ଭୁବନେଶ୍ୱର, ୧୯/୦୫ : ରାସ୍ତା ଉପରେ ବସ୍‌ ପାର୍କିଂ କର। ଯେତେ ସମୟ ରଖିଲେ ବି କେହି ହାତ ମାରିବେନି । ଏଭଳି ନିର୍ଭର ପ୍ରତିଶ୍ରୁତି ଦେଇ ଦୈନିକ ବସ ପିଛା ଶହେ ଟଙ୍କା ନେଉଛି ପିସିଆର୍‌ । ଖଣ୍ଡଗିରି-ଉଦୟଗିରି ପଛ ରାସ୍ତାରେ ବେଆଇନ୍‌ ବସ୍‌ ପାର୍କିଂ ଜନିତ ସମସ୍ୟା ପଛରେ ଏଭଳି ଏକ ସାଂଘାତିକ ଘଟଣା ପଦାକୁ ଆସିଛି । ଜଣେ ବସ୍‌ କର୍ମଚାରୀ ପୁଲିସର ଏଭଳି ବଟି ଆଦାୟ ନେଇ ମୁହଁ ଖୋଲିଛନ୍ତି । ପୁଲିସକୁ ହାତଗୁଞ୍ଜା ଦେବା ପରେ ଯାତ୍ରୀବାହୀ ବସ୍‌ କର୍ମଚାରୀଙ୍କ ରୋବାବ୍‌ ବଢ଼ିଯାଉଛି । ମନଇଚ୍ଛା ବସ୍‌ ପାର୍କିଂ କରୁଛନ୍ତି । ଅଧା ରାସ୍ତାକୁ କବ୍‌ଜା କରିନେଉଛନ୍ତି । କର୍ମଚାରୀମାନେ ରାସ୍ତା ଉପରେ ଷ୍ଟୋଭ୍‌, ଗ୍ୟାସ୍‌ ରଖି ରୋଷେଇ କରୁଛନ୍ତି । ବେଳେ ବେଳେ ଗ୍ୟାରେଜ୍‌ ପାଲଟୁଛି ରାସ୍ତା । ଘଣ୍ଟା ଘଣ୍ଟା ଧରି ବସ୍‌ ରାସ୍ତାରେ ମରାମତି କରାଯାଉଛି । ସତେ ଯେମିତି, ରାସ୍ତାଟି ଏମାନଙ୍କ ପୈତୃକ ସମ୍ପତ୍ତି । 

ଏନ୍‌ଏଚ୍‌ ନଂ-୧୬ରୁ ଖଣ୍ଡଗିରି ମୁଣ୍ଡିଆ ପଛପାର୍ଶ୍ୱ ଜୟଦେବ ବାଟିକା ଛକ ଯାଏ ଲମ୍ବିଥିବା ରାସ୍ତାରେ ଅସମ୍ଭାଳ ଭିଡ଼ ଜମୁଛି । କୋରାପୁଟ, କନ୍ଧମାଳ, ସମ୍ବଲପୁର, ରାୟଗଡ଼ା, ବ୍ରହ୍ମପୁର ଭଳି ଦୂରଗାମୀ ବସ୍‌ଗୁଡ଼ିକ ସବୁବେଳେ ଏହି ରାସ୍ତାରେ ବେଆଇନ୍‌ ପାର୍କିଂ କରୁଛନ୍ତି । କାର, ବାଇକ୍‌, ଟ୍ରକ ଯା’ଆସ ପାଇଁ ବାଟ ଅଣ୍ଟୁନି । ପଛକୁ ପଛ ଧାଡି଼ ବାନ୍ଧୁଛନ୍ତି ମୋଟର ଗାଡି଼ । ଅଧ କିମି ରାସ୍ତା ପାର୍‌ ପାଇଁ ଅଧ ଘଣ୍ଟା ଲାଗୁଛି । ପ୍ରତିଦିନ ଏମିତି ଟ୍ରାଫିକ ଫାଶରେ ପଡି଼ ଗାଡି଼ଚାଳକ ଓ ପଥଚାରୀ କଲବଲ ହେଉଛନ୍ତି । ଭୀଷଣ ମାତ୍ରାରେ ଟ୍ରାଫିକ୍‌ ଯନ୍ତ୍ରଣା ଭୋଗୁଛନ୍ତି । ଯାତ୍ରୀବାହୀ ବସ୍‌ ରଖିବାକୁ ବରମୁଣ୍ଡା ବସଷ୍ଟାଣ୍ଡରେ ନିର୍ମିତ ବିଶାଳ ପାର୍କିଂ ସ୍ଥଳ ଖାଲି ପଡୁଛି । ଦୀର୍ଘ ବର୍ଷ ଧରି ୨୪ ଘଣ୍ଟିଆ ଅଘୋଷିତ ପାର୍କିଂ ସ୍ଥଳ ପାଲଟିଛି ଏହି ଅଧ କିମିର ରାସ୍ତା । ରାସ୍ତାରୁ ବସ୍‌ ହଟାଅ ବୋଲି ଯେତେ ଚିଲ୍ଲାଇଲେ କି ଗାଡି଼ର ହର୍ଣ୍ଣ ଯେତେଥର ବଜାଇଲେ । ଜଣେ କେହି ବସ୍‌ କର୍ମଚାରୀ ଶୁଣୁନାହାନ୍ତି । 

ସେପଟେ ପିସିଆର ଭ୍ୟାନ୍‌ କର୍ମଚାରୀ ହାତଗୁଞ୍ଜା ନେଇ ହାତ ବାନ୍ଧି ବସୁଛନ୍ତି । ଏନ୍‌ଏଚ୍‌ ଉପରେ ଫାଇନ୍‌ ଆଦାୟରେ ଟ୍ରାଫିକ୍‌ ପୁଲିସ ବ୍ୟସ୍ତ ରହୁଛି । ଟ୍ରାଫିକ୍‌ ଭିଡ଼ ହଟାଇବାକୁ ପୁଲିସର ପାଦ ଥରଟିଏ ବି ଏହି ରାସ୍ତାରେ ପଡି଼ଲାନି କି ଭିଡ଼ ହଟାଇବାକୁ ମନ ବଳାଉନାହିଁ । ରାସ୍ତାରେ ଯେତେ ବସ୍‌ ସେତେ ରୋଜଗାର । ଏହି ଉଦ୍ଦେଶ୍ୟରେ ପିସିଆର୍‌ ମଝିରେ ମଝିରେ ଏହି ରାସ୍ତାରେ ପଇଁତରା ମାରେ । ପଥଚାରୀଙ୍କଠୁ ପର୍ଯ୍ୟଟକଙ୍କ ସ୍ଥିତି ଆହୁରି ସାଂଘାତିକ । ଖଣ୍ଡଗିରି-ଉଦୟଗିରି ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ବସ୍‌ ରଖିବାକୁ ଖଣ୍ଡଗିରିଉଦୟଗିରିରେ ସ୍ଥାୟୀ ପାର୍କିଂ ସ୍ଥଳ ନାହିଁ । ଏହି ଅଣଓସାରିଆ ରାସ୍ତା ଏକ ପାର୍କିଂ ସ୍ଥଳ ପାଲଟିଛି । ରାସ୍ତା ଉପରେ ମାଳ ମାଳ ଘରୋଇ ବସ୍‌ ଘଣ୍ଟା ଘଣ୍ଟା ପାର୍କିଂ କରୁଛନ୍ତି । ବିଶେଷକରି, ଅଣଓଡି଼ଆ ପର୍ଯ୍ୟଟକ କଲବଲ ହେଉଛନ୍ତି । 

ଜଣେ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ମୁତାବକ, ପର୍ଯ୍ୟଟକଙ୍କ ବସ୍‌ଗୁଡି଼କ ଏଠାରେ ପାର୍କିଂ ବାବଦକୁ ମଧ୍ୟ ବଟି ଦେଉଛନ୍ତି । ବସ ପିଛା ଶହେ ଟଙ୍କା । ହେଲେ ପୁଲିସ ସିଧାସଳଖ ଏହି ବଟି ଆଦାୟ କରୁନାହିଁ । ଜଣେ ଲୋକାଲ୍‌ ଦାଦାକୁ ଦାୟିତ୍ୱ ଧରାଇଛି । ସ୍ଥାନୀୟ ବସ୍ତିରେ ରହୁଥିବା ଲୋକାଲ ଦାଦା ଜଣକ ନିଜ ଚେଲା ଚାମଣ୍ଡାଙ୍କ ଜରିଆରେ ପ୍ରତି ବସ୍‌ ପିଛା ଶହେ ଟଙ୍କା ଆଦାୟ କରୁଛନ୍ତି । ପୁଲିସ-ଲୋକାଲ ଦାଦାର ସଲାସୁତରାରେ ବଟି ଆଦାୟ ବେଶ୍‌ ଜମୁଛି ।

ଦୁର୍ଘଟଣାକୁ ଡାକୁଛି ଅନ୍ଧାରିଆ ରାସ୍ତା

ସଞ୍ଜ ନଇଁଲେ, ଅଧକିମିର ରାସ୍ତାଟି ପୂରା ଅନ୍ଧାର ହୋଇଯାଉଛି । ରାସ୍ତାକଡ଼ରେ ଖଞ୍ଜାଯାଇଥିବା ଷ୍ଟ୍ରିଟ୍‌ ଲାଇଟ୍‌ ଆଦୌ ଜଳୁନି । ଦୁର୍ଘଟଣାର ଆଶଙ୍କା ବଢ଼ୁଛି । ରାତି ଅଧିକ ହେଲେ, ଅସାମାଜିକ କାର୍ଯ୍ୟକଳାପ ବଢ଼ିଯାଉଛି । ଶୂନଶାନ ରାସ୍ତାରେ ଯିବାକୁ ପଥଚାରୀ ଅସୁରକ୍ଷିତ ମଣୁଛନ୍ତି । ଏନ୍‌ଏଚ୍‌ରୁ ଜୟଦେବ ବାଟିକା ଛକ ରାସ୍ତାରେ ଯିବା ବେଳେ ଅକଳରେ ପଡୁଛନ୍ତି ।

ଏହି ଖବରଟିକୁ ପଢନ୍ତୁUtkal University Protest: ବାଣୀବିହାର କ୍ୟାମ୍ପସ୍‌ରେ ମଦ ପିଇ ଛାତ୍ରଙ୍କୁ ପିଟିଲେ ଅଣଛାତ୍ର, ଗିରଫ ଦାବିରେ ଫାଟକ ସମ୍ମୁଖରେ ଛାତ୍ରଙ୍କ ଧାରଣା