କାନପୁର ୦୫/୧୦: ଆଇଆଇଟି କାନପୁରର ବଡ଼ ଉପଲବ୍ଧି । ଏହା ଏକ ଉନ୍ନତ ଉପକରଣ ପ୍ରସ୍ତୁତ କରିଛି, ଯାହା  ମାତ୍ର କିଛି ମିନିଟ୍‌ ମଧ୍ୟରେ ମୁଖ କର୍କଟ ଚିହ୍ନଟ କରିବ । କର୍କଟ କେଉଁ ଷ୍ଟେଜ୍‌ରେ ଅଛି, ତା’ର ମଧ୍ୟ  ସବିଶେଷ ତଥ୍ୟ ଦେବ । ଭାରତରେ କର୍କଟ ଚିହ୍ନଟ କ୍ଷେତ୍ରରେ ଏହା ଏକ ବଡ଼ ସଫଳତା । କର୍କଟ ଚିକିତ୍ସାରେ ଏହା ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି । ଏହା ଏକ ମାଉଥ୍‌ ଟେଷ୍ଟର୍‌ ଡିଭାଇସ୍‌ । ଏହା ପାଟି ଭିତରର ଫଟୋ ଉଠାଇବ । ତା’ପରେ ଫଟୋର  ବିଶ୍ଳେଷଣ କରି ୧ ମିନିଟ୍‌ରେ ରିପୋର୍ଟ ଦେବ । କର୍କଟର ଷ୍ଟେଜ୍‌ ବି କହିବ । ସ୍କାନ୍‌ ଜେନି କମ୍ପାନିରେ  କେମିକାଲ ଇଞ୍ଜିନିୟରିଙ୍ଗ ବିଭାଗର ପ୍ରଫେସର ଜୟନ୍ତ କୁମାର ସିଂହଙ୍କ ସହାୟତାରେ ଏହି  ଡିଭାଇସ୍‌ ପ୍ରସ୍ତୁତ ହୋଇଛି । ଆସନ୍ତା ଡିସେମ୍ବର ସୁଦ୍ଧା ଡିଭାଇସ୍‌କୁ ବଜାରକୁ ଆଣିବା ପାଇଁ ଚୂଡ଼ାନ୍ତ  ପ୍ରସ୍ତୁତି ହୋଇଛି ।

ପ୍ରଫେସର ଜୟନ୍ତ କୁମାର ଓ ତାଙ୍କ ଟିମ୍‌କୁ ଏହି ଡିଭାଇସ୍‌ ପ୍ରସ୍ତୁତି ଲାଗି ୬ ବର୍ଷ ସମୟ  ଲାଗିଲା । ଏହାକୁ ଛୋଟ ବ୍ୟାଗ୍‌ରେ ରଖି ଯେକୌଣସି ସ୍ଥାନକୁ ନିଆଯାଇ ପାରିବ । ଏହା ଟୁଥ୍‌ବ୍ରଶ୍‌ ଆକାରଯୁକ୍ତ । ଏଥିରେ ଉଚ୍ଚ ଗୁଣବତ୍ତାସମ୍ପନ୍ନ କ୍ୟାମେରା ଓ ଏଲ୍‌ଇଡି ଲାଗିଛି । ଏହାକୁ ସ୍ମାର୍ଟଫୋନ୍‌, ଟ୍ୟାବ୍‌ଲେଟ୍‌ ବା ଆଇପ୍ୟାଡ୍‌ ସହ ସଂଯୋଗ କରାଯାଇ ପାରିବ ବୋଲି ଜୟନ୍ତ କୁମାର କହିଛନ୍ତି । ମୁହଁ  ଭିତରର ଫଟୋ ଉଠାଇବା ପରେ କ୍ୟାମେରା ମୋବାଇଲକୁ ସମ୍ପୂର୍ଣ୍ଣ ରିପୋର୍ଟ ପଠାଇବ ।

ପାୱାର ବ୍ୟାକ୍‌ଅପ୍‌ ସହିତ ଏହା ଟ୍ରାକିଂ ପାଇଁ ସ୍ୱାସ୍ଥ୍ୟ ସମ୍ପର୍କିତ ଇତିହାସ ସଂଗ୍ରହ କରେ । ୯୦ ପ୍ରତିଶତ  ସଠିକତା ସହିତ ଏହା ଯାଞ୍ଚ୍‌ କରେ। ଏହାର ପ୍ରୟୋଗ ଦ୍ୱାରା କୌଣସି ଯନ୍ତ୍ରଣା ହୁଏ ନାହିଁ । ଏହାର ଯାଞ୍ଚ୍‌ ଲାଗି ପ୍ରତିଷ୍ଠାନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ କ୍ୟାମ୍ପ୍‌ କରାଯାଇ ପ୍ରାୟ ୩୦୦୦  ଲୋକଙ୍କ ଉପରେ ପରୀକ୍ଷା ହୋଇଥିଲା । ପରୀକ୍ଷଣରୁ ୨୨ ବର୍ଷୀୟଙ୍କଠାରେ ମଧ୍ୟ କର୍କଟ ଚିହ୍ନଟ  ହୋଇଥିଲା । ଏହାର ମୂଲ୍ୟ ଦେଢ଼ରୁ ୨ ଲକ୍ଷ ଟଙ୍କା ମଧ୍ୟରେ ରହିବ । ଏଥିରେ ଉପଯୋଗ  ହୋଇଥିବା ଗ୍ୟାଜେଟ୍‌ ଅନ୍ୟ ଦେଶରୁ କିଣିବାକୁ ପଡୁଛି । ସେଥିପାଇଁ ମୂଲ୍ୟ ଟିକିଏ ଅଧିକ ବୋଲି  ଜୟନ୍ତ କୁମାର କହିଛନ୍ତି । ଗୋଟିଏ ଡିଭାଇସ୍‌ରେ ୫ ଲକ୍ଷ ରୋଗୀଙ୍କ ଯାଞ୍ଚ୍‌ କରାଯାଇ ପାରିବ ।  ଗୋଟିଏ ଦିନରେ ପ୍ରାୟ ୩୦୦ ରୋଗୀଙ୍କ ଯାଞ୍ଚ୍‌ କରାଯାଇ ପାରିବ ବୋଲି ସେ କହିଛନ୍ତି।