ଦୁବାଇ,୦୬/୦୩: ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ମାନ୍ୟତା ତାଲିକାର  ବ୍ୟାଟିଂ ବିଭାଗରେ ବିରାଟ କୋହଲି ଓ  ଶ୍ରେୟାସ ଆୟରଙ୍କ ଉନ୍ନତି ହୋଇଛି । ଶୁଭମନ ଗିଲ୍‌ ପୂର୍ବ ଭଳି ଶୀର୍ଷ ମାନ୍ୟତା  ବଜାୟ ରଖିଛନ୍ତି । ଶ୍ରେଷ୍ଠ ୧୦ ମଧ୍ୟରେ  ରୋହିତ ଶର୍ମାଙ୍କୁ ମିଶାଇ ମୋଟ୍‌ ୪ଜଣ  ଭାରତୀୟ ସ୍ଥାନ ବଜାୟ ରଖିଛନ୍ତି । ରୋହିତଙ୍କ ମାନ୍ୟତାରେ ୨ଟି ସ୍ଥାନ ଅବନତି ହୋଇଥିଲେ ହେଁ ସେ ପଞ୍ଚମ ସ୍ଥାନରେ ରହିଛନ୍ତି। କୋହଲି ଚତୁର୍ଥ ଓ ଆୟର ଅଷ୍ଟମକୁ ଉନ୍ନୀତ ହୋଇଛନ୍ତି । ବାବର ଆଜମ ଦ୍ୱିତୀୟ ସ୍ଥାନ ବଜାୟ ରଖିଥିବାବେଳେ ହେନରିକ କ୍ଲାସେନ ତୃତୀୟକୁ ଉଠିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଚଳିତ ଚାମ୍ପିଅନ୍ସ ଟ୍ରଫି ସେମି ଫାଇନାଲ୍‌  ମୁକାବିଲାରେ କୋହଲି ମ୍ୟାଚ୍‌ ବିଜୟୀ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଏହି  ପ୍ରଦର୍ଶନ ବଳରେ ତାଙ୍କ ମାନ୍ୟତାରେ ଉନ୍ନତି ହୋଇଥିଲା । ସେହିପରି ଆୟର ଅଷ୍ଟ୍ରେଲିଆ  ବିପକ୍ଷରେ ୪୫ ରନ୍‌ର ଇନିଂସ ଖେଳିଥିଲେ । 

ଅଲ୍‌ରାଉଣ୍ଡର ମାନ୍ୟତା ତାଲିକାରେ  ବଡ଼ ପରିବର୍ତ୍ତନ ହୋଇଛି । ଆଫଗାନିସ୍ତାନର  ଅଜମତୁଲ୍ଲା ଓମାରଜାଇ ପ୍ରଥମ କରି  ଶୀର୍ଷ ସ୍ଥାନ ଦଖଲ କରିଛନ୍ତି । ସେ ଗତ  ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ୫ ୱିକେଟ୍‌ ଓ  ଅଷ୍ଟ୍ରେଲିଆ ବିପକ୍ଷରେ ଅର୍ଦ୍ଧଶତକ ଅର୍ଜନ  କରିଥିଲେ । ଏହି ପ୍ରଦର୍ଶନ ବଳରେ ତାଙ୍କ  ମାନ୍ୟତାରେ ୨ଟି ସ୍ଥାନ ଉନ୍ନତି ହୋଇଛି ।  ପୂର୍ବରୁ ଶୀର୍ଷରେ ରହିଥିବା ମହମ୍ମଦ ନବି  ଦ୍ୱିତୀୟକୁ ଖସିଛନ୍ତି । ଶ୍ରେଷ୍ଠ ୧୦ ମଧ୍ୟରେ  ରବିନ୍ଦ୍ର ଜାଡେଜା ଏକମାତ୍ର ଭାରତୀୟ  ଭାବେ ନବମ ସ୍ଥାନରେ ରହିଛନ୍ତି । ମାତ୍ର  ଅକ୍ଷର ପଟେଲଙ୍କ ମାନ୍ୟତାରେ ୧୭ଟି ସ୍ଥାନ ଉନ୍ନତି ହୋଇଛି । ସେ ୧୩ତମ ସ୍ଥାନ ଦଖଲ  କରିଛନ୍ତି । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା  ୨୧ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । 

ବୋଲିଂରେ ଏକମାତ୍ର ଭାରତୀୟ ଭାବେ  ମହମ୍ମଦ ସାମିଙ୍କ ମାନ୍ୟତାରେ ଉନ୍ନତି  ହୋଇଛି । ସେ ୧୧ତମ ସ୍ଥାନ ଦଖଲ କରିଛନ୍ତି ।  ଶ୍ରେଷ୍ଠ ୧୦ରେ ଏକମାତ୍ର ବୋଲର ଭାବେ  କୁଲଦୀପ ଯାଦବ ଷଷ୍ଠ ସ୍ଥାନରେ ରହିଛନ୍ତି ।