜିଲାଣ୍ଡ କରାଚୀ ୨.୩୦ 

୨୦ା୨ା୨୫ ଭାରତ ବନାମ ବାଂଲାଦେଶ ଦୁବାଇ ୨.୩୦ 

୨୧ା୨ା୨୫ ଆଫଗାନିସ୍ତାନ ବନାମ ଦ.ଆଫ୍ରିକା କରାଚୀ ୨.୩୦ 

୨୨ା୨ା୨୫ ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ଲାହୋର ୨.୩୦ 

୨୩ା୨ା୨୫ ଭାରତ ବନାମ ପାକିସ୍ତାନ ଦୁବାଇ ୨.୩୦ 

୨୪ା୨ା୨୫ ବାଂଲାଦେଶ ବନାମ ନ୍ୟୁଜିଲାଣ୍ଡ ରାୱଲପିଣ୍ଡି ୨.୩୦ 

୨୫ା୨ା୨୫ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା ରାୱଲପିଣ୍ଡି ୨.୩୦ 

୨୬ା୨ା୨୫ ଆଫଗାନିସ୍ତାନ ବନାମ ଇଂଲଣ୍ଡ ଲାହୋର ୨.୩୦ 

୨୭ା୨ା୨୫ ପାକିସ୍ତାନ ବନାମ ବାଂଲାଦେଶ ରାୱଲପିଣ୍ଡି ୨.୩୦ 

୨୮ା୨ା୨୫ ଆଫଗାନିସ୍ତାନ ବନାମ ଅଷ୍ଟ୍ରେଲିଆ ଲାହୋର ୨.୩୦ 

୧ା୩ା୨୫ ଦକ୍ଷିଣ ଆଫ୍ରିକା ବନାମ ଇଂଲଣ୍ଡ କରାଚୀ ୨.୩୦ 

୨ା୩ା୨୫ ଭାରତ ବନାମ ନ୍ୟୁଜିଲାଣ୍ଡ ଦୁବାଇ ୨.୩୦ 

୪ା୩ା୨୫ ପ୍ରଥମ ସେମି ଫାଇନାଲ୍‌ ଦୁବାଇ ୨.୩୦ 

୫ା୩ା୨୫ ଦ୍ୱିତୀୟ ସେମି ଫାଇନାଲ୍‌ ଲାହୋର ୨.୩୦ 

୯ା୩ା୨୫ ଫାଇନାଲ୍‌ ଦୁବାଇ/ଲାହୋର ୨.୩୦

ଟ୍ରଫି ବିଜେତା 

୧୯୯୮-ଦକ୍ଷିଣ ଆଫ୍ରିକା 

୨୦୦୦-ନ୍ୟୁଜିଲାଣ୍ଡ 

୨୦୦୨ - ଭାରତ ଓ ଶ୍ରୀଲଙ୍କା 

୨୦୦୪-ୱେଷ୍ଟଇଣ୍ଡିଜ 

୨୦୦୬-ଅଷ୍ଟ୍ରେଲିଆ 

୨୦୦୯-ଅଷ୍ଟ୍ରେଲିଆ 

୨୦୧୩-ଭାରତ 

୨୦୧୭-ପାକିସ୍ତାନ