ବାରିପଦା, ୧୯/୦୧ : ଶିମିଳିପାଳ ପାଦଦେଶ ଜଙ୍ଗଲରେ ଚାଲିଥିଲା ଅଫିମ ଚାଷ। ବିଶେଷ ସୂତ୍ରରୁ ଖବର ପାଇବା ପରେ ଯଶୀପୁର ପୁଲିସ, ବନ ବିଭାଗ, ଅବକାରୀ ବିଭାଗ ଏବଂ ସ୍ଥାନୀୟ ରାଜସ୍ୱ ବିଭାଗ ମିଳିତ ଭାବରେ ଚଢଉ କରି ଅଫିମ ଚାରା ନଷ୍ଟ କରିଛନ୍ତି। ଏହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ ବୋଲି ଏସ୍‌ପି ବରୁଣ ଗୁଣ୍ଟୁପଲ୍ଲୀ ସୂଚନା ଦେଇଛନ୍ତି।

ଯଶିପୁର ଥାନା ଅନ୍ତର୍ଗତ ଅସ୍ତକୁଅଁର ପଞ୍ଚାୟତ ଅଧୀନ ଗୋପୀନାଥପୁର ଗ୍ରାମ ନିକଟ ଜଙ୍ଗଲରେ ଅଫିମ ଚାଷ ହୋଇଥିବା ସୂଚନା ମିଳିଥିଲା। ପୁଲିସ୍‌ ଦୁଇଟି ପୃଥକ୍‌ ମାମଲା ରୁଜୁ କରି ଚଢ଼ଉ କରିଥିଲା। ଗୋଟିଏ ସ୍ଥାନରୁ ୭୬  ହଜାର ୩୫୦ ଚାରା ଏବଂ ଆଉ ଗୋଟିଏ ସ୍ଥାନରୁ ୧୯ ହଜାର  ୫୦୦ ଚାରା ନଷ୍ଟ କରାଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ଯଶିପୁର ଥାନାରେ ଦୁଇଟି ମାମଲା ରୁଜୁ କରାଯାଇଛି। ଘଟଣାର ତଦନ୍ତ ଚାଲିଛି। ଅବୈଧ ଅଫିମ ଚାଷ ସହିତ ଜଡିତ ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ପକ୍ଷରୁ କରଞ୍ଜିଆ SDPO ସୂଚନା ଦେଇଛନ୍ତି। 

ଏହି ଖବରଟିକୁ ପଢନ୍ତୁ- ରାଜ୍ୟରେ ପଶ୍ଚିମାଝଡ଼ ପ୍ରଭାବ: କମିଲା ଶୀତ, ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ବଢ଼ିବ