ଇନ୍ଦୋର, ୦୭/୧୦: ଚଳିତ ମହିଳା  ଦିନିକିଆ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ବିଜୟ ଖାତା  ଖୋଲିଛି । ସୋମବାର ଅନୁଷ୍ଠିତ ସପ୍ତମ ଲିଗ୍‌ ମ୍ୟାଚ୍‌ରେ  ଦଳ ୬ ୱିକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ  କରିଥିଲା । ବାମ ହାତି ସ୍ପିନର ନନ୍‌କୁଲୁଲେକୋ  ମ୍ଳାବାଙ୍କ ଘାତକ ବୋଲିଂ ସାଙ୍ଗକୁ ଓପନର ତାଜମିନ  ବ୍ରିଟ୍ସଙ୍କ ଶତକ ଓ ସୁନି ଲସ୍‌ଙ୍କ ଅପରାଜିତ  ଅର୍ଦ୍ଧଶତକ ବଳରେ ଦଳର ବିଜୟ ସହଜ  ହୋଇଥିଲା । ସପ୍ତମ ଦିନିକିଆ ଶତକ ଅର୍ଜନ  କରିଥିବା ତାଜ୍‌ମିନ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲା ।

ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୧୦ ୱିକେଟରେ ଶୋଚନୀୟ ଭାବେ ପରାଜିତ ହୋଇଥିଲା । ଏହି ମ୍ୟାଚ୍‌ରେ ଦଳ ମାତ୍ର ୬୯ରନ୍‌ରେ ଅଲଆଉଟ୍‌ ହୋଇଥିଲା । ମାତ୍ର  ସୋମବାର ନ୍ୟୁଜିଲାଣ୍ଡ ବିପକ୍ଷରେ ଦଳ ସବୁ ବିଭାଗରେ  ଚମକପ୍ରଦ ପ୍ରଦର୍ଶନ ସହ ପଏଣ୍ଟ ଖାତା ଖୋଲିଛି । ଟସ୍‌ ଜିତି ନ୍ୟୁଜିଲାଣ୍ଡ ବ୍ୟାଟିଂ କରି  ୪୭.୫ ଓଭରରେ ୨୩୧ରନ୍‌ କରି ଅଲଆଉଟ୍‌  ହୋଇଥିଲା । ପ୍ରଥମ ମହିଳା ବ୍ୟାଟର ଭାବେ  ୩୫୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ଓପନର  ସୁଜି ବେଟ୍ସ ଆଜି ଖାତା ଖୋଲି ପାରିନଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ଜର୍ଜିଆ ପ୍ଲିମର ୩୧,  ଆମେଲିଆ କେର ୨୩, ଅଧିନାୟିକା ସୋଫି  ଡିଭାଇନ୍‌ ୮୫ (୯ଚୌକା), ବ୍ରୁକ ହାଲିଡେ ୪୫  (୬ଚୌକା) ରନ୍‌ ସଂଗ୍ରହ କରିଥିଲେ । ଦକ୍ଷିଣ  ଆଫ୍ରିକା ପକ୍ଷରୁ ମ୍ଳାବା ୪୦ରନ୍‌ ପ୍ରଦାନ କରି ୪ଟି  ୱିକେଟ୍‌ ଅକ୍ତିଆର କରିଥିଲେ ।

୨୩୨ରନ୍‌ ବିଜୟ ଲକ୍ଷ୍ୟର ପିଛା କରି ଦକ୍ଷିଣ  ଆଫ୍ରିକା ୫୫ଟି ବଲ୍‌ ବାକି ଥାଇ ୪ ୱିକେଟ୍‌  ବିନିମୟରେ ଆବଶ୍ୟକ ରନ୍‌ ସଂଗ୍ରହ କରି  ନେଇଥିଲା । ଅଧିନାୟିକା ଲାଉରା ଉଲଭାର୍ଟ (୧୪)  ସହଳ ପାଭିଲିୟନ ଫେରିଥିଲେ । ମାତ୍ର ଅନ୍ୟ  ଓପନର ତାଜମିନ୍‌ଙ୍କ ସହ ମିଶି ଲସ୍‌ ଦୃଢ଼ ବ୍ୟାଟିଂ  କରିଥିଲେ । ତାଜମିନ ୮୭ଟି ବଲ୍‌ରେ ଶତକ  ପୂରଣ କରିଥିଲେ । ଏହାପରେ ସେ ଧୈର୍ଯ୍ୟ  ହରାଇଥିଲେ । ତାଜମିନ ୧୦୧ (୧୫ଚୌକା,  ୧ଛକା) ରନ୍‌ କରି ଆଉଟ୍‌ ହୋଇଥିଲେ । ପରେ  ପରେ ଦଳ ଆଉ ୨ଟି ୱିକେଟ୍‌ ହରାଇଥିଲେ ମଧ୍ୟ  ଲସ୍‌ ଅପରାଜିତ ରହି ଦଳକୁ ଜିତାଇଥିଲେ । ସେ  ୧୦ଚୌକା, ୧ଛକା ବଳରେ ୮୩ରନ୍‌ କରିଥିଲେ।