ନୂଆଦିଲ୍ଲୀ,୨୦/୧୨: ଯଦି ଆପଣ  ବେଆଇନ ଭାବେ କିଛି କୋଠାବାଡି କିମ୍ବା ଘର  ନିର୍ମାଣ କାର୍ଯ୍ୟ କରୁଛନ୍ତି ତେବେ ସାବଧାନ । କାରଣ ଏଭଳି ବେଆଇନ ଘରକୁ ଭାଙ୍ଗି ଦିଆଯିବ । ନିକଟରେ  ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି । 

 କେବଳ ଏତିକି ନୁହେଁ, ଅକ୍ୟୁପାନ୍ସି ସାର୍ଟିଫିକେଟ  (ଓସି) ନଥିଲେ ସମ୍ପୃକ୍ତ ଘରକୁ ପାଣି, ବିଜୁଳି କିମ୍ବା  ସ୍ୱେରେଜ ସଂଯୋଗ ମଧ୍ୟ ମିଳିବ ନାହିଁ । ଏଥିସହ  ବେଆଇନ ନିର୍ମାଣ କାର୍ଯ୍ୟ ପାଇଁ ଦାୟୀ ସରକାରୀ  ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ  ମଧ୍ୟ ନିଆଯିବ । ମୀରଟରେ ଏକ ଆବାସିକ  ଅଞ୍ଚଳରେ ଚାଲିଥିବା ବେଆଇନ ନିର୍ମାଣକୁ ଭାଙ୍ଗିବା  ଲାଗି ଆହ୍ଲାବାଦ ହାଇକୋର୍ଟ ଦେଇଥିବା ଆଦେଶକୁ  ଚାଲେଞ୍ଜ କରି ଆଗତ ଏକ ରିଟ୍‌ ପିଟିସନ ଉପରେ  ଶୁଣାଣି କରି ସୁପ୍ରିମକୋର୍ଟ ଏଭଳି କଡା ଆଭିମୁଖ୍ୟ  ଗ୍ରହଣ କରିଛନ୍ତି । 

ଏଥିସହ ବେଆଇନ ନିର୍ମାଣ  ଭଙ୍ଗାଯିବା ମାମଲାରେ ରାୟ ଦେବା ବେଳେ ସର୍ବୋଚ୍ଚ  ଅଦାଲତଙ୍କ ଏହି ନିର୍ଦ୍ଦେଶ ପାଳନ କରିବାକୁ ଖଣ୍ଡପୀଠ ସବୁ ହାଇକୋର୍ଟମାନଙ୍କୁ ଏହି ରାୟର ଗୋଟିଏ ଲେଖାଏ  କପି ପଠାଯିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଆବାସିକ  କିମ୍ବା ବ୍ୟବସାୟିକ ସ୍ଥାନରେ ବେଆଇନ ଭାବେ  କୌଣସି ନିର୍ମାଣ କରାଯାଉଛି କି ନାହିଁ ମ୍ୟୁନିସିପାଲିଟି  ତାର ତଦାରଖ କରିବ । ସେପଟେ ରିୟଲ ଇଷ୍ଟେଟ ଆସୋସିଏସନ କହିଛି ରେରା (ରିୟଲ ଇଷ୍ଟେଟ  ରେଗୁଲେନ ଆକ୍ଟ) ଲାଗୁ ହେବା ପରେ ବିନା  ଆକ୍ୟୁପାନ୍ସି ସାର୍ଟିଫିକେଟରେ ଆବାସିକ ପ୍ରକଳ୍ପ ହସ୍ତାନ୍ତର  କରିବା ସମ୍ଭବ ନୁହେଁ । ପୂର୍ବରୁ ବିନା ଅକ୍ୟୁପାନ୍ସ  ସାର୍ଟିଫିକେଟରେ ଆବାସିକ ପ୍ରକଳ୍ପ ହୋଇଛି।