ଦୁବାଇ ୧୨/୧୨: ଆଡିଲେଡରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ପରାଜୟ ପରେ ଭାରତୀୟ ଦଳର ଷ୍ଟାର୍ ବ୍ୟାଟରଙ୍କ ମାନ୍ୟତା ପ୍ରଭାବିତ ହୋଇଛି । କେବଳ ଯଶସ୍ୱୀ ଜୈସ୍ୱାଲ୍ ଓ ଶୁଭମନ ଗିଲଙ୍କୁ ଛାଡ଼ି ଦେଲେ ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ଅନ୍ୟ ସବୁ ଭାରତୀୟ ବ୍ୟାଟରଙ୍କ ଅବନତି ହୋଇଛି । ଦୀର୍ଘ ୬ମାସ ପରେ ଶୀର୍ଷ ମାନ୍ୟତାରୁ ଜୋ ରୁଟଙ୍କ ଆଧିପତ୍ୟ ମଧ୍ୟ ଶେଷ ହୋଇଛି । ଯୁବ ଇଂଲଣ୍ଡ ହ୍ୟାରୀ ବ୍ରୁକ୍ ନୂଆ କରି ମାନ୍ୟତା ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛନ୍ତି ।
ରୁଟ୍ ଗତ ଜୁଲାଇ ମାସରୁ ଶୀର୍ଷ ମାନ୍ୟତା ବଜାୟ ରଖିଥିଲେ । କ୍ୟାରିୟର ମଧ୍ୟରେ ସେ ମୋଟ୍ ୯ ଥର ମାନ୍ୟତା ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛନ୍ତି । ବ୍ରୁକ୍ ଗତ ସପ୍ତାହରେ ତୃତୀୟ ସ୍ଥାନ ଦଖଲ କରିଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ୧୭୧ ରନ୍ର ଇନିଂସ ଖେଳିବା ପରେ ଏହି ମାନ୍ୟତା ପାଇଥିଲେ । ଦ୍ୱିତୀୟ ଟେଷ୍ଟର ଉଭୟ ଇନିଂସରେ ସେ ଯଥାକ୍ରମେ ୧୨୩ ଓ ୫୫ ରନ୍ର ପାଳି ଖେଳି ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି । ଉଭୟଙ୍କ ମଧ୍ୟରେ ମାତ୍ର ୧ ପଏଣ୍ଟର ବ୍ୟବଧାନ ରହିଛି । ବ୍ରୁକ ୮୯୮ ଓ ରୁଟ୍ ୮୯୭ ପଏଣ୍ଟ ଅର୍ଜନ କରିଛନ୍ତି। କେନ ୱିଲିୟମସନ ତୃତୀୟକୁ ଖସିଥିବାବେଳେ ଯଶସ୍ୱୀ ଜୈସ୍ୱାଲ ଚତୁର୍ଥ ସ୍ଥାନ ବଜାୟ ରଖିଛନ୍ତି ।
🔹Brook dethrones Root
— ICC (@ICC) December 11, 2024
🔹Cummins closes in on Bumrah
🔹Stokes makes a leap among all-rounders
The latest ICC Men’s Test Rankings feature multiple new stars making inroads in the top 10 ➡ https://t.co/mtpxWeM5QI pic.twitter.com/V2tN56mGp3
ଆଡିଲେଡରେ ଶତକ ଅର୍ଜନ କରିଥିବା ଟ୍ରେଭିସ୍ ହେଡଙ୍କ ମାନ୍ୟତାରେ ୫ଟି ସ୍ଥାନ ଉନ୍ନତି ହୋଇଛି ଓ ସେ ପଞ୍ଚମ ସ୍ଥାନ ଦଖଲ କରିଛନ୍ତି । ସେହିପରି କାମିଣ୍ଡୁ ମେଣ୍ଡିସ୍ ଷଷ୍ଠକୁ ଉଠିଥିବାବେଳେ ତେମ୍ବା ବଭୁମା ୩ଟି ସ୍ଥାନ ଉନ୍ନତି କରି ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି ।
ଗତ ସପ୍ତାହରେ ଷଷ୍ଠ ସ୍ଥାନରେ ଥିବା ରିଷଭ ପନ୍ତଙ୍କ ମାନ୍ୟତାରେ ୩ଟି ସ୍ଥାନ ଅବନତି ହୋଇଛି ଓ ସେ ନବମ ସ୍ଥାନରେ ରହିଛନ୍ତି । ବିରାଟ କୋହଲିଙ୍କ ମାନ୍ୟତାରେ ୬ ଓ ରୋହିତ ଶର୍ମାଙ୍କ ମାନ୍ୟତାରେ ୫ଟି ସ୍ଥାନ ଅବନତି ହୋଇଛି । ବିରାଟ ୨୦ ଓ ରୋହିତ ୩୧ ତମ ସ୍ଥାନରେ ପହଞ୍ଚିଛନ୍ତି । ବୋଲିଂ ମାନ୍ୟତାରେ ସେଭଳି ବଡ଼ ପରିବର୍ତ୍ତନ ହୋଇନାହିଁ । ଯଶପ୍ରୀତ ବୁମରା ପୂର୍ବ ଭଳି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ପ୍ୟାଟ୍ କମିନ୍ସଙ୍କ ମାନ୍ୟତାରେ ଗୋଟିଏ ସ୍ଥାନ ଉନ୍ନତି ହୋଇଛି ଓ ସେ ଚତୁର୍ଥ ସ୍ଥାନ ଦଖଲ କରିଛନ୍ତି । ପୂର୍ବରୁ ଏହି ସ୍ଥାନରେ ଥିବା ରବି ଚନ୍ଦ୍ରନ ଅଶ୍ୱିନ ପଞ୍ଚମକୁ ଖସିଛନ୍ତି ।