ଭୁବନେଶ୍ଵର : ସମାନ ତାରିଖ, ସମାନ ରେଜଲ୍ଟ। ପ୍ରଥମେ କଳିଙ୍ଗ ଆଉ ଏବେ ବଙ୍ଗ। ରାଜନୀତିର ପଶାପାଲିରେ ୪ ତାରିଖ। ଏହା କ୍ୟାଲେଣ୍ଡରରେ କେବଳ ଗୋଟିଏ ଡେଟ୍ ନୁହେଁ। ବରଂ ରାଜନୀତିରେ ଏକ ବିରାଟ ବ୍ଲାକ୍ ହୋଲ୍। ଯାହା ବିଜେପି ପାଇଁ ଲକି କିନ୍ତୁ ଆଞ୍ଚଳିକ ଦଳ ପାଇଁ ଅନଲକି । ୨୦୨୪ ଜୁନ୍ ୪ରେ ଓଡ଼ିଶାରେ ନବୀନ। ୨୦୨୬ ମେ ୪ରେ ବେଙ୍ଗଲରେ ମମତା । ସମାନ ତାରିଖରେ ଭୁଶୁଡ଼ିଲା ଭାଇ-ଭଉଣୀଙ୍କ ଦୁର୍ଗ । ଏହା କେବଳ ଏକ ସଂଯୋଗ ନା ଆଉ କିଛି ? ଭାଇ-ଭଉଣୀଙ୍କ ପାଇଁ ଅଭିଶପ୍ତ ପାଲଟିଲା କି ୪ ତାରିଖ ? ସମାନ ଦିନରେ ନବୀନ-ମମତା ଯୁଗର ଘଟିଲା ଅବସାନ। କ୍ଷମତାର ଶିଖରରୁ ଶୂନକୁ ଖସିଗଲେ ଦୁଇ ପ୍ରଭାବଶାଳୀ ଶାସକ। ଦୀର୍ଘ ବର୍ଷର ବିଜୟରେ ଲାଗିଲା ବ୍ରେକ୍। ପରାଜୟର ସ୍ଵାଦ ଚାଖିଲେ ଦୁଇ ଅପରାଜେୟ ନେତା।

ଓଡ଼ିଶା-ପଶ୍ଚିମବଙ୍ଗ ଦୁଇ ପଡୋଶୀ ରାଜ୍ୟ। ଏଠି ଦୀର୍ଘ ବର୍ଷ ଯାଏଁ ଶାସନ ଗାଦିରେ ଥିଲେ ବିଜେଡି-ଟିଏମସି। ନିଜକୁ ଅପରାଜେୟ ଭାବୁଥିଲେ ଦୁଇ ଶକ୍ତିଶାଳୀ ଆଞ୍ଚଳିକ ଦଳ। ଦୀର୍ଘ ବର୍ଷର ଶାସନରେ ତୋଳିଥିଲେ ଅଭେଦ୍ୟ ଦୁର୍ଗ। ହେଲେ କିଏ ଜାଣିଥିଲା, ୪ ତାରିଖରେ ବିଜେଡି-ଟିଏମସି ଭାଗ୍ୟରେ ଲେଖା ହୋଇଛି ବଡ଼ ବିପର୍ଯ୍ୟୟ। ୨୦୨୪ ଜୁନ୍ ୪ରେ ନବୀନଙ୍କ ଦୀର୍ଘ ୨୪ ବର୍ଷର ଅପରାଜେୟ ଯାତ୍ରାରେ ଲାଗିଥିଲା ବିରାମ। ଓଡ଼ିଶାରେ ନବୀନ ଯୁଗର ଘଟିଥିଲା ଅନ୍ତ। ରାଜ୍ୟରେ ପ୍ରଥମ ଥର ଏକାକୀ ସରକାର ଗଢିଥିଲା ବିଜେପି। ଏବେ ସମାନ ତାରିଖରେ ପଶ୍ଚିମବଙ୍ଗରେ ଭୁଶୁଡ଼ିଲା ତୃଣମୂଳ କଂଗ୍ରେସ। ତାରିଖ ସମାନ, କେବଳ ମାସ ଅଲଗା। ଦୁଇ ଆଞ୍ଚଳିକ ଦଳ ପାଇଁ ପୁରା ଅଶୁଭ। ଅଣ-କଂଗ୍ରେସ ଓ ଅଣ-ବିଜେପି ମଞ୍ଚରେ ଏକାଠି ହେଉଥିବା ଦୁଇ ନେତାଙ୍କ ବଦଳି ଯାଇଛି ଭାଗ୍ୟ।

ଓଡ଼ିଶାରୁ ବିଜେପିର ପରିବର୍ତ୍ତନର ଧାରା ଏବେ ପଶ୍ଚିମବଙ୍ଗରେ ପ୍ରତିଫଳିତ। ଏବେ ଅଙ୍ଗ, ବଙ୍ଗ, କଳିଙ୍ଗ ସବୁଠି ବିଜେପିର ଦଖଲ। ଦିଦିଙ୍କ ଗଡ଼ ଭାଙ୍ଗିଦେଲା ମୋଦିଙ୍କ ସିକ୍ରେଟ୍ ଫର୍ମୁଲା। ଡାଟା ବିଶ୍ଳେଷଣ, ଡୋର୍-ଟୁ-ଡୋର୍ ରାଜନୀତି ଏବଂ ଲୋକାଲ୍ ନେଟୱାର୍କକୁ ଆୟୁଧ କରି ଜିତିଲା ବିଜେପି। ମୋଦିଙ୍କ ଉପରେ ମମତା ବର୍ଷା କଲେ ବେଙ୍ଗଲ ଜନତା। ବଙ୍ଗରେ ଫୁଟିଲା ପଦ୍ମ, ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ସ୍ବପ୍ନ ପୂରଣ । ଦୀର୍ଘ ୭୫ ବର୍ଷ ପରେ ପିତାମହଙ୍କ ପିତୃଋଣ ଶୁଝିଲା ଭାରତୀୟ ଜନତା ପାର୍ଟି । ପଶ୍ଚିମବଙ୍ଗରେ ଦିଦି ଯୁଗର ଅନ୍ତ ଘଟାଇ ସରକାର ଗଢିଲା ବିଜେପି। ବେଙ୍ଗଲ ସହ ତାମିଲନାଡୁ ଜନତା ମଧ୍ୟ ଦେଇଛନ୍ତି ସମାନ ରାୟ । ହାରିଛନ୍ତି ଏମକେ ଷ୍ଟାଲିନ୍ । ତୃତୀୟ ସ୍ଥାନକୁ ଖସି ଆସିଛି ଶାସନରେ ଥିବା ଡିଏମକେ ।  ବାଜି ମାରିଛନ୍ତି ଆକ୍ଟର୍ ଟର୍ଣ୍ଣଡ୍ ପଲିଟିସିଆନ୍ ବିଜୟ । ପୁଣି ଥରେ ପ୍ରମାଣିତ ହୋଇଛି ଯେ ଜନତା ହିଁ  ଗଣତନ୍ତ୍ରର ସର୍ବେସର୍ବା।

ଏବେ ପ୍ରଶ୍ନ ଉଠୁଛି କ’ଣ ସତରେ ୪ ତାରିଖ ଆଞ୍ଚଳିକ ଦଳ ପାଇଁ ଅଶୁଭ ? ତେବେ ଏହା ଏକ ସଂଯୋଗ ହୋଇଥିଲେ ବି କ୍ଷମତାସୀନ ଲୋକମାନଙ୍କ ପାଇଁ ଏକ ସତର୍କ ଘଣ୍ଟି। ଯେତେ ଅଭେଦ୍ୟ ଦୁର୍ଗ ଗଢିଲେ ବି ରାଜନୀତି ସର୍ବଦା ଅସ୍ଥିର। ଏହା କାହା ପାଇଁ ବିଜୟର ସେଲିବ୍ରେସନ୍ ତ ଆଉ କାହା ପାଇଁ ପରାଜୟର ଯନ୍ତ୍ରଣା। ଜନତା ଜନାର୍ଦ୍ଦନ ହେଉଛନ୍ତି ଭାଗ୍ୟ ବିଧାତା। ଯାହା ଦେଶର ଗଣତନ୍ତ୍ରକୁ ସଦାବେଳେ କରିବ ମଜବୁତ ।

ଏହି ଖବରଟିକୁ ପଢନ୍ତୁ- Bengal New CM: କିଏ ଧରିବ ବଙ୍ଗ ମଙ୍ଗ ? ଆସିଲା ବଡ଼ ଖବର, ୯ରେ ଶପଥ ଗ୍ରହଣ ଉତ୍ସବ