ନୂଆଦିଲ୍ଲୀ,୧୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଦରଲ୍ୟାଣ୍ଡର ‘ଦ ହେଗ୍‌’ରେ  ଭାରତୀୟ ସମୁଦାୟକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ଦୁନିଆକୁ ଭବିଷ୍ୟତ ନେଇ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି। ପିଏମ୍ ମୋଦି କହିଛନ୍ତି, ପୂର୍ବେ କୋଭିଡ୍ ଆସିଥିଲା, ଏହାପରେ ଯୁଦ୍ଧ ଆରମ୍ଭ ହେଲା ଓ ଏବେ ଶକ୍ତି ସଙ୍କଟ। ଏହି ଦଶନ୍ଧି ବିଶ୍ୱ ପାଇଁ ବିପର୍ଯ୍ୟୟର ଦଶନ୍ଧି ହେବାକୁ ଯାଉଛି। ଯଦି ଏହି ପରିସ୍ଥିତିକୁ ଶୀଘ୍ର ପରିବର୍ତ୍ତନ କରାନଯାଏ, ତେବେ ବିଗତ ଦଶନ୍ଧିଗୁଡ଼ିକର ସଫଳତା ନଷ୍ଟ ହୋଇଯିବ। ବିଶ୍ୱର ଏକ ବଡ଼ ଜନସଂଖ୍ୟା ପୁଣି ଦାରିଦ୍ର୍ୟତା ଭିତରକୁ ଚାଲିଯିବ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏପରି ବିଶ୍ୱ ପରିସ୍ଥିତିରେ ଆଜି ଯେତେବେଳେ ବିଶ୍ୱ ସ୍ଥିର ଯୋଗାଣ ଶୃଙ୍ଖଳ ବିଷୟରେ କଥା ହେଉଛି, ଭାରତ ଏବଂ ନେଦରଲ୍ୟାଣ୍ଡ ଏକ ନିର୍ଭରଯୋଗ୍ୟ, ସ୍ୱଚ୍ଛ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଯୋଗାଣ ଶୃଙ୍ଖଳ ନିର୍ମାଣ ପାଇଁ ଏକାଠି କାମ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଭାରତ ଆଜି ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ଭାରତର ଲୋକଙ୍କ ସ୍ୱପ୍ନ ଏବଂ ଆଶା ଏବେ ବହୁତ ଉଚ୍ଚ। ତେଣୁ ଦେଶ ମଧ୍ୟ ଦ୍ରୁତ ଗତିରେ ଆଗକୁ ବଢୁଛି। ମୋଦି କହିଛନ୍ତି ଭାରତର ଏହି ଚିନ୍ତାଧାରା ଦେଶର ଲୋକତନ୍ତ୍ରକୁ ଆହୁରି ମଜବୁତ କରିଛି।

ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀ ମୋଦି ୫ଟି ଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ୧୫ ମଇ ୨୦୨୬ରେ ନେଦରଲ୍ୟାଣ୍ଡରେ ପହଞ୍ଚିଥିଲେ। ସେ ନେଦାରଲାଣ୍ହର ପ୍ରଧାନମନ୍ତ୍ରୀ ରବ ଜେଟେନଙ୍କୁ ଭେଟିବେ। ଦୁଇ ଦେଶ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା ଏବଂ ସବୁଜ ଶକ୍ତି ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିବେ। ନେଦରଲ୍ୟାଣ୍ଡରେ ପହଞ୍ଚିବା ପରେ, ମୋଦିଙ୍କୁ ବିମାନବନ୍ଦରରେ ଏକ ସ୍ୱତନ୍ତ୍ର ସ୍ୱାଗତ କରାଯାଇଥିଲା। ବୈଦେଶିକ ମନ୍ତ୍ରୀ ଟମ୍ ବେରେଣ୍ଡସେନ୍, ରିଅର୍ ଆଡମିରାଲ୍ ଲୁଡଗର ବ୍ରୁମେଲାର ଏବଂ ନେଦରଲ୍ୟାଣ୍ଡରେ ଭାରତୀୟ ରାଷ୍ଟ୍ରଦୂତ କୁମାର ତୁହିନ୍ ତାଙ୍କୁ ସ୍ୱାଗତ କରିଥିଲେ।