ନୂଆଦିଲ୍ଲୀ – ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାରଙ୍କ ବିରୋଧରେ ୧୯୩ ସାଂସଦଙ୍କ ଦ୍ୱାରା ଆଗତ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରି ଦିଆ ଯାଇଛି। ରାଜ୍ୟସଭାର ବାଚସ୍ପତି ପ୍ରସ୍ତାବର ସବୁ ଦିଗକୁ ନିରପେକ୍ଷ ଭାବେ ମୂଲ୍ୟାଙ୍କନ କରିଥିଲେ। ବିଚାରପତି (ତଦନ୍ତ) ଆଇନର କ୍ଷମତାକୁ ପ୍ରୟୋଗ କରି ଏହାକୁ ଖାରଜ କରିଛନ୍ତି। ବର୍ତ୍ତମାନ ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟକାଳ ସୁରକ୍ଷିତ ରହିଛି।

ମାର୍ଚ୍ଚ ୧୨ ତାରିଖରେ ରାଜ୍ୟସଭାରେ ଆଗତ ହୋଇଥିବା ଏହି ପ୍ରସ୍ତାବ ଉପରେ ରାଜ୍ୟସଭାର ଅଧ୍ୟକ୍ଷ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ସମସ୍ତ ପ୍ରାସଙ୍ଗିକ ଦିଗ ଏବଂ ପ୍ରସଙ୍ଗଗୁଡ଼ିକୁ ନିରପେକ୍ଷ ଭାବରେ ମୂଲ୍ୟାଙ୍କନ କରିବା ପରେ, ଅଧ୍ୟକ୍ଷ ବିଚାରପତି (ତଦନ୍ତ) ଆଇନ, ୧୯୬୮ର ଧାରା ୩ ଅନୁଯାୟୀ ତାଙ୍କ କ୍ଷମତା ବ୍ୟବହାର କରି, ଏହାକୁ ସ୍ୱୀକାର କରିବାକୁ ମନା କରିଦେଇ ଥିଲେ।

ଏହି ନିଷ୍ପତ୍ତି ପରେ ସ୍ପଷ୍ଟ ହୋଇଛି ଯେ, ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟକାଳ ଜାରି ରହିବ ଏବଂ ତାଙ୍କ ବିରୁଦ୍ଧରେ ଆଗକୁ ଆଉ କୌଣସି ମହାଭିଯୋଗ ପ୍ରକ୍ରିୟା ଚାଲିବ ନାହିଁ। ଏହି ପଦକ୍ଷେପ ସମ୍ବିଧାନ ଓ ନିର୍ବାଚନ ପ୍ରକ୍ରିୟାର ସ୍ୱାଧୀନତାକୁ ଦୃଢ କରିବା ଦିଗରେ ଗୁରୁତ୍ତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଉଲ୍ଲେଖନୀୟ ଯେ, ବିରୋଧୀ ଦଳ ଲୋକସଭା ଓ ରାଜ୍ୟସଭାରେ ନୋଟିସ୍ ଦାଖଲ କରିଥିଲେ। ଏଥିରେ ମୁଖ୍ୟ ନିର୍ବାଚନ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ତାଙ୍କ ପଦବୀରୁ ହଟେଇବା ପ୍ରସ୍ତାବ ଦାବି କରାଯାଇଥିଲା। ବିରୋଦୀ ତାଙ୍କ ଉପରେ ପକ୍ଷପାତପୂର୍ଣ୍ଣ ଆଚରଣର ଅଭିଯୋଗ ଆଣି ଥିଲେ। ତାଙ୍କ ବିରୁଦ୍ଧରେ ସାତଟି ଗୁରୁତର ଅଭିଯୋଗ ଆଗତ କରାଯାଇଥିଲା, ଯେଉଁଥିରେ କାର୍ଯ୍ୟାଳୟରେ ପକ୍ଷପାତପୂର୍ଣ ଏବଂ ଭେଦଭାବପୂର୍ଣ୍ଣ ଆଚରଣ, ଅସଦାଚରଣ, ନିର୍ବାଚନ ଜାଲିଆତି ଏବଂ ଭୋଟଦାନ ଅଧିକାରରୁ ବଞ୍ଚିତ କରିବା ଭଳି ଅଭିଯୋଗ ଅନ୍ତର୍ଭୁକ୍ତ।