ଦୁବାଇ, ୨୫/୧୨: ସଦ୍ୟ ପ୍ରକାଶିତ ଆଇସିସି ଟି-ଟ୍ୱେଣ୍ଟି ମାନ୍ୟତା ତାଲିକାରେ ତିଳକ ବର୍ମା ଓ ଯଶପ୍ରୀତ ବୁମରାଙ୍କ ଉନ୍ନତି ହୋଇଛି । ତିଳକ ବ୍ୟାଟିଂ ମାନ୍ୟତା ତାଲିକାର ତୃତୀୟ ସ୍ଥାନ ଦଖଲ କରିଛନ୍ତି । ସେହିପରି ବୁମରା ବୋଲିଂ ମାନ୍ୟତା ତାଲିକାର ୧୮ତମ ସ୍ଥାନରେ ପହଞ୍ଚିଛନ୍ତି ।
ତିଳକ ଗତ ସପ୍ତାହରେ ମାନ୍ୟତା ତାଲିକାର ଚତୁର୍ଥ ସ୍ଥାନରେ ରହିଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷ ପଞ୍ଚମ ମ୍ୟାଚରେ ସେ ୪୨ଟି ବଲ୍ର ୭୩ ରନ୍ର ଏକ ଇନିଂସ ଖେଳିଥିଲେ । ଏହି ପ୍ରଦର୍ଶନ ତାଙ୍କୁ ତୃତୀୟ ସ୍ଥାନରେ ପହଞ୍ଚାଇ ଦେଇଛି । ସେହିପରି ବୁମରା ଉକ୍ତ ମ୍ୟାଚ୍ରେ ୨ଟି ୱିକେଟ୍ ନେବା ଫଳରେ ତାଙ୍କ ମାନ୍ୟତାରେ ୧୦ଟି ସ୍ଥାନ ଉନ୍ନତି ହୋଇଥିଲା । ଭାରତର ଅଭିଷେକ ଶର୍ମା ଓ ବରୁଣ ଚକ୍ରବର୍ତ୍ତୀ ଯଥାକ୍ରମେ ବ୍ୟାଟିଂ ଓ ବୋଲିଂ ମାନ୍ୟତା ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛନ୍ତି । ଅଲରାଉଣ୍ଡର ମାନ୍ୟତା ତାଲିକାରେ ହାର୍ଦ୍ଦିକ ପାଣ୍ଡ୍ୟା ଚତୁର୍ଥ ସ୍ଥାନ ବଜାୟ ରଖିଛନ୍ତି । ପଞ୍ଚମ ଟି-ଟ୍ୱେଣ୍ଟିରେ ସେ ୨୫ଟି ବଲ୍ରୁ ୫ଚୌକା ଓ ୫ଛକା ବଳରେ ୬୩ ରନ ସଂଗ୍ରହ କରିବା ସହ ବୋଲିଂ କରି ଗୋଟିଏ ୱିକେଟ୍ ନେଇଥିଲେ।