କଟକ, ୯/୧୨ : ଜଣେ ଲୋକ ପ୍ରତିନିଧି ଭାବେ ସରପଞ୍ଚଙ୍କ ଦାୟିତ୍ୱକୁ କମ୍ ଗୁରୁତ୍ୱ ଦେଇ ହେବ ନାହିଁ । ଜଣେ ସରପଞ୍ଚଙ୍କ ପାଇଁ ଯଥେଷ୍ଟ ସାହିତ୍ୟ ଜ୍ଞାନର ଆବଶ୍ୟକତା ନାହିଁ । କିନ୍ତୁ ସରପଞ୍ଚ ଭଳି ଗୁରୁତ୍ୱପୂର୍ଣ୍ଣ ପଦରେ ରହୁଥିବା ବ୍ୟକ୍ତି ନିଶ୍ଚିତ ଭାବେ ଓଡ଼ିଆ ପଢ଼ିବା ସହ ଲେଖି ଜାଣୁଥିବା ଆବଶ୍ୟକ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି । ଯଦି ଜଣେ ସରପଞ୍ଚ ଉଭୟ ଓଡ଼ିଆକୁ ପଢ଼ି ଏବଂ ଲେଖି ଜାଣିନଥିବେ ତାହେଲେ ସେ ତାଙ୍କ ଦାୟିତ୍ୱକୁ କିପରି ନିର୍ବାହ କରିବେ ବୋଲି ହାଇକୋର୍ଟ ପ୍ରଶ୍ନ କରିଛନ୍ତି । ଯଦିଓ ଓଡ଼ିଆ ପଢ଼ିବା ଜାଣିଥିବା ଯଥେଷ୍ଟ ବୋଲି କୁହାଯାଇ ପାରିବ କିନ୍ତୁ ଏଥିସହ ଲେଖିବା ମଧ୍ୟ ନିହାତି ଆବଶ୍ୟକ । ନଚେତ୍ ପଞ୍ଚାୟତ ଭଳି ଏତେବଡ଼ ଅନୁଷ୍ଠାନର ଗତି କୁଆଡ଼େ ବୋଲି ହାଇକୋର୍ଟ ଆଶଙ୍କା ବ୍ୟକ୍ତ କରିଛନ୍ତି । ତେଣୁ ଏହି ପରିପ୍ରେକ୍ଷୀରେ ସରପଞ୍ଚ ପଦରେ ବସିଥିବା ମହେଶ୍ୱର ଜେନାଙ୍କୁ ବରଖାସ୍ତ ନେଇ ନିମ୍ନ ଅଦାଲତ ଦେଇଥିବା ଆଦେଶରେ କୌଣସି ପ୍ରକାର ତ୍ରୁଟି ନାହିଁ ବୋଲି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ରାଧାକୃଷ୍ଣ ପଟ୍ଟନାୟକ ମତ ଦେବା ସହ ଆବେଦନକାରୀଙ୍କ ପିଟିସନକୁ ଖାରଜ କରି ଦେଇଛନ୍ତି ।
ମାମଲାରୁ ଜଣାଯାଇଛି, ବାଲେଶ୍ୱର ଜିଲ୍ଲା ବିଷ୍ଣୁପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବେ ମହେଶ୍ୱର ଜେନା ନିର୍ବାଚିତ ହୋଇଥିଲେ । କିନ୍ତୁ ସେ ଓଡ଼ିଆ ଭାଷା ଠିକ୍ ଭାବେ ଲେଖି, ପଢ଼ି ଜାଣିନଥିବା ଦର୍ଶାଇ ତାଙ୍କ ବିରୋଧରେ ବାଲେଶ୍ୱର ସିଭିଲ୍ ଜଜ୍ରେ ମାମଲା ରୁଜୁ ହୋଇଥିଲା । ସରପଞ୍ଚ ଶ୍ରୀ ଜେନା ଓଡ଼ିଆ ଠିକ୍ ଭାବେ ଲେଖି, ପଢ଼ି ଜାଣିନଥିବା ଦର୍ଶାଇ ଅଦାଲତ ତାଙ୍କ ପଦକୁ ରଦ୍ଦ କରି ଦେଇଥିଲେ । ଏହି ଆଦେଶ ବିରୋଧରେ ବାଲେଶ୍ୱର ଜିଲ୍ଲା ଜଜ୍କୋର୍ଟରେ ଦୁଇଟି ମାମଲା ରୁଜୁ ହୋଇଥିଲା । ଗୋଟିଏ ମାମଲା ଆବେଦନକାରୀ କରିଥିଲାବେଳେ ଅନ୍ୟ ଏକ ମାମଲା ସେହି ପଞ୍ଚାୟତର ଦ୍ୱିତୀୟ ନମ୍ବରରେ ଥିବା ପ୍ରାର୍ଥୀ କରିଥିଲେ । ଆବେଦନକାରୀଙ୍କୁ ସରପଞ୍ଚ ପାଇଁ ଅସିଦ୍ଧ ଘୋଷଣା କରାଗଲା ପରେ ଖାଲି ପଡ଼ିଥିବା ପଦରେ ତାଙ୍କୁ ସରପଞ୍ଚ ଭାବେ ଘୋଷଣା କରିବାକୁ ସେ ପ୍ରାର୍ଥନା କରିଥିଲେ । ବାଲେଶ୍ୱର ଜିଲ୍ଲା କୋର୍ଟ ମଧ୍ୟ ସିଭିଲ୍ ଜଜଙ୍କ ଆଦେଶ କାଏମ୍ ରଖିଥିଲେ । ଫଳରେ ଏହି ଆଦେଶ ବିରୋଧରେ ମହେଶ୍ୱର ଜେନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ହାଇକୋର୍ଟ ବିଭିନ୍ନ ପକ୍ଷଙ୍କୁ ଶୁଣିବା ପରେ ରାୟରେ କହିଛନ୍ତି ଯେ, ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଧାରା ୧୧(ବି)ରେ କୁହାଯାଇଛି କି ଯଦି ଜଣେ ଓଡ଼ିଆ ଠିକ୍ ଭାବେ ପଢ଼ି ଜାଣିନଥିବେ ତାହେଲେ ସେ ସରପଞ୍ଚ ପଦ ଲାଗି ଯୋଗ୍ୟ ନୁହଁନ୍ତି । ଏହାର ଅର୍ଥ ହେଉଛି ଯଦି ସମ୍ପୃକ୍ତ ବ୍ୟକ୍ତି ଉଭୟ ଓଡ଼ିଆକୁ ପଢ଼ି ଏବଂ ଲେଖି ଜାଣିନଥିବ ତାହେଲେ ସେ ସରପଞ୍ଚ ପଦରେ ରହିପାରିବେ ନାହିଁ । କେବଳ ଓଡ଼ିଆ ପଢ଼ିଦେବା ଯଥେଷ୍ଟ ନୁହେଁ । ଯେତେବେଳେ ଜଣେ ବ୍ୟକ୍ତି ସରପଞ୍ଚ ପଦ ଲାଗି ପ୍ରାର୍ଥୀ ହେଉଛନ୍ତି ସତେବେଳେ ସେ ନିଶ୍ଚିତ ଭାବେ ଓଡ଼ିଆ ଲେଖି ଜାଣିଥିବା ଦରକାର ବୋଲି ହାଇକୋର୍ଟ କହିଛନ୍ତି । ହାଇକୋର୍ଟ ଏଠି ଦୁଇଟି ଯାକ ପିଟିସନକୁ ଖାରଜ କରିବା ସହ ଉକ୍ତ ପଞ୍ଚାୟତରେ ସାନି ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ହାଇକୋର୍ଟ ଆହୁରି କହିଛନ୍ତି ଯେ, ଯଦି ପରବର୍ତ୍ତୀ ନିର୍ବାଚନ ପୂର୍ବରୁ ଆବେଦନକାରୀ ଓଡ଼ିଆ ଉଭୟ ପଢ଼ି ଏବଂ ଲେଖି ଜାଣିବା ଲାଗି ନିଜକୁ ସକ୍ଷମ କରିପାରିବେ ତାହେଲେ ସେ ପୁନର୍ବାର ନିର୍ବାଚନରେ ଲଢ଼ିବାରେ କୌଣସି ସମସ୍ୟା ନାହିଁ ।