ଅପରାଧ ସେତେବେଳେ କମିବା ଆରମ୍ଭ ହେବ, ଯେତେବେଳେ ଯୁବପିଢ଼ି ପାଇଁ ସମୁଚିତ ଶିକ୍ଷାବ୍ୟବସ୍ଥା, ଚାକିରି ସୃଷ୍ଟି ବ୍ୟବସ୍ଥା ସହିତ ମାଦକ ଦ୍ରବ୍ୟ ସେବନ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇପାରିବ ।
ଦୈନିକ ସମ୍ବାଦପତ୍ର ଖୋଲିଲେ ଦେଖିବାକୁ ମିଳେ ଅପରାଧଜନିତ ଖବର ପ୍ରାୟତଃ ପ୍ରତିଦିନ ମୁଖ୍ୟପୃଷ୍ଠାକୁ ମଣ୍ଡନ କରୁଛି । ଅପରାଧ ଏବଂ ବିକାଶ ମଧ୍ୟରେ ଏକ ଦୃଢ଼ ସମ୍ପର୍କ ଅଛି । ଯେତେବେଳେ ଅପରାଧ ସ୍ତର ହ୍ରାସ ହୁଏ, ଏକ ସମାଜ ଅଧିକ ସ୍ଥିରତା ଅନୁଭବ କରେ, ଯାହା ନିବେଶ, ଉଦ୍ୟୋଗିତା, ପର୍ଯ୍ୟଟନ ଏବଂ ଅର୍ଥନୈତିକ କାର୍ଯ୍ୟକଳାପକୁ ଉତ୍ସାହିତ କରେ । ନିରାପତ୍ତା ନାଗରିକ ଏବଂ ବ୍ୟବସାୟ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରେ, ଦ୍ରୁତ ଅଭିବୃଦ୍ଧିକୁ ସକ୍ଷମ କରେ । ଅନ୍ୟପକ୍ଷରେ, ଉଚ୍ଚ ଅପରାଧ ହାର ନିବେଶକମାନଙ୍କୁ ନିରୁତ୍ସାହିତ କରେ, ସୁରକ୍ଷା ଖର୍ଚ୍ଚ ବଢ଼ିଯାଏ, ସାମାଜିକ ସମନ୍ୱୟ ବାଧାପ୍ରାପ୍ତ ହୁଏ ଏବଂ ସାମଗ୍ରିକ ପ୍ରଗତିକୁ ମନ୍ଥର କରିଦିଏ । ତେଣୁ ଅପରାଧ ହ୍ରାସ କରିବା କେବଳ ଆଇନ ଶୃଙ୍ଖଳାର ସୁରକ୍ଷା ନୁହେଁ- ଏହା ସ୍ଥାୟୀ ବିକାଶ ଏବଂ ଉନ୍ନତ ମାନର ଜୀବନ ପାଇଁ ଏକ ମୂଳଦୁଆ ସୃଷ୍ଟି କରେ ।
ଅପରାଧ ଦୈନନ୍ଦିନ ଜୀବନକୁ ବ୍ୟାହତ କରେ, ପର୍ଯ୍ୟଟନ ହ୍ରାସ କରେ, ଜନସାଧାରଣଙ୍କ ଆତ୍ମବିଶ୍ୱାସକୁ ଦୁର୍ବଳ କରେ, ସମ୍ପତ୍ତି ଏବଂ ଉତ୍ପାଦକତାରେ ବ୍ୟାଘାତ ସୃଷ୍ଟି କରେ । କାର୍ଯ୍ୟକୁଶଳ ଲୋକମାନେ ନିରାପଦ ସ୍ଥାନକୁ ଚାଲିଯିବା ଉଚିତ ମନେକରନ୍ତି । ଫଳତଃ ଅସୁରକ୍ଷିତ ଅଞ୍ଚଳରେ ପ୍ରତିଭା କ୍ଷୟ (ବ୍ରେନ୍ ଡ୍ରେନ୍) ହୁଏ । ଅପରାଧ ଦ୍ୱାରା ପ୍ରଭାବିତ ସମ୍ପ୍ରଦାୟଗୁଡ଼ିକ ଶିକ୍ଷା, ରୋଜଗାର ଏବଂ ସାମାଜିକ ସମନ୍ୱୟରେ ପ୍ରାୟତଃ ପଛରେ ପଡ଼ିଯାନ୍ତି, ଯାହା ସେମାନଙ୍କର ବିକାଶକୁ ଆହୁରି ମନ୍ଥର କରିଦିଏ । ଅନ୍ୟପକ୍ଷରେ, ବିକାଶ ଏକ ଶାନ୍ତିପୂର୍ଣ୍ଣ ବାତାବରଣ ଆବଶ୍ୟକ କରେ, ଯେଉଁଠାରେ ଲୋକମାନେ ମୁକ୍ତଭାବରେ କାର୍ଯ୍ୟ କରିପାରିବେ, ଯାତ୍ରା କରିପାରିବେ ଏବଂ ବ୍ୟବସାୟ କରିପାରିବେ । ଏକ ସୁରକ୍ଷିତ ସମାଜ ପ୍ରତିଭା, ଶିଳ୍ପ ଏବଂ ନୂତନ ସୁଯୋଗକୁ ଆକର୍ଷିତ କରିଥାଏ । ଦେଖାଯାଏ, କମ୍ ଅପରାଧ ଥିବା ଦେଶ ଏବଂ ଅଞ୍ଚଳଗୁଡ଼ିକ ଯେମିତି- ସିଙ୍ଗାପୁର, ଜାପାନ କିମ୍ବା ସ୍କାଣ୍ଡିନାଭିୟାନ ଦେଶଗୁଡ଼ିକ ବିପୁଳ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରନ୍ତି ଏବଂ ଏକ ଉନ୍ନତ ଜୀବନଶୈଳୀ ଉପଭୋଗ କରନ୍ତି ।
ଜନସଂଖ୍ୟା ବଢ଼ିଚାଲିଛି, ଅପରାଧ ମଧ୍ୟ ବଢ଼ିଚାଲିଛି । ତେଣୁ ଯଦି ଆମେ ବିଭିନ୍ନ ବର୍ଷରେ ଘଟୁଥିବା ଅପରାଧକୁ ତୁଳନା କରିବାକୁ ଚାହିଁବା, ତେବେ ମୋଟ୍ ଅପରାଧକୁ ତୁଳନା କଲେ ସଠିକ୍ ଧାରା ଜଣାପଡ଼ିବ ନାହିଁ । ତେଣୁ ତୁଳନା ପାଇଁ ଅପରାଧ ହାର (ଯାହାକି ପ୍ରତି ଏକଲକ୍ଷ ଜନସଂଖ୍ୟାରେ କେତେ ଅପରାଧ ଘଟିଛି) ଏକ ଉତ୍ତମ ମାପ ଅଟେ । ସମାଜର ଯେକୌଣସି ବର୍ଗର ଲୋକଙ୍କୁ ଉନ୍ନତ କରିବା ପାଇଁ ପ୍ରଥମେ ସେମାନଙ୍କ ସୁରକ୍ଷା ନିଶ୍ଚିତ କରିବା ଆବଶ୍ୟକ । ମହିଳା, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଲୋକମାନଙ୍କ ସଶକ୍ତିକରଣ ଦେଶର ନିରନ୍ତର ଧ୍ୟାନକେନ୍ଦ୍ର । ସୁରକ୍ଷିତ ପରିବେଶ ବିନା ଏହି ବର୍ଗର ଲୋକମାନଙ୍କର ପ୍ରକୃତ ସଶକ୍ତିକରଣ ଅସମ୍ଭବ । ତେଣୁ ଏହି ଆଲେଖ୍ୟରେ ଏମାନଙ୍କ ଉପରେ ହେଉଥିବା ଅପରାଧକୁ ଚୁମ୍ବକରେ ଉଜାଗର କରିବାପାଇଁ ପ୍ରୟାସ କରାଯାଉଛି ।
ଭାରତରେ ଭାରତୀୟ ଦଣ୍ଡ ସଂହିତା ଅନ୍ତର୍ଗତ ରୁଜୁ ହୋଇଥିବା ଅପରାଧ ହାରକୁ ନଜର ପକାଇଲେ ଜଣାପଡ଼େ ଯେ, ୧୯୫୧ ଠାରୁ ୨୦୧୨ ପର୍ଯ୍ୟନ୍ତ ଅପରାଧ ହାର ୨୦୦ ତଳେ ରହିଥିବାବେଳେ (କେବଳ ୧୯୮୧ରେ ଏହା ୨୦୦.୮କୁ ଛୁଇଁଥିଲା ) ୨୦୧୩ ଠାରୁ ଏହା ୨୦୦ ଉପରକୁ ଉଠି କ୍ରମାଗତ ବଢ଼ିବାରେ ଲାଗିଛି । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ରିପୋର୍ଟ ଆଧାରରେ, ୨୦୨୨ରେ ଭାରତୀୟ ଦଣ୍ଡ ସଂହିତା ଅଧୀନରେ ଥିବା ଅପରାଧ ହାର ୨୫୮.୧ ଥିଲା । ସଦ୍ୟ ରିପୋର୍ଟ ଅନୁସାରେ ୨୦୨୩ରେ ଏହି ହାର ସର୍ବାଧିକ ୨୭୦.୩ରେ ପହଞ୍ଚିଛି । ସେହିପରି ଓଡ଼ିଶାରେ ଅପରାଧ ହାର ବଢ଼ିଚାଲିଥିବା ବେଳେ ୨୦୧୯ ଠାରୁ ଏହି ଅପରାଧ ହାର ୨୦୦ ଟପି କ୍ରମାଗତ ବଢ଼ିଚାଲିଛି । ୨୦୨୨ରେ ଏହି ହାର ୩୧୧.୨ ଥିବାବେଳେ ସଦ୍ୟ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ରିପୋର୍ଟ ଅନୁଯାୟୀ ୨୦୨୩ରେ ଓଡ଼ିଶାର ଭାରତୀୟ ଦଣ୍ଡ ସଂହିତା ଅନ୍ତର୍ଗତ ରୁଜୁ ହୋଇଥିବା ଅପରାଧ ହାର ସର୍ବାଧିକ ୩୬୬.୬ରେ ପହଞ୍ଚିଛି, ଯାହା ସର୍ବଭାରତୀୟ ହାରଠାରୁ ଢେର୍ ଅଧିକ ।
ମହିଳାଙ୍କ କ୍ଷେତ୍ରରେ ଦେଖାଯାଏ ସର୍ବଭାରତୀୟ ସ୍ତରରେ ବିଗତ ୨୧ବର୍ଷ ହେବ ତାଙ୍କ ଉପରେ ହେଉଥିବା ଅପରାଧଜନିତ ରୁଜୁ ହୋଇଥିବା ମୋଟ୍ ମାମଲାର ହାର ପ୍ରାୟ ବଢ଼ିବାରେ ଲାଗିଛି ଏବଂ ୨୦୨୧ରେ ଏହା ଶୀର୍ଷରେ (୭୭ରେ) ପହଞ୍ଚିଛି । ୨୦୨୨ ମସିହାରେ ଏହି ହାର ଟିକେ କମି ୬୬.୪ ଥିବାବେଳେ ସଦ୍ୟ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ରିପୋର୍ଟ ଅନୁଯାୟୀ ୨୦୨୩ରେ ଏହି ହାର ସାମାନ୍ୟ (୬୬.୨) ତଳକୁ ଖସିଛି ।
କିନ୍ତୁ ଓଡ଼ିଶା ପରିପ୍ରେକ୍ଷୀରେ ଦେଖିଲେ ଜଣାପଡ଼େ ଯେ, ମହିଳାଙ୍କ ଉପରେ ଅପରାଧ ହାର କମିବାର ନାମ ନେଉନାହିଁ । ୨୦୦୫ ମସିହାଠାରୁ ମହିଳାଙ୍କ ଉପରେ ହେଉଥିବା ଅପରାଧ ହାର ସର୍ବଭାରତୀୟ ହାରଠାରୁ କ୍ରମାଗତ ବେଶି ଥିଲା । ୨୦୧୯ରେ ଏହା ଶୀର୍ଷସ୍ଥାନରେ (୧୦୩) ଥିବାବେଳେ ୨୦୨୧ରେ ଏହା ୮୦ ଥିଲା, ଯେତେବେଳେ ସର୍ବଭାରତୀୟ ସ୍ତରରେ ମହିଳାଙ୍କ ଉପରେ ଅପରାଧ ହାର ୭୭.୧ ଥିଲା । ୨୦୨୨ରେ ଏହା ପୁଣି ୧୦୩କୁ ବୃଦ୍ଧିହେଲା । ସଦ୍ୟ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ରିପୋର୍ଟ ଅନୁଯାୟୀ, ୨୦୨୩ରେ ଏହି ହାର ୧୧୨.୪କୁ ବଢ଼ି ନୂତନ ଶିଖର ସୃଷ୍ଟି କରିଛି ।
ନାରୀ ସଶକ୍ତିକରଣ ଏବଂ ନାରୀ ସୁରକ୍ଷା ଉପରେ ଆମେ ବହୁତ ଭାଷଣ ଦେଉଛନ୍ତି । କିନ୍ତୁ ବିଗତ ୨୧ବର୍ଷର ତଥ୍ୟ ଆମର କହିବା ଏବଂ କରିବାରେ ପାର୍ଥକ୍ୟ ଦର୍ଶାଉଛି । ବିଗତ ୨୧ବର୍ଷ କାହିଁକି, ଏହାର ପୂର୍ବ ସମୟରୁ ଅନୁଧ୍ୟାନ କଲେବି ଜାଣିପରିବା ଯେ ନାରୀଙ୍କ ଉପରେ କ୍ରମାଗତ ଅପରାଧ ବଢ଼ିଚାଲିଛି । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ରିପୋର୍ଟ ଗୁଡ଼ିକୁ ଅନୁଧ୍ୟାନ କଲେ ଜାଣିପାରିବ ଯେ, ଓଡ଼ିଶା ଗୋଟିଏ ନାରୀ ଅପରାଧ ପ୍ରବଣ ରାଜ୍ୟ ଏବଂ ନାରୀ ଅପରାଧରେ ଓଡ଼ିଶା ପ୍ରଥମ ପାଞ୍ଚ ରାଜ୍ୟ ମଧ୍ୟରେ ରହିଆସିଛି । ସଦ୍ୟ ୨୦୨୩ ରିପୋର୍ଟ ଆଧାରରେ ଓଡ଼ିଶାର ନାରୀ ଅପରାଧ ହାର(୧୧୨.୪) ଭାରତରେ ତୃତୀୟ ସ୍ଥାନରେ ଅଛି । ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ଓଡିଶା ଏହି ଚାରିଟି ରାଜ୍ୟ ନାରୀ ଅପରାଧରେ ପ୍ରାୟ ଆଗରେ ରହିଆସିଥିବା ବେଳେ ୨୦୨୩ ରିପୋର୍ଟ ଆଧାରରେ ଦେଖାଯାଏ ତେଲେଙ୍ଗାନା ନାରୀ ଅପରାଧ ହାରରେ (୧୨୪.୯) ଭାରତୀୟ ରାଜ୍ୟମାନଙ୍କ ମଧ୍ୟରେ ସର୍ବାଗ୍ରେ । ରାଜସ୍ଥାନ ଦ୍ୱିତୀୟ (୧୧୪.୮), ଓଡ଼ିଶା (୧୧୨.୪) ତୃତୀୟ ଏବଂ ହରିଆଣା (୧୧୦.୩) ଚତୁର୍ଥ ସ୍ଥାନରେ ଅଛି । ଅନ୍ୟସବୁ ରାଜ୍ୟର ଅପରାଧ ହାର ୧୦୦ ତଳେ । ନାରୀ ଅପରାଧରେ ମଧ୍ୟପ୍ରଦେଶ ପୂର୍ବ ସମୟରୁ ଆଗଧାଡ଼ିରେ ରହିଆସିଥିବା ବେଳେ ଏହି ରାଜ୍ୟ ଅପରାଧ ରୋକିବାରେ କ୍ରମାଗତ ଭାବରେ ବିଶେଷ ସଫଳତା ହାସଲ କରି ୨୦୨୩ରେ ନାରୀ ଅପରାଧ ହାରକୁ (୭୬.୮) ବହୁତ ତଳକୁ ଖସାଇ ପାରିବାରେ ସକ୍ଷମ ହୋଇଛି ।
ଦଳିତଙ୍କ ଉପରେ ବିଗତ ୨୧ବର୍ଷର ଉପଲବ୍ଧ ତଥ୍ୟକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ, ଭାରତରେ ସେମାନଙ୍କ ଉପରେ ହେଉଥିବା ଅପରାଧ ବୃଦ୍ଧିର ଧାରା ଅବ୍ୟାହତ ଅଛି । ସର୍ବଭାରତୀୟ ସ୍ତରରେ ୨୦୨୧ ବର୍ଷରେ ଏହି ଅପରାଧ ହାର ବୃଦ୍ଧିହୋଇ ୨୫.୩ରେ ପହଞ୍ଚି ୨୧ବର୍ଷର ସର୍ବକାଳୀନ ରେକର୍ଡ ଭାଙ୍ଗିଥିଲା । ୨୦୨୨ ବର୍ଷରେ ଏହି ହାର ୨୮.୬କୁ ବଢ଼ିଲା । ସଦ୍ୟ ରିପୋର୍ଟ ଆଧାରରେ ଜଣାପଡ଼େ ଯେ, ୨୦୨୩ରେ ଦଳିତଙ୍କ ଉପରେ ଅପରାଧ ହାର ବଢ଼ିଚାଲିଛ ଏବଂ ଏହା ଏକ ନୂଆ ଶିଖର (୨୮.୭) ସୃଷ୍ଟି କରିଛି । ୨୦୨୧ ମସିହାରେ ସର୍ବଭାରତୀୟ ହାର ୨୫.୩ ଥିବାବେଳେ ଓଡ଼ିଶାର ହାର ୩୨.୪ ଥିଲା । ଓଡ଼ିଶାରେ ୨୦୧୨ ବର୍ଷଠାରୁ ଦଳିତଙ୍କ ବିରୁଦ୍ଧରେ ଅପରାଧ/ଅତ୍ୟାଚାର ଆଧାରିତ ରୁଜୁ ହୋଇଥିବା ମାମଲାର ହାର ବୃଦ୍ଧିହୋଇ ଏହି ହାର ୩୦ ଟପିଥିଲା । ୨୦୧୬ ଠାରୁ ୨୦୨୦ ପାଞ୍ଚବର୍ଷ ଏହି ହାର ୩୦ ତଳକୁ ଖସି ୨୦୨୧ରେ ପୁଣି ୩୦ ଅତିକ୍ରମ କଲା ।
ଅନୁସୂଚିତ ଜନଜାତିମାନଙ୍କ ବିରୁଦ୍ଧରେ ରୁଜୁ ମାମଲାର ଉପଲବ୍ଧ ତଥ୍ୟ ଉପରେ ନଜର ପକାଇଲେ ଜଣାପଡ଼େ ଯେ, ୨୦୧୧ ମସିହା ପର୍ଯ୍ୟନ୍ତ ତାଙ୍କ ଉପରେ ଅପରାଧ/ଅତ୍ୟାଚାର ହାର ସ୍ଥିର (୦.୫) ଏବଂ କମ୍ ଥିଲା । ୨୦୧୨ ମସିହାଠାରୁ ସମୁଦାୟ ଜନସଂଖ୍ୟା ପରିବର୍ତ୍ତେ ଅନୁସୂଚିତ ଜନଜାତି ଜନସଂଖ୍ୟାକୁ ବିଚାର କରି ଏହାର ହାର ଗଣନା କରିବାର ପଦ୍ଧତି ପରିବର୍ତ୍ତନ କରାଯାଇଥିଲା । ୨୦୧୨ ମସିହାରୁ ଅନୁସୂଚିତ ଜନଜାତିମାନଙ୍କ ବିରୁଦ୍ଧରେ ଅପରାଧ/ଅତ୍ୟାଚାର ଜନିତ ରୁଜୁ ମାମଲାର ହାର ସ୍ଥିର କିମ୍ବା ନିମ୍ନଗାମୀ ହେବା ବଦଳରେ ଊଦ୍ଧ୍ୱର୍ଗାମୀ ହେବା ଆରମ୍ଭ କରି ୨୦୨୧ ମସିହାରେ ଏହି ହାର ୮.୪ରେ ପହଞ୍ଚି ଶୀର୍ଷସ୍ଥାନ ଅଧିକାର କରିଥିଲା । ୨୦୨୨ରେ ଏହି ହାର ପୁନଶ୍ଚ ୯.୬କୁ ବୃଦ୍ଧିପାଇଲା । ସଦ୍ୟ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ରିପୋର୍ଟ ଅନୁଯାୟୀ, ୨୦୨୩ରେ ଏହି ହାର ସର୍ବକାଳୀନ ଅଧିକ ୧୨.୪କୁ ଛୁଇଁ ପୂର୍ବ ରେକର୍ଡ ଭଙ୍ଗ କରିଛି ।
ରାଜ୍ୟରେ ଏମାନଙ୍କ ବିରୁଦ୍ଧରେ ଅପରାଧ ଅବା ଅତ୍ୟାଚାର ଜନିତ ମୋଟ୍ ଅପରାଧର ଧାରା ବିଗତ ୨୧ବର୍ଷରେ କେବେ ମଧ୍ୟ ସ୍ଥିର ନଥିଲା । ଓଡ଼ିଶାର ଏହି ହାର ୨୦୧୩ ଯାଏଁ ସର୍ବଭାରତୀୟ ହାରଠାରୁ ଅଧିକ ରହିଥିଲା । ମାତ୍ର ୨୦୧୮ ମସିହାରୁ ୨୦୨୩ ମସିହା ପର୍ଯ୍ୟନ୍ତ ଏହି ହାର ସର୍ବଭାରତୀୟ ହାରଠାରୁ କମ୍ ରହିଥିଲା । ସଦ୍ୟ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ରିପୋର୍ଟ ଅନୁଯାୟୀ ୨୦୨୩ରେ ଭାରତର ଏହି ହାର ସର୍ବକାଳୀନ ବେଶି ୧୨.୪କୁ ଛୁଇଁଥିବା ବେଳେ ଓଡ଼ିଶା କ୍ଷେତ୍ରରେ ଏହା ୬.୯କୁ ଖସିଥିଲା ।
ଦେଶ ବା ରାଜ୍ୟକୁ ଉନ୍ନତ କରିବାକୁ ହେଲେ ସମାଜରେ ଅପରାଧକୁ ହ୍ରାସ କରିବା ନିତାନ୍ତ ଜରୁରି । ସରକାର ପ୍ରତିବର୍ଷ ଅପରାଧ ଜନିତ ବିସ୍ତୃତ ରିପୋର୍ଟ ପ୍ରକାଶ କରୁଛନ୍ତି । ଯେଉଁମାନେ ଅପରାଧ ନିୟନ୍ତ୍ରଣ ଦାୟିତ୍ୱରେ ଅଛନ୍ତି ସେମାନେ ଏହି ରିପୋର୍ଟ ପଢ଼ି ପ୍ରତିଟି ଅପରାଧ ଭବିଷ୍ୟତରେ କେମିତି କମ୍ କରାଯାଇପାରିବ ତାହାର ନକ୍ସା ତିଆରି କରିବା ଏବଂ ଅପରାଧର ଗତିକୁ ନିରୀକ୍ଷଣ କରିବାର ଆବଶ୍ୟକତା ଅଛି । ଏହା ବ୍ୟତୀତ ଅପରାଧ ନିୟନ୍ତ୍ରଣ କରିବା ପାଇଁ ଦୃଢ଼ ଆଇନ ପ୍ରଣୟନ, ତ୍ୱରିତ ନ୍ୟାୟ ପ୍ରଦାନ ଏବଂ ସାମାଜିକ ଦାୟିତ୍ୱର ସମନ୍ୱୟ ଆବଶ୍ୟକ । ଉନ୍ନତ ପ୍ରଶିକ୍ଷଣ, ପ୍ରଯୁକ୍ତି ବିଦ୍ୟା ଏବଂ ତୁରନ୍ତ ପ୍ରତିକ୍ରିୟା ପ୍ରଣାଳୀ ସହିତ ପୋଲିସ୍ ବ୍ୟବସ୍ଥାକୁ ଆଧୁନିକୀକରଣ କରାଯିବା ଆବଶ୍ୟକ । ଅପରାଧ ସେତେବେଳେ କମିବା ଆରମ୍ଭ ହେବ, ଯେତେବେଳେ ଯୁବପିଢ଼ି ପାଇଁ ସମୁଚିତ ଶିକ୍ଷାବ୍ୟବସ୍ଥା, ଚାକିରି ସୃଷ୍ଟି ବ୍ୟବସ୍ଥା ସହିତ ମାଦକ ଦ୍ରବ୍ୟ ସେବନ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇପାରିବ । ସମ୍ପ୍ରଦାୟର ଯୋଗଦାନ, ସଚେତନତା କାର୍ଯ୍ୟକ୍ରମ, ଅସୁରକ୍ଷିତ ଗୋଷ୍ଠୀ ପାଇଁ ସୁରକ୍ଷା ବ୍ୟବସ୍ଥା ଏବଂ ସୁଚିନ୍ତିତ ସହରୀ ସ୍ଥାନଗୁଡ଼ିକର ନିରାପତ୍ତାକୁ ଆହୁରି ମଜବୁତ କରିବାର ଆବଶ୍ୟକତା ଅଛି । ଏହି ପଦକ୍ଷେପ ଗୁଡ଼ିକୁ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରିବା ଏବଂ ଦୀର୍ଘକାଳୀନ ଅପରାଧ ନିୟନ୍ତ୍ରଣକୁ ସୁନିଶ୍ଚିତ କରିବା ପାଇଁ ଏକ ଦୁର୍ନୀତି ମୁକ୍ତ ପ୍ରଶାସନ ଏବଂ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ମଧ୍ୟ ଜରୁରି।