ନଭି ମୁମ୍ବାଇ,୨୩/୧୦: ମହିଳା ଦିନିକିଆ ବିଶ୍ୱକପ୍ର ୨୩ତମ ଲିଗ୍ ମୁକାବିଲାରେ ଆଜି ଆୟୋଜକ ଭାରତ ଓ ନ୍ୟୁଜିଲାଣ୍ଡ ସାମ୍ନାସାମ୍ନି ହେବେ । ଉଭୟ ଦଳ ପାଇଁ ଏହି ମ୍ୟାଚ୍ ‘କର ବା ମର’ ସଦୃଶ ରହିଛି । ଭାରତ ଏହି ମ୍ୟାଚ୍ ଜିତିଲେ ଚତୁର୍ଥ ଦଳ ଭାବେ ସେମିରେ ପ୍ରବେଶ କରିବ । ମାତ୍ର ଭାରତ ପରାଜିତ ହେଲେ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କାର ସୁଯୋଗ ଦ୍ୱିଗୁଣା ହୋଇଯିବ । ହର୍ମନପ୍ରୀତ ବାହିନୀ ଆଜି ମ୍ୟାଚ୍ ଜିତିବା ପାଇଁ ସବୁ ଶକ୍ତି ଲଗାଇବ । ଫଳରେ ଏହି ମ୍ୟାଚ୍ କଡ଼ା ସଂଘର୍ଷପୂର୍ଣ୍ଣ ହେବ ।
ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ସେମିରେ ପ୍ରବେଶ କରିସାରିଛନ୍ତି । ବାକି ଗୋଟିଏ ସ୍ଥାନ ପାଇଁ ଭାରତ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ଦୌଡ଼ରେ ରହିଛନ୍ତି । ଭାରତ ୫ଟି ମ୍ୟାଚ୍ ଖେଳି ୨ ବିଜୟ, ୩ ପରାଜୟ ସହ ମୋଟ ୪ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି । ଦଳର ନେଟ୍ ରନ୍ରେଟ୍ +୦.୫୨୬ ରହିଛି । ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ୪ପଏଣ୍ଟ ପାଇଥିଲେ ହେଁ ଦୁର୍ବଳ ରନ୍ରେଟ୍ ଯୋଗୁ ଯଥାକ୍ରମେ ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହିଛନ୍ତି । ନ୍ୟୁଜିଲାଣ୍ଡର ରନ୍ରେଟ୍ -୦୨୪୫ ଓ ଶ୍ରୀଲଙ୍କାର ରନ୍ ରେଟ୍ -୧.୦୩୫ ରହିଛି । ମାତ୍ର ଶ୍ରୀଲଙ୍କା ୬ଟି ମ୍ୟାଚ୍ ଖେଳିସାରିଛି ।
ଆଜି ଭାରତ ଜିତିଲେ ୬ପଏଣ୍ଟ ସହ ସେମିରେ ସ୍ଥାନ ପକ୍କା କରିବ ଏବଂ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ବାଦ୍ ପଡ଼ିଯିବେ । ପରାଜିତ ହେଲେ ଅନ୍ୟ ମ୍ୟାଚ୍ ଫଳାଫଳ ଉପରେ ଭାଗ୍ୟ ନିର୍ଭର କରିବ । ଅନ୍ୟ ପଟରେ ନ୍ୟୁଜିଲାଣ୍ଡ ବିଜୟୀ ହେଲେ ମଧ୍ୟ ସେମିରେ ପ୍ରବେଶ କରିବା ପାଇଁ ଶେଷ ମ୍ୟାଚ୍ରେ ଇଂଲଣ୍ଡକୁ ହରାଇବାକୁ ପଡ଼ିବ । ନଚେତ ଭାରତ ଶେଷ ମ୍ୟାଚ୍ରେ ବାଂଲାଦେଶକୁ ହରାଇ ସେମିରେ ପ୍ରବେଶ କରିପାରିବ ।
ଭାରତ ପୂର୍ବ ୩ଟି ମ୍ୟାଚ୍ରେ ପରାଜିତ ହୋଇଥିବାବେଳେ ନ୍ୟୁଜିଲାଣ୍ଡର ପୂର୍ବ ୨ଟି ମ୍ୟାଚ୍କୁ ବର୍ଷା ଧୋଇ ନେଇଥିଲା । ଆଜି ମଧ୍ୟ ବର୍ଷା ଆଶଙ୍କା ରହିଛି । ବର୍ଷା ଯୋଗୁ ଏହି ମ୍ୟାଚ୍ ବାତିଲ ହେଲେ ଉଭୟ ଦଳକୁ ନିଜ ନିଜର ଶେଷ ମ୍ୟାଚ୍ ଜିତିବାକୁ ପଡ଼ିବ । ରେକର୍ଡ଼ ନ୍ୟୁଜିଲାଣ୍ଡ ସପକ୍ଷରେ ରହିଛି ।
ଉଭୟ ଦଳ ଦିନିକିଆରେ ୫୪ଥର ପରସ୍ପରକୁ ଭେଟିଥିବାବେଳେ ନ୍ୟୁଜିଲାଣ୍ଡ ୩୪ଟି ମ୍ୟାଚ୍ ଜିତିଛି । ଉଭୟ ଦଳରେ ଏକାଧିକ ଷ୍ଟାର୍ ଖେଳାଳି ରହିଛନ୍ତି । ପରସ୍ପରର ଶକ୍ତି ପାଖାପାଖି ସମାନ । ଆଜି ଭାରତୀୟ ବ୍ୟାଟର ଓ ନ୍ୟୁଜିଲାଣ୍ଡ ବୋଲରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିବ । ଦୁଇ ଦଳର ସ୍ପିନର ମ୍ୟାଚ୍ ଫଳାଫଳ ନିର୍ଣ୍ଣୟ କରିବେ । ଡିୱାଇ ପାଟିଲ ଷ୍ଟାଡିୟମରେ ପୂର୍ବରୁ ଶ୍ରୀଲଙ୍କା-ବାଂଲାଦେଶ ମ୍ୟାଚ୍ ଖେଳାଯାଇଥିଲା । ଶ୍ରୀଲଙ୍କା ୨୦୨ରନ୍ କରିଥିବାବେଳେ ବାଂଲାଦେଶ ୯/୧୯୫ରନ୍ କରିବାକୁ ସକ୍ଷମ ହୋଇଥିଲା । ଆଜି ବିଶାଳ ସ୍କୋର ସଂଗୃହୀତ ହେବା ଆଶା କରାଯାଉଛି ।
ସମ୍ଭାବ୍ୟ ଦଳ
ଭାରତ: ସ୍ମୃତି ମନ୍ଧନା, ପ୍ରତୀକା ରାୱଲ, ହର୍ଲିନ ଦେଓଲ, ହର୍ମନପ୍ରୀତ କୌର (ଅଧିନାୟିକା), ରିଚା ଘୋଷ, ଅମନଜୋତ କୌର, ସ୍ନେହ ରାଣା, ଦୀପ୍ତି ଶର୍ମା, ରେଣୁକା ସିଂହ/ଜେମିମା ରୋଡ୍ରିଗ୍ସ, କ୍ରାନ୍ତି ଗୌଡ଼, ଶ୍ରୀ ଚରଣୀ ।
ନ୍ୟୁଜିଲାଣ୍ଡ: ସୁଜି ବେଟ୍ସ, ଜର୍ଜିଆ ପ୍ଲିମର, ଆମେଲିଆ କେର, ସୋଫି ଡିଭାଇନ୍ (ଅଧିନାୟିକା), ବ୍ରୁକ୍ ହାଲିଡେ, ମାଡି ଗ୍ରୀନ, ଈଶାବେଲା ଗେଜ, ଜେସ୍ କେର, ରୋଜମେରୀ ମାଇର, ଇଡେନ କାର୍ସନ, ଲି ତାହୁହୁ ।