ଭୁବନେଶ୍ବର, ୧୨।୧୧ : ୨୦୨୫ ଜାନୁୟାରୀ ୮ରେ  ଭୁବନେଶ୍ୱରରେ ହେବ ପ୍ରବାସୀ ଭାରତୀୟ ଦିବସ। ଏ  ନେଇ ବୈଦେଶିକ ମନ୍ତ୍ରଣାଳୟରେ  ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟ ଶଙ୍କର ଏବଂ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଓ୍ବେବସାଇଟ ଉନ୍ମୋଚନ କରିଛନ୍ତି । ତେବେ ଏହି ପ୍ରବାସୀ ଭାରତୀୟ ଦିବସରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ  ଯୋଗ ଦେବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ଦିଲ୍ଲୀରେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ହୋଇଥିବା ଏକ ସ୍ବତନ୍ତ୍ର ସମାରୋହରେ ଏହି ୱେବସାଇଟ  ଉନ୍ମୋଚନ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଏଠାରେ   ଉପସ୍ଥିତ ଥିଲେ। ଜାନୁଆରୀ ୮ରୁ ୧୦ ପର୍ଯ୍ୟନ୍ତ ଜନତା ମଇଦାନରେ ଅନୁଷ୍ଠିତ ହେବ ଏହି ପ୍ରବାସୀ ଭାରତୀୟ  ଦିବସ। ଏହି ଉତ୍ସବରେ ୭000 ଅତିଥି ଙ୍କୁ ଆତିଥ୍ୟ ଯୋଗାଇବ ଓଡ଼ିଶା। ୧୮ତମ ସଂସ୍କରଣରୁ ଓଡ଼ିଶାକୁ ଅନେକ ଫାଇଦା ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। 

୧୮ ତମ ପ୍ରବାସୀ ଭାରତୀୟ ଦିବସରେ ଓଡ଼ିଶାକୁ ସହଯୋଗୀ ରାଜ୍ୟ ଭାବେ ଚୟନ କରି ଏପରି ଏକ ଉତ୍ସବକୁ ଆୟୋଜନ କରିବାକୁ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି । ସୁରକ୍ଷା ଠୁ  ନେଇ ପ୍ରୋଟୋକୋଲ, ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ସମସ୍ତ ବ୍ୟବସ୍ଥା ଓଡ଼ିଶା ସୁଚାରୁରୂପେ କରିବ। ଏହି ସମାରୋହରେ ଓଡ଼ିଆର ଉଚ୍ଚ କୋଟିର କଳା ସଂସ୍କୃତି  ପ୍ରଦର୍ଶନ କରାଯିବ। ସାଂସ୍କୃତିକ କାର୍ଯ୍ୟକ୍ରମରେ  ରାଜାରାଣୀ ଏବଂ ମୁକ୍ତେଶ୍ଵର ନୃତ୍ୟତ୍ସବା ସହ ପୁଷ୍ପ ପ୍ରଦର୍ଶନୀର ଆୟୋଜନ କରାଯିବ।