ଦୁବାଇ, ୦୨/୦୭: ସଦ୍ୟ ଘୋଷିତ ଆଇସିସି  ମହିଳା ଟି-ଟ୍ୱେଣ୍ଟି ମାନ୍ୟତା ତାଲିକାରେ ଭାରତୀୟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧନାଙ୍କ ସ୍ଥାନରେ ଉନ୍ନତି ଘଟିଛି ।  ବ୍ୟାଟିଂ ତାଲିକାରେ ସେ ଗୋଟିଏ ସ୍ଥାନ ଉଠି ତୃତୀୟରେ  ରହିଛନ୍ତି । ତାଙ୍କ ରେଟିଂ ପଏଣ୍ଟ ୭୭୧ ରହିଛି । ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ମନ୍ଧନା କ୍ୟାରିୟରରେ ପ୍ରଥମ  ଟି-ଟ୍ୱେଣ୍ଟି ଶତକ ଅର୍ଜନ କରିଥିଲେ । ସେ ୬୨ଟି ବଲ୍‌ରେ  ୧୧୨ (୧୫ଚୌକା, ୩ଛକା) ରନ୍‌ ସଂଗ୍ରହ କରିଥିଲେ ।  

ଦିନିକିଆ ପରେ ଟି-ଟ୍ୱେଣ୍ଟିରେ ମଧ୍ୟ ତାଙ୍କ ନିକଟରେ ଶୀର୍ଷ  ସ୍ଥାନ ଦଖଲ କରିବାର ସୁଯୋଗ ରହିଛି । ଅଷ୍ଟ୍ରେଲିଆର  ବେଥ୍‌ ମୁନି (୭୯୪) ପ୍ରଥମ ଓ ୱେଷ୍ଟଇଣ୍ଡିଜର ହାୟଲି  ମାଥ୍ୟୁସ (୭୭୪) ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଅନ୍ୟ  ଭାରତୀୟ ଓପନର ଶେଫାଳି ବର୍ମା ୧୩ତମ ଏବଂ ହର୍ଲିନ ଦେଓଲ ୮୬ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।  ବୋଲିଂ ମାନ୍ୟତା ତାଲିକାରେ ଭାରତର ଦୀପ୍ତି ଶର୍ମା  ତୃତୀୟ ଏବଂ ରେଣୁକା ସିଂହ ଷଷ୍ଠ ସ୍ଥାନକୁ ଖସିଛନ୍ତି ।  ପାକିସ୍ତାନର ସାଦିଆ ଇକ୍‌ବାଲ ପୂର୍ବଭଳି ଶୀର୍ଷ ସ୍ଥାନ  ବଜାୟ ରଖିଛନ୍ତି । ଅଷ୍ଟ୍ରେଲିଆର ଆନାବେଲ ସୁଦରଲାଣ୍ଡ ଦ୍ୱିତୀୟକୁ ଉଠିଛନ୍ତି । ସେହିପରି ଅଲରାଉଣ୍ଡର ତାଲିକାରେ  ଦୀପ୍ତି ତୃତୀୟ ସ୍ଥାନ ବଜାୟ ରଖିଛନ୍ତି । ୱେଷ୍ଟଇଣ୍ଡିଜ୍‌ର  ମାଥ୍ୟୁସଙ୍କ ଶୀର୍ଷ ସ୍ଥାନ ଅପରିବର୍ତ୍ତିତ ରହିଛି ।