ପ୍ରମୂଖ ଖବର
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ଚାମ୍ପିଅନ୍ସ ଟ୍ରଫି ପୁରସ୍କାର ବିତରଣ ଉତ୍ସବରେ ରହିଲେନି ପାକ୍‌ ପ୍ରତିନିଧି, ଡାକିଲାନି ଆଇସିସି

Published By : Prameya | March 11, 2025 9:14 AM

ନୂଆଦିଲ୍ଲୀ, ୧୧/୦୩ : ଚାମ୍ପିଅନ୍ସ ଟ୍ରଫିର ଆୟୋଜକ ଥିଲା ପାକିସ୍ତାନ । କିନ୍ତୁ ଫାଇନାଲରେ ପୁରସ୍କାର ବିତରଣ ଉତ୍ସବରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି)ର କୌଣସି ଅଧିକାରୀଙ୍କୁ ମଞ୍ଚରେ ଦେଖିବାକୁ ମିଳିନଥିଲା । ଯାହାକୁ ନେଇ ପାକିସ୍ତାନ କ୍ରିକେଟ୍‌ରେ ଚାପା ଉତ୍ତେଜନା ଦେଖା ଦେଇଛି । ପୂର୍ବତନ ପାକ୍‌ କ୍ରିକେଟରମାନେ ଏଥିପାଇଁ ଆଇସିସିକୁ ସମାଲୋଚନା କରିଛନ୍ତି । ପିସିବି ଏହି କାରଣକୁ ନେଇ ଆଇସିସି ନିକଟରୁ ସ୍ପଷ୍ଟୀକରଣ ମାଗିଛି। 

ଭାରତୀୟ ଦଳ ସୁରକ୍ଷା କାରଣରୁ ପାକିସ୍ତାନ ଗସ୍ତ କରିନଥିଲା । ତେଣୁ ଦଳ ନିରପେକ୍ଷ ସ୍ଥାନ ଦୁବାଇରେ ଖେଳୁଥିଲା । ଭାରତ ଯେହେତୁ ଫାଇନାଲରେ ପ୍ରବେଶ କରିଥିଲା, ତେଣୁ ପାକିସ୍ତାନ ପରିବର୍ତ୍ତେ ଫାଇନାଲ ମ୍ୟାଚ୍‌ ଦୁବାଇରେ ଖେଳାଯାଇଥିଲା । ଦୁବାଇ ହେଉ କି କରାଚୀ, ପିସିବି ଆୟୋଜକ ତେଣୁ ଆୟୋଜକ ହିସାବରେ ମଞ୍ଚରେ ଉପସ୍ଥିତ ରହିବା ଏକାନ୍ତ ଆବଶ୍ୟକ। ଫାଇନାଲରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡର ଅଧ୍ୟକ୍ଷ ମୋହସିନ ନକଭି ଅନୁପସ୍ଥିତ ରହିଥିଲେ। କୌଣସି ସରକାରୀ କାର୍ଯ୍ୟରେ ବ୍ୟସ୍ତ ରହିଥିଲେ । ସେ ଅନୁପସ୍ଥିତ ରହିବାରୁ ଟୁର୍ଣ୍ଣାମେଣ୍ଟର ନିର୍ଦ୍ଦେଶକ ତଥା ପିସିବିର ସିଓଓ ସୁମେର ଅହମ୍ମଦଙ୍କୁ ନିଜର ପ୍ରତିନିଧି କରିଥିଲେ । ସୁମେର ଉପସ୍ଥିତ ରହିଥିଲେ ବି ତାଙ୍କୁ ମଞ୍ଚକୁ ଡକା ଯାଇନଥିଲା। କିନ୍ତୁ ନକଭିଙ୍କ ସ୍ଥାନ ସୁମେର ନେବେ କି ନାହିଁ, ଆଇସିସିକୁ ଏ ବିଷୟରେ ପିସିବି ଅବଗତ କରାଇଥିଲା କି? ସେ ବିଷୟରେ ପିସିବି ପକ୍ଷରୁ କିଛି କୁହାଯାଇ ନାହିଁ । 

ଟୁର୍ଣ୍ଣାମେଣ୍ଟର ଆୟୋଜକ ଭାବରେ ପାକିସ୍ତାନର ଅଧିକାରୀ ପୁରସ୍କାର ବିତରଣ ଉତ୍ସବରେ ରହିବା କଥା । ମାତ୍ର ୪ ଜଣ ଅତିଥି ମଞ୍ଚରେ ରହିଥିଲେ। ଆଇସିସି ଅଧ୍ୟକ୍ଷ ଜୟ ଶାହ, ବିସିସିଆଇ ସଭାପତି ରୋଜର ବିନ୍ନୀ, ସମ୍ପାଦକ ଦେବଜିତ ସାଇକିଆ ଏବଂ ନ୍ୟୁଜିଲାଣ୍ଡ କ୍ରିକେଟର ନିର୍ଦ୍ଦେଶକ ରୋଜର ଟୋଜ। ଟୋଜଙ୍କୁ ଛାଡ଼ି ଅନ୍ୟ ସମସ୍ତେ ଭାରତୀୟ ଏବଂ ବିସିସିଆଇରୁ ପ୍ରତିନିଧିତ୍ୱ କରୁଛନ୍ତି। ରୋଜର ବିନ୍ନୀ ଭାରତୀୟ ଖେଳାଳିଙ୍କୁ ବ୍ଲେଜର, ସାଇକିଆ ପଦକ ଏବଂ ଜୟ ଶାହ ଟ୍ରଫି ପ୍ରଦାନ କରିଥିଲେ । ପୁରସ୍କାର ବିତରଣ ମଞ୍ଚରେ କାହିଁକି ପାକିସ୍ତାନର ଅଧିକାରୀ ଅନୁପସ୍ଥିତ ରହିଲେ ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ କ୍ରିକେଟର ୱାସିମ ଆକ୍ରମ ଏବଂ ସୋଏବ ଅଖତର । ଆକ୍ରମ କହିଛନ୍ତି, ‘ଆମେ ଆୟୋଜକ, ଟ୍ରଫି ପ୍ରଦାନ ଉତ୍ସବରେ ସାମିଲ ହେବା ଆମର ଅଧିକାର ନୁହେଁ କି? ପିସିବି ଅଧ୍ୟକ୍ଷ ହୁଅନ୍ତୁ ଅବା ସିଓଓ ସେମାନେ କାହିଁକି ମଞ୍ଚରେ ରହିଲେ ନାହିଁ । କ’ଣ ସେମାନଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା? ଏହା ପଛର କାହାଣୀ କ’ଣ ମୁଁ ଜାଣିପାରୁ ନାହିଁ । ମୋତେ କିନ୍ତୁ ଏହା ଦେଖି ଆଦୌ ଭଲ ଲାଗିଲା ନାହିଁ । ପାକିସ୍ତାନର କେହି ନା କେହି ମଞ୍ଚ ଉପରେ ରହିବାର ଥିଲା । ସେମାନେ ଟ୍ରଫି ଓ ପଦକ ନଦିଅନ୍ତୁ କିନ୍ତୁ କିଏ ବି ଜଣେ ଉପସ୍ଥିତ ରହିଥିଲେ ଭଲ ହୋଇଥାନ୍ତା ।’ ‘ଟ୍ରଫି ପ୍ରଦାନ ସମୟରେ ପିସିବିରୁ କାହିଁକି କେହି ଉପସ୍ଥିତ ରହିଲେ ନାହିଁ? ଏ ବିଷୟରେ ଚିନ୍ତା କରିବା କଥା । ଏହା ବିଶ୍ୱ ମଞ୍ଚ, ତେଣୁ ସେଠାରେ ଆମ ଉପସ୍ଥିତି ରହିବାର ଥିଲା । ଏହା ଦେଖି ନିଜକୁ ଖରାପ ଅନୁଭବ ହେଲା ବୋଲି ଅଖତର କହିଛନ୍ତି । 

ଦୀର୍ଘ ୨୯ ବର୍ଷ ପରେ ପାକିସ୍ତାନରେ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା । ପିସିବି ଅଧ୍ୟକ୍ଷ ନକଭି ଆୟୋଜନ ସଫଳ ହୋଇଥିବା କହିଛନ୍ତି । ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ‘ପିସିବି ଟିମ୍‌, ପାକ୍‌ ସରକାର, ଆଇସିସି ଅଫିସିଆଲ ଏବଂ ପାକିସ୍ତାନ ଗସ୍ତରେ ଆସିଥିବା ଦଳ ଗୁଡ଼ିକୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି । ଟୁର୍ଣ୍ଣାମେଣ୍ଟକୁ ସଫଳତାର ସହ ଆୟୋଜନ କରି ଆମେ ଗର୍ବିତ । ବିଶ୍ୱ କ୍ରିକେଟ୍‌ ପ୍ରଶଂସକଙ୍କ ପାଇଁ ଏହା ଏକ ଐତିହାସିକ ଟୁର୍ଣ୍ଣାମେଣ୍ଟ ।’ ପିସିବି ଏହାକୁ ମିଶାଇ ଚାମ୍ପିଅନ୍ସ ଟ୍ରଫିରେ ତୃତୀୟ ଥର ଆଇସିସି ନିକଟରୁ ସ୍ପଷ୍ଟୀକରଣ ମାଗିଛି । ପୂର୍ବରୁ ବାଂଲାଦେଶ-ଭାରତ ମ୍ୟାଚ୍‌ ପ୍ରସାରଣ ସମୟରେ ପାକିସ୍ତାନ ଲୋଗୋକୁ ବାଦ ଦିଆଯିବା ଏବଂ ଲାହୋରରେ ଅଷ୍ଟ୍ରେଲିଆ-ଇଂଲଣ୍ଡ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଜାତୀୟ ସଙ୍ଗୀତ ବାଜି ଉଠିବାକୁ ନେଇ ପିସିବି ଆପତ୍ତି ଉଠାଇଥିଲା ।

ଏହି ଖବରଟିକୁ ପଢନ୍ତୁ-ଭାରତର ଚାମ୍ପିଅନ୍ସ ଟ୍ରଫି ବିଜୟରେ କାନ୍ଦିଲା ପାକିସ୍ତାନ , ଅନ୍ୟ ଦେଶଗୁଡ଼ିକୁ ଉସୁକାଇଲା ; କହିଲା- ICC ରେ ଅଭିଯୋଗ କର

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.