ପୁରୀ,୨୪/୦୨: ଆଧ୍ୟାତ୍ମିକ ସହର ଶ୍ରୀକ୍ଷେତ୍ରକୁ  ଧୀରେ ଧୀରେ କଳୁଷିତ କରୁଛି କିଛି ଅନୈତିକ  କାରବାର । ଗତ କିଛି ବର୍ଷ ହେବ ଏହି ଅନୈତିକ କାରବାର ତାହାର ଚେର  ବିସ୍ତାର କରିବାରେ ଲାଗିଛି । ଏହାକୁ ନେଇ  ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକଟ କରିଥିଲେ  ସୁଦ୍ଧା ପୁଲିସ ରୋକିବାରେ ବିଫଳ ହେଉଛି । ଏସ୍‌କର୍ଟ ସର୍ଭିସ ନାମରେ କାୟା ବିସ୍ତାର  କରି ଚାଲିଛି ଏହି ଅନୈତିକ କାରବାର ।  ଅନ୍‌ଲାଇନ୍‌ରେ ଚାଲୁଛି ଏହି ଏସ୍‌କର୍ଟ  ସର୍ଭିସ । ନିର୍ଦ୍ଦିଷ୍ଟ କିଛି ଲୋକଙ୍କୁ ଜଣା ଏହି  ଏସ୍‌କର୍ଟ ସର୍ଭିସ୍‌ ବାବାଦରେ । ଏହି ନାଁ  କାହାରି ମନକୁ ସନ୍ଦେହ ଆସିବ ନାହିଁ । ଏହି  ନାଁ ଆଳରେ ଚାଲିଛି ଦେହ ବେପାର । ଏଭଳି  ର‌୍ୟାକେଟ୍‌ ଚଳାଉଛନ୍ତି ସ୍ୱତନ୍ତ୍ର କିଛି ଦଲାଲ୍‌ । ବଡ଼ ବଡ଼ ସହରରେ ବହୁ ଆଗରୁ ଏହି ଏସ୍‌କର୍ଟ ସର୍ଭିସ ଚାଲିଛି । ଗତ କିଛି ମାସ ହେବ ଏହି ସର୍ଭିସ ଏବେ ପୁରୀକୁ କବଳିତ  କରିଗଲାଣି । ପୁରୀ ତୀର୍ଥସ୍ଥଳ ହୋଇଥିବାରୁ ଏଠାରେ ଛୋଟ ବଡ଼ ହୋଇ ୭୦୦ରୁ ଉଦ୍ଧ୍ୱର୍ ହୋଟେଲ  ବ୍ୟତୀତ ଶତାଧିକ ଲଜ୍‌ ଓ ଗେଷ୍ଟହାଉସ ରହିଛି ।    

ୱେବ୍‌ସାଇଟ୍‌ରେ ଏହି ନାମରେ ଖୋଜିଲେ ପୁଳା ପୁଳା ସାଇଟ୍‌ ରହିଛି । ଏଭଳି କି ଓଡ଼ିଆରେ ମଧ୍ୟ  ଅନେକ ରୂପଜୀବୀଙ୍କ ସହିତ ସେମାନଙ୍କର ସମ୍ପୂର୍ଣ୍ଣ  ଯୋଗାଯୋଗ ତଥ୍ୟ ଉପଲବ୍ଧ ହେଉଛି । କିଛି  ରୂପଜୀବୀଙ୍କୁ ଦଲାଲ୍‌ଙ୍କ ମାଧ୍ୟମରେ ଯୋଗାଯୋଗ  କରିବାକୁ ବି ହୋଇାଏ । ଗ୍ରାହକମାନେ ଫଟୋ ଦେଖି  ନିଜ ପସନ୍ଦର ରୂପଜୀବୀ ବାଛିଥାନ୍ତି । ସବୁକିଛି  କିଛି ଅନ୍‌ଲାଇନ୍‌ ମାଧ୍ୟମରେ ହୋଇଥାଏ । ଅନେକ  ରୂପଜୀବୀ ଦଲାଲ୍‌ଙ୍କ ମାଧ୍ୟମରେ ଯୋଗାଯୋଗ କରି  କ୍ୟୁଆର୍‌ କୋର୍ଡ ପଠାଇ ଟଙ୍କା ନେଇଥାନ୍ତି । ଏହି  କାରବାର ସରିବା ପରେ କାର୍‌ ଯୋଗେ ଗ୍ରାହକଙ୍କୁ ନେଇ  ରୂପଜୀବୀଙ୍କ ପାଖରେ ପହଞ୍ଚାଇ ଦେଉଛନ୍ତି ଦଲାଲ୍‌ ।  ନଚେତ୍‌ ଗ୍ରାହକ ରହୁଥିବା ହୋଟେଲ୍‌ରେ ମଧ୍ୟ  ରୂପଜୀବୀଙ୍କୁ ନେଇ ପହଞ୍ଚାଇ ଦେଇଥାନ୍ତି ଦଲାଲ ।  କେତେକ ହୋଟେଲ୍‌ରେ  ଜମୁଛି ଏହି ଅନୈତିକ କାରବାର ।  ହୋଟେଲ୍‌ରେ ଅନେକ ସମୟରେ ଗ୍ରାହକ  ମଧ୍ୟ ଠକାମିର ଶିକାର ହୋଇଥାନ୍ତି ।  ପସନ୍ଦ କରିଥିବା ରୂପଜୀବୀ ବଦଳରେ  ଅନ୍ୟ ଜଣଙ୍କୁ ନେଇ ଦଲାଲ୍‌ ପହଞ୍ଚୁଛନ୍ତି । ଠକାମିରେ ପଡ଼ିଲେ ବି ଗ୍ରାହକ ମୁହଁ  ଖୋଲନ୍ତି ନାହିଁ । ଅନେକ ସମୟରେ ମଧ୍ୟ  ଗ୍ରାହକ ଲୁଟ୍‌ର ଶିକାର ହେଉଛନ୍ତି । ରୂପଜୀବୀ  ମାଧ୍ୟମରେ ଦଲାଲ୍‌ମାନେ ଗ୍ରାହକଙ୍କଠାରୁ  ଲୁଟ୍‌ପାଟ୍‌ କରୁଥିବା ଖବର ମିଳିଛି । କିଛି  ଗ୍ରାହକ ମଧ୍ୟ କ୍ୟୁଆର୍‌ କୋର୍ଡରେ ଟଙ୍କା  ଦେବା ପରେ ଏସ୍‌କର୍ଟ ସର୍ଭିସ୍‌ ପାଇବାରୁ  ବଞ୍ଚିତ ହେଉଥିବା ନଜରକୁ ଆସିଛି । ଗତ  ବୁଧବାର ବଳିଆପଣ୍ଡା ଅଞ୍ଚଳର ଏକ  ହୋଟେଲ୍‌ରେ ଥିବା ତାଳଚେରର ଜଣେ ଯୁବକ ଏହି ଏସ୍‌କର୍ଟ ସର୍ଭିସରେ ଟଙ୍କା  ପସନ୍ଦ କରି ଅଗ୍ରିମ ଟଙ୍କା ପଠାଇଥିଲେ । କିନ୍ତୁ  ପରେ ତାଙ୍କୁ କୌଣସି ସୁବିଧା ମିଳିନଥିଲା । ପରେ ଯୋଗାଯୋଗ କରି ଶେଷରେ ନିରାଶ ହୋଇଥିଲେ ।  ରାଜ୍ୟ ବାହାରରୁ ଆସୁଥିବା ଅନେକ ପର୍ଯ୍ୟଟକ  ଏହି ଅନୈତିକ କାରବାର ଜାଲରେ ଛନ୍ଦି  ହୋଇ ଠକାମି ପଡୁଥିବା ନଜରକୁ ଆସିଛି ।

ଅଫ୍‌ଲାଇନ୍‌ ବେପାର ବି ଅଣାୟତ୍ତ

ପୁରୀକୁ ଆସୁଥିବା ଅନେକ ପର୍ଯ୍ୟଟକ ନିଶା ଓ ଅନୈତିକ କାର୍ଯ୍ୟ କରିବାକୁ ପସନ୍ଦ  କରୁଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି । ଧାର୍ମିକ ସହର ଏବେ ଅଧିକ ପର୍ଯ୍ୟଟନ  ସହର ହୋଇପଡ଼ିଛି । ଜନବହୁଳ ରହୁଥିବାରୁ ଏଠାରେ କାହା ଉପରେ ନଜର ରଖିବା  ମୁସ୍‌କିଲ୍‌ । ନିଶାଦ୍ରବ୍ୟ ସହଜରେ ଉପଲବ୍ଧ ହେଉଥିବା ସହ ଏସ୍‌କର୍ଟ ସର୍ଭିସ କାୟା  ବିସ୍ତାର କରିଥିବାରୁ ପର୍ଯ୍ୟଟକମାନେ ଏଠାକୁ ଆସୁଥିବା କହିଛନ୍ତି ସାମାଜିକ କର୍ମୀ ତଥା  କଂଗ୍ରେସ ନେତା ସ୍ୱାଧୀନ ପଣ୍ଡା । ପୁରୀରେ ବିନା କାଗଜପତ୍ର ତଥା ବିନା ଅନୁମତିରେ  ଛତୁ ଫୁଟିଲା ଭଳି ହୋଟେଲ୍‌ ଓ ଲଜ୍‌ ରହିଛି । ଯେଉଁଠାରେ ଏସବୁକୁ ବେଶୀ  ପ୍ରେତ୍ସାହନ ଦିଆଯାଉଛି । ଏସବୁ କାର୍ଯ୍ୟରେ ଗ୍ରାହକଙ୍କଠାରୁ ଶୋଷଣ କରିବା ସହଜ  ବୋଲି କିଛି ମାଲିକ କିମ୍ବା ଲିଜ୍‌ ଧାରୀ ଏହି ବେଆଇନ୍‌ ଧନ୍ଦାକୁ ଆପଣାଇଛନ୍ତି ।  ଏକ ପ୍ରକାର ର‌୍ୟାକେଟ୍‌ ଏଥିପାଇଁ କାର୍ଯ୍ୟ କରୁଛି । ଏଥିରେ ହୋଟେଲ୍‌ର କର୍ମଚାରୀ  ବି ସାଲ୍‌ ରହୁଛନ୍ତି । ସ୍ୱଳ୍ପ ସମୟର ପ୍ୟାକେଜ୍‌ ମାଧ୍ୟମରେ ଭଲ ଅର୍ଥ ରୋଜଗାର  କରୁଛନ୍ତି । ଦିନକୁ ଦିନ ଏହା ଅଣାୟତ୍ତ ହୋଇ ଚାଲିଥିବା ଶ୍ରୀ ପଣ୍ଡା କହିଛନ୍ତି ।  

ନିକଟରେ ଏକ ସେକ୍ସ ର‌୍ୟାକେଟ୍‌ରେ ନାବାଳିକାଙ୍କୁ ନିୟୋଜିତ କରାଯାଉଥିବା  ଜଣାପଡିଥିଲା । ସେହିପରି କେତେକ ହୋଟେଲ୍‌ର କର୍ମଚାରୀଙ୍କ ସହ ଦଲାଲଙ୍କୁ  ପୁଲିସ ଗିରଫ କରିଥିଲା । ପ୍ରାୟତଃ ସାମାଜିକ ଗଣମାଧ୍ୟମ ଜରିଆରେ ଏସବୁ  କାର୍ଯ୍ୟ ଚାଲୁଛି । ଯଦି କେତେବେଳେ ଚଢ଼ଉ ହେଉଛି ତେବେ ଧରାପଡ଼ୁଥିବା  ପୁଅଝିଅ ଲିଭ୍‌ ଇନ୍‌ ରିଲେସନ୍‌ରେ ଥିବା କହି ଖସୁଛନ୍ତି । ଏଭଳି କ୍ଷେତ୍ରରେ  ଦେହକାରବାରକୁ ପ୍ରମାଣିତ କରାଇବା କଷ୍ଟକର ବୋଲି ଜଣେ ପୁଲିସ ଅଧିକାରୀ  କହିଛନ୍ତି । ତଥାପି ଏଭଳି ଅନେକ ନିର୍ଦ୍ଦିଷ୍ଟ ହୋଟେଲ୍‌କୁ ଚିହ୍ନଟ କରାଯାଇଛି ।  ଖୁବ୍‌ଶୀଘ୍ର ଏହି ହୋଟେଲ୍‌ ଓ ଲଜ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି  ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଏସମ୍ପର୍କରେ ଅତିରିକ୍ତ ଏସ୍‌ପି  ସୁଶୀଲ ମିଶ୍ର କହିଛନ୍ତି, ଏକ ସ୍ୱତନ୍ତ୍ର ଆପ୍‌ ଯୋଗେ ସମସ୍ତ ହୋଟେଲ୍‌ ଓ ଲଜ୍‌ମାନଙ୍କ  ଉପରେ ନଜର ରଖାଯିବ । ଯାହା ଫଳରେ ଏହି କାରବାରକୁ ନିୟନ୍ତ୍ରଣ କରାଯାଇପାରିବ ।  ଏସ୍‌ପି ଏବେ ଏହାକୁ ଗୁରୁତର ଭାବେ ନେଇ ଦୃଷ୍ଟି ଦେଇଥିବା ସେ କହିଛନ୍ତି ।