ନୂଆଦିଲ୍ଲୀ,୦୪/୧୦: ଉତ୍ତର  ଆରବ ସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଅଧିକ ଘନୀଭୂତ ହୋଇ  ସାମୁଦ୍ରିକ ଝଡ ‘ଶକ୍ତି’ର ରୂପ ନେଇଛି । ଭାରତୀୟ ପାଣିପାଗ ବିଭାଗ  (ଆଇଏମ୍‌ଡି) ପକ୍ଷରୁ ଏଭଳି  ପୂର୍ବାନୁମାନ କରାଯାଇଛି । ବାତ୍ୟା ଶକ୍ତି ପାଇଁ ମହାରାଷ୍ଟ୍ର ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି । ଏଥିପାଇଁ ପ୍ରଶାସନ ହାଇଆଲର୍ଟରେ ରହିଛି ।

ଆଇଏମ୍‌ଡି  କହିଛି କି, ବର୍ତ୍ତମାନ ଏହି ଗଭୀର ଅବପାତ ଦ୍ୱାରକା ଠାରୁ  ୨୪୦ କି.ମି. ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମ  ଏବଂ ପୋରବନ୍ଦର ଠାରୁ ୨୭୦ କି.ମି. ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ଥିଲା । ଘଣ୍ଟା  ପ୍ରତି ୧୨ କି.ମି. ବେଗରେ ଏହା ପଶ୍ଚିମ  ଓ ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରୁଛି । ଆଗାମୀ ୨୪ ଘଣ୍ଟାରେ ଏହା ଅଧିକ  ଘନିଭୂତ ହୋଇ ବାତ୍ୟାର ରୂପ ନେବ ।  ଗୁଜରାଟ ଓ ମହାରାଷ୍ଟ୍ର ଉପକୂଳରେ  ପ୍ରବଳ ବର୍ଷା ସହ ପବନ ବହିବ ।  ଅକ୍ଟୋବର ୪ ତାରିଖରୁ ପବନର ବେଗ  ଘଣ୍ଟା ପ୍ରତି ୬୫-୭୫ କି.ମି. ରହିବ ଏବଂ  ଅପରାହ୍ନ ୫ଟା ୩୦ ବେଳକୁ ଏହାର  ବେଗ ୧୦୦-୧୧୦ କି.ମି ହେବ । ୬  ତାରିଖ ସକାଳ ପର୍ଯ୍ୟନ୍ତ ପ୍ରବଳ ବର୍ଷା  ଓ ପବନ ଲାଗି ରହିବ । ଉଚ୍ଚ ଜୁଆର ମଧ୍ୟ ଆସିବ । ତେଣୁ ସମୁଦ୍ର ଭିତରକୁ ନ ଯିବା ଲାଗି ପାଣିପାଗ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି ।