ନୂଆଦିଲ୍ଲୀ,୨୬।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ତେହରିକ୍-ଇ-ଇନସାଫ୍ ପାର୍ଟିର  ମୁଖ୍ୟ ଇମ୍ରାନ୍ ଖାନ୍ ୨୦୨୩ ରୁ ରାଓ୍ବଲପିଣ୍ଡିର ଆଦିୟାଲା ଜେଲ୍‌ରେ ଅଛନ୍ତି। ଆଜିକାଲି ଦେଶରେ ଚର୍ଚ୍ଚା ଚାଲିଛି ଯେ, ଇମ୍ରାନଙ୍କୁ ଜେଲ୍ ଭିତରେ ହତ୍ୟା କରି ଦିଆଯାଇଛି। ପୂର୍ବରୁ ହିଁ ସେନା ଓ ସରକାର ଉପରେ ଏଭଳି ଅଭିଯୋଗ ଲାଗିଛି ଯେ, ଇମ୍ରାନ୍ ଖାନଙ୍କୁ ଜେଲ୍‌ରେ ନିର୍ଯାତନା ଦିଆଯାଉଛି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଏବଂ ଅସୀମ ମୁନିର ଷଡ଼ଯନ୍ତ୍ରର କରି ହତ୍ୟା କରିଛନ୍ତି ବୋଲି ବେଲୁଚିସ୍ତାନର ନେତା ଦାବି କରିଛନ୍ତି।ଆଦିୟାଜେଲ ବାହାରେ ଲୋକଙ୍କ ଭିଡ଼ର ଚିତ୍ର ସୋସିଆଲ ମିଡିଆରେ ଘୂରି ବୁଲୁଛି।

ମଙ୍ଗଳବାର ରାତିରେ ଇମ୍ରାନ୍ ଖାନଙ୍କ ତିନି ଭଉଣୀ ନୋରିନ୍ ଖାନ୍, ଅଲିମ୍ ଖାନ୍ ଓ ଉଜମା ଖାନ୍ ତାଙ୍କୁ ଭେଟିବାକୁ ଜେଲ୍‌ରେ ପହଁଞ୍ଚଥିଲେ। କିନ୍ତୁ ପୁଲିସ ତାଙ୍କୁ ବଳପୂର୍ବକ ସେଠାରୁ ହଟାଇବା ସହ କଷ୍ଟଡିରେ ନେଇଥିଲେ। ଅଭିଯୋଗ ରହିଛି ଯେ, ପୁଲିସ ତାଙ୍କୁ ମାରପିଟ୍ କରିଥିଲା। ଏହି ଘଟଣା ପରେ ପିଟିଆଇ ସମର୍ଥକଙ୍କ ରାଗ ଆହୁରି ବଢି ଯାଇଥିଲା। ପାର୍ଟି କାର୍ଯ୍ୟାଳୟ ଲଗାତାର ଦାବି କରୁଛନ୍ତି ଯେ, ତାଙ୍କୁ ଇମ୍ରାନ୍ ଖାନଙ୍କୁ ଭେଟିବାକୁ ଦିଆଯାଉ। ଫଳରେ ସେ ତାଙ୍କ ସ୍ଥିତି ବିଷୟରେ ଜାଣିପାରିବେ।

ପାକିସ୍ତାନ ସରକାର ଏହି ଖବରକୁ ଗୁଜବ ବୋଲି କହିଛି, କିନ୍ତୁ ଅଫଗାନ ଗଣମାଧ୍ୟମ ବୁଧବାର କହିଛି, ଇମ୍ରାନ୍ ଖାନଙ୍କୁ ଆଦିୟାଲା ଜେଲ୍‌ରେ ହତ୍ୟା କରାଯାଇଛି। ଏହି ଦାବି ପରେ ପାକିସ୍ତାନର ବହୁ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି। ଲୋକେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି, ଯଦି ଇମ୍ରାନ ବାସ୍ତବରେ ଜୀବିତ ଓ ସୁରକ୍ଷିତ ତେବେ ତାଙ୍କର ସାକ୍ଷାତ ଉପରେ କଟକଣା କାହିଁକି ଲଗାଯାଇଛି। ସୋସିଆଲ ମିଡିଆରେ ମଧ୍ୟ ଲୋକ ଶେହବାଜ ଶରିଫ୍ ସରକାର ଓ ସେନାକୁ ସମାଲୋଚନା କରିଛନ୍ତି। ଏହା ସହ ଇମ୍ରାନ ଖାନ୍‌ଙ୍କ ପ୍ରକୃତ ସ୍ଥିତି କ’ଣ ତାହା ଜାଣିବା ନେଇ ଦାବି କରିଛନ୍ତି।

ରିପୋର୍ଟ ଅନୁସାରେ, ହଜାର ହଜାର ପିଟିଆଇ ସମର୍ଥକ ଆଦିୟାଲା ଜେଲ୍ ବାହାରେ ଏକାଠି ହୋଇଛନ୍ତି। ନିଜର ନେତାଙ୍କ ସ୍ବାସ୍ଥ୍ୟ ବିଷୟରେ ଜାଣିବାକୁ ଚେଷ୍ଟା କରୁଛନ୍ତି। ସ୍ଥିତି ମୁକାବିଲା ପାଇଁ ପ୍ରଶାସନ ଜେଲ୍ ପରିସରରେ ବହୁ ମାତ୍ରାରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରିଛି। ଏହି ସମୟରେ, ଇମ୍ରାନ ଖାନଙ୍କ ଭଉଣୀମାନେ ପଞ୍ଜାବ ପୋଲିସ ଉପରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ପୁଲିସ ମୁଖ୍ୟ ଉସମାନ ଅନୱରଙ୍କୁ ଲେଖିଥିବା ଏକ ଚିଠିରେ ନୋରିନ ନିଆଜି ଅଭିଯୋଗ କରିଛନ୍ତି, ପୋଲିସ ରାସ୍ତାରେ ତାଙ୍କ କେଶ ଧରି ଟାଣି ଟାଣି ନେଇଥିଲା। ଏହି ସମୟରେ ଘଟଣାକୁ ଲୁଚାଇବା ପାଇଁ ଷ୍ଟ୍ରିଟଲାଇଟ ବନ୍ଦ କରିଦେଇଥିଲା। ରିପୋର୍ଟ ଅନୁଯାୟୀ ଇମ୍ରାନ ଖାନଙ୍କ ଭଉଣୀମାନେ ତାଙ୍କୁ ୩୦ ଅକ୍ଟୋବର ୨୦୨୪ରେ ଶେଷ ଥର ପାଇଁ ଦେଖିଥିଲେ। ଏକ ବର୍ଷରୁ ଅଧିକ ସମୟ ଧରି ତାଙ୍କୁ ଦେଖାଇ ଦିଆଯାଉନଥିବାରୁ କିଛି କ୍ଷତି କରାଯାଇଥିବା ସନ୍ଦେହ କରାଯାଉଛି।