ମୁମ୍ବାଇ,୨୬/୧୦: ଚଳିତ ମହିଳା ଦିନିକିଆ ବିଶ୍ୱକପ୍ରେ ୨ଟି ମ୍ୟାଚ ସହ ଲିଗ୍ ପର୍ଯ୍ୟାୟ ଶେଷ ହେବ । ପ୍ରଥମ ମ୍ୟାଚରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିବେ । ଅପରାହ୍ଣରେ ଭାରତ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ଖେଳାଯିବ । ଇଂଲଣ୍ଡ ଓ ଭାରତ ସେମିରେ ପ୍ରବେଶ କରିସାରିଥିବାରୁ ଉଭୟ ମ୍ୟାଚ୍ ଗୁରୁତ୍ୱହୀନ ଥିଲେ ହେଁ ଫଳାଫଳ ସମସ୍ତ ଦଳର ସ୍ଥାନ ନିର୍ଦ୍ଧାରଣ କରିବ । ଇଂଲଣ୍ଡ ଏହି ମ୍ୟାଚ୍ ଜିତିଲେ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇ ପାରିବ । ନ୍ୟୁଜିଲାଣ୍ଡ ଜିତିଲେ ପଞ୍ଚମ ସ୍ଥାନକୁ ଉଠିବ । ବାଂଲାଦେଶ ଭାରତକୁ ହରାଇଲେ ପଏଣ୍ଟ ତାଲିକାର ସପ୍ତମ ସ୍ଥାନକୁ ଉନ୍ନୀତ ହୋଇପାରିବ ।
ଭାରତ ଓ ବାଂଲାଦେଶ ମୁକାବିଲାରେ ଭାରତର ପଲା ଭାରି ରହିବା ସ୍ୱାଭାବିକ । ମାତ୍ର ଭାରତକୁ ହରାଇବାର କ୍ଷମତା ବାଂଲାଦେଶ ନିକଟରେ ରହିଛି । ଉଭୟ ଦଳ ମଧ୍ୟରେ ଖେଳା ଯାଇଥିବା ଶେଷ ୫ଟି ଦିନିକିଆରୁ ଭାରତ ୩ଟି ମ୍ୟାଚ୍ ଜିତିଥିବାବେଳେ ବାଂଲାଦେଶ ଗୋଟିଏରେ ବିଜୟୀ ହୋଇଛି । ଗୋଟିଏ ମ୍ୟାଚ୍ ଟାଇ ରହିଛି ।
ବିଳମ୍ବରେ ହେଉ ପଛେ ଭାରତ ଶ୍ରେଷ୍ଠ ଏକାଦଶ ପ୍ରସ୍ତୁତ କରିବା ସହ ବ୍ୟାଟିଂ କ୍ରମ ସୁଧାରିବାରେ ସଫଳ ହୋଇଛି । ଜେମିମା ରୋଡ୍ରିଗ୍ସ ୩ନଂ ସ୍ଥାନରେ ବ୍ୟାଟିଂ କରିବା ଭାରତ ପାଇଁ ଫଳପ୍ରଦ ସାବ୍ୟସ୍ତ ହୋଇଛି । ରବିବାର ମଧ୍ୟ ୫ବୋଲର ନେଇ ଭାରତ ଖେଳିବ । ମାତ୍ର ସମସ୍ତଙ୍କ ନଜର ବ୍ୟାଟିଂ ବିଭାଗ ଉପରେ ରହିବ ।
ସ୍ମୃତି ମନ୍ଧନା ଓ ପ୍ରତିକା ରାୱଲ୍ ୨୦ଟି ଇନିଂସରେ ଏକତ୍ର ଓପନ କରି ମୋଟ୍ ୧୫୫୭ ରନ ସଂଗ୍ରହ କରିସାରିଛନ୍ତି । ଉଭୟ ଆଉ ୭୯ ରନର ଭାଗିଦାରୀ ଗଢ଼ିଲେ ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲିଙ୍କ ନାମରେ ରହିଥିବା ଗୋଟିଏ ବର୍ଷରେ ସର୍ବାଧିକ ରନ ଭାଗିଦାରୀ ରେକର୍ଡ ଭାଙ୍ଗିବେ । ସେହିପରି ଚଳିତ ବର୍ଷ ୨୨ଟି ୱିକେଟ୍ ନେଇ ସାରିଥିବା ପେସ୍ ବୋଲର କ୍ରାନ୍ତି ଗୌଡ଼ଙ୍କ ଉପରେ ସମସ୍ତଙ୍କ ନଜର ରହିବ ।
ଡିୱାଇ ପାଟିଲ ଷ୍ଟାଡ଼ିୟମ୍ର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ମାତ୍ର ବର୍ଷା ମ୍ୟାଚ୍ରେ ବାଧା ଉପୁଯାଇବା ନିଶ୍ଚିତ । ପ୍ରାରମ୍ଭରୁ ପେସ୍ ବୋଲରମାନେ ପିଚ୍ର ଫାଇଦା ଉଠାଇ ପାରିବେ । ଦିବା ରାତ୍ର ମ୍ୟାଚ୍ ହୋଇଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।
ସମ୍ଭାବ୍ୟ ଦଳ
ଭାରତ: ସ୍ମୃତି ମନ୍ଧନା, ପ୍ରତିକା ରାୱଲ୍, ହର୍ଲିନ ଦେଓଲ, ହର୍ମନପ୍ରୀତ କୌର (ଅଧିନାୟିକା), ଜେମିମା ରୋଡ୍ରିଗ୍ସ, ଦୀପ୍ତି ଶର୍ମା, ରିଚା ଘୋଷ, ଅମନଜୋତ କୌର, ସ୍ନେହ ରାଣା, ଶ୍ରୀ ଚରଣୀ, କ୍ରାନ୍ତି ଗୌଡ଼ ।
ବାଂଲାଦେଶ: ରୁବ୍ୟା ହାଇଦର, ଶର୍ମିନ ଅଖତର, ନିଗାର ସୁଲତାନା (ଅଧିନାୟିକା), ଶୋଭନା ମୋସ୍ତାରି, ରିତୁ ମୋନି, ସୋର୍ନା ଅଖତର, ଫହିମା ଖାତୁନ, ନାହିଦା ଅଖତର, ରବେୟା ଖାନ, ମାରୁଫା ଅଖତର, ସଞ୍ଜିଦା ଅଖତର ମେଘଲା ।