ଭୁବନେଶ୍ୱର,୧୪/୦୪: ସନ୍ଦିଗ୍ଧ ଆତଙ୍କୀ ସେକ୍ ଇମ୍ରାନ୍ ଗିରଫ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍ଆଇଏ) ସହଯୋଗରେ କ୍ରାଇମ୍ବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ତଦନ୍ତ ଆଗେଇଛି । ଇମ୍ରାନ୍ର ସୋସିଆଲ ମିଡିଆରୁ ମିଳିଥିବା ତଥ୍ୟ ଆଧାରରେ କିଛି ସନ୍ଦିଗ୍ଧଙ୍କ ତାଲିକା ଏସ୍ଟିଏଫ୍କୁ ଏନ୍ଆଇଏ ଧରାଇଛି ।
ଦିଲ୍ଲୀ ସ୍ପେଶାଲ୍ ବ୍ରାଞ୍ଚ ଗିରଫ କରିଥିବା ଇମ୍ରାନ୍ ଏବଂ ଅନ୍ୟ ସହଯୋଗୀଙ୍କର ସବୁ ତକ ସୋସିଆଲ ମିଡିଆ ଆକାଉଣ୍ଟକୁ ବ୍ଲକ୍ କରାଯାଇଛି । ସେସବୁ ସୋସିଆଲ୍ ମିଡ଼ିଆ ଆକାଉଣ୍ଟକୁ ଏନ୍ଆଇଏ ଯାଞ୍ଚ କରୁଛି । ୧୦-୧୨ଟି ସନ୍ଦିଗ୍ଧ ଆକାଉଣ୍ଟଧାରୀ ଏନ୍ଆଇଏ ସ୍କାନରକୁ ଆସିଛନ୍ତି । ସେସବୁକୁ ତଦନ୍ତ ପରିସରଭୁକ୍ତ କରାଯାଇଛି । ଇମ୍ରାନ୍ ୨ଟି କଟ୍ଟରବାଦୀ ହ୍ୱାଟସ୍ଆପ୍ ଗ୍ରୁପ୍ର ଆଡମିନ୍ ସାଜିଥିଲା । ଏସବୁ ଗ୍ରୁପ୍ରେ ସଂଖ୍ୟା ଲଘୁ ବର୍ଗର କଟ୍ଟରବାଦୀ ମନୋଭାବ କିଛି ସଦସ୍ୟ ଥିଲେ । ସେହିପରି ଇମ୍ରାନ୍ର କିଛି ସାଙ୍ଗ ମଧ୍ୟ ଏଥିରେ ଯୋଡ଼ି ହୋଇଥିଲେ । ସେମାନଙ୍କୁ ଉକ୍ତ ଗ୍ରୁପ୍ରେ ଧର୍ମ ପରିବର୍ତ୍ତନ କରିବାକୁ ଉସ୍କା ଯାଉଥିଲା । ଏହି ଗ୍ରୁପ୍ରେ ଦେଶଦ୍ରୋହର କେତେକ ମନ୍ତ୍ର ବଣ୍ଟାଯାଉଥିଲା ।
ବଡ଼ କଥା ହେଲା, ହ୍ୱାଟସ୍ଆପ୍ ତୁଳନାରେ ଅଧିକ ଚାର୍ଟ ଟେଲିଗ୍ରାମ୍ ଗ୍ରୁପ୍ରେ କରାଯାଉଥିଲା । ଏସବୁ ଟେଲିଗ୍ରାମ୍ ଗ୍ରୁପ୍ରେ ଇମ୍ରାନ୍ ଆଡମିନ୍ ନଥିଲା । କିନ୍ତୁ ସେ ଉକ୍ତ ଗ୍ରୁପ୍ରେ ଏକ ସକ୍ରିୟ ସଦସ୍ୟ ତଥା ସାଇବର କମାଣ୍ଡୋ ସାଜିଥିଲା । ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକର ବାସିନ୍ଦା ମଧ୍ୟ ଏହି ଗ୍ରୁପ୍ ସହ ଯୋଡି଼ ହୋଇଥିଲେ । ସେହି ଗ୍ରୁପ୍ରେ ପ୍ରତିଦିନ ଧର୍ମାନ୍ତରୀକରଣ, ଦେଶଦ୍ରୋହ, କଟ୍ଟର ଚିନ୍ତାଧାରା ନେଇ ପୋଷ୍ଟ କରାଯାଉଥିଲା । ଯାହାକୁ ନିଜେ ଆଡମିନ୍ ଥିବା ଗ୍ରୁପରେ ପ୍ରଚାର ପ୍ରସାର କରିବାର ଦାୟିତ୍ୱ ନେଇଥିଲା ଇମ୍ରାନ୍। ପ୍ରତି ପୋଷ୍ଟ ପିଛା ତାକୁ କମିଶନ ମିଳୁଥିଲା ।
ଏସ୍ଟିଏଫ୍ର ୨ଟି ଟିମ୍ ସୋମବାର ଇମ୍ରାନ୍ର ପରିବାର ଲୋକ ଓ ପିଲାଦିନର ସାଙ୍ଗଙ୍କୁ ଜେରା କରିଛି । ଅତିରିକ୍ତ ଏସ୍ପି ସଞ୍ଜୀବ ଶତପଥୀଙ୍କ ନେତୃତ୍ୱରେ ଏକ ଟିମ୍ ଇମ୍ରାନ୍ର ଘନିଷ୍ଠ ସାଙ୍ଗ ଲିଚୁକୁ ମାରାଥନ୍ ଜେରା କରିଛି । ଲିଚୁର ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ଫ୍ରିଜ୍ କରାଯାଇଛି । ଉଭୟେ ଚତୁର୍ଥ ଶ୍ରେଣୀରୁ ଏକାଠି ପଢ଼ୁଥିଲେ । ଗତବର୍ଷ ଦଶହରା ବେଳେ ଲିଚୁକୁ ଦିଲ୍ଲୀ ବୁଲାଇ ନେଇଥିଲା ଇମ୍ରାନ୍ । ଉଭୟେ ଟ୍ରେନ୍ ଯୋଗେ ଦିଲ୍ଲୀ ଯାଇଥିଲେ । ସେଠାରେ ଏକ ଲଜ୍ରେ ୫-୭ ଦିନ ଧରି ରହିଥିଲେ । ବିଭିନ୍ନ ସ୍ଥାନରେ ଥିବା ମସ୍ଜିଦକୁ ମଧ୍ୟ ବୁଲିଥିଲେ । ଇମ୍ରାନ୍ ତାକୁ ନ ଜଣାଇ ବେଳେ ବେଳେ କୁଆଡ଼େ ଏକୁଟିଆ ଗାଏବ୍ ହୋଇଯାଉଥିଲା । କୁଆଡ଼େ ଯାଉଥିଲା? କାହା ସହ ମିଶୁଥିଲା? ଲିଚୁ ଏବିଷୟରେ ଏସ୍ଟିଏଫ୍ଙ୍କୁ କହି ପାରିନାହିଁ । ଦିଲ୍ଲୀରୁ ଘରକୁ ଫେରିବା ବେଳେ ଝାଡ଼ଖଣ୍ଡର ରାଞ୍ଚିରେ ଓହ୍ଲାଇଥିଲେ । ସେଠାରେ ଇମ୍ରାନ୍ ୩-୪ଜଣ ସାଙ୍ଗଙ୍କୁ ଭେଟିଥିଲା । ସେମାନଙ୍କ ସହ ସୋସିଆଲ ମିଡିଆରୁ ପରିଚିତ ହୋଇଥିଲା ବୋଲି ଲିଚୁକୁ କହିଥିଲା ।
ଅଧିକ ପଢ଼ନ୍ତୁ :- ରାଜଧାନୀରୁ ସନ୍ଦିଗ୍ଧ ଆତଙ୍କୀ ଗିରଫ ମାମଲା: ହନିଟ୍ରାପ୍ରେ ଫସି ଦେଶଦ୍ରୋହ ମଞ୍ଜି ବୁଣୁଥିଲା ଇମ୍ରାନ୍
ସେଠାରୁ ବସ୍ରେ ଭୁବନେଶ୍ୱରକୁ ଫେରିଥିଲେ । ସେ ଇମ୍ରାନ୍ର ଗାର୍ଲଫ୍ରେଣ୍ଡ ସମ୍ପର୍କରେ ବିଶେଷ କିଛି ଜାଣିନଥିବା ଏସ୍ଟିଏଫ୍ଙ୍କୁ କହିଛି । ୨ଜଣ ସାଙ୍ଗ ବଣ୍ଟି ଓ ଚନ୍ଦନ ମଧ୍ୟ ଏସ୍ଟିଏଫ୍ ସ୍କାନରରେ ଅଛନ୍ତି । ଆଗକୁ ସେମାନଙ୍କୁ ଜେରା କରାଯିବ । ଇମ୍ରାନ୍ଙ୍କ ଆତଙ୍କୀ ଲିଙ୍କ୍ରେ ଅଛିଣ୍ଡା ସୁତାକୁ ଯୋଡ଼ିବାକୁ ଚେଷ୍ଟା କରୁଛି ଏସ୍ଟିଏଫ୍ । ଆଉ ଏକ ଟିମ୍ ଆଜି ୟୁନିଟ୍-୬ସ୍ଥିତ ଘରକୁ ଯାଇ ପରିବାର ଲୋକଙ୍କୁ ଜେରା କରିଛି । ଇମ୍ରାନ୍ର ପୁରୁଣା ଇତିହାସକୁ ଉଣ୍ଡାଳିଛି । ଡେଲିଭରି ବଏ ଚାକିରି ଛାଡି଼ବା ପରେ କେତେ ଥର ଦିଲ୍ଲୀ ଯାଇଥିଲା? ଦିଲ୍ଲୀରୁ କେଉଁ କଟ୍ଟରବାଦୀଙ୍କୁ ଭେଟିଥିଲା କି? ସେନେଇ ସବିଶେଷ ତଥ୍ୟ ହାତେଇବାକୁ ଉଦ୍ୟମ ଚଳାଇଛି ଏସ୍ଟିଏଫ ।