ନୂଆଦିଲ୍ଲୀ – ଦିବଙ୍ଗତ ପ୍ରସିଦ୍ଧ ଶିଳ୍ପପତି ରତନ ଟାଟାଙ୍କ ଇଚ୍ଛାପତ୍ରର ତଥ୍ୟ ସାମନାକୁ ଆସିଛି। ଏଥିରେ ସେ ଜର୍ମାନ ଶେଫର୍ଡ କୁକୁର ଟିଟୋ ପାଇଁ ଅନଲିମିଟେଡ୍‌ କେୟାରର ବନ୍ଦୋବସ୍ତ କରି ଦେଇ ଯାଇଛନ୍ତି। ରତନ ଟାଟା ୧୦ ହଜାର କୋଟି ଟଙ୍କାରୁ ଅଧିକ ସଂପତ୍ତି ଛାଡ଼ି ଯାଇଛନ୍ତି। ଉକ୍ତ ସଂପତ୍ତିର ଭାଗବାଣ୍ଟ ତାଙ୍କ ଭଉଣୀ ଶିରିନ ଓ ଡିଏନାଙ୍କ ବ୍ୟତୀତ ହାଉସ୍ ଷ୍ଟା୍‌ପ୍ ଓ ଅନ୍ୟ ଲୋକଙ୍କ ମଧ୍ୟରେ ହେବ। ହେଲେ ରତନ ଟାଟାଙ୍କ ଧନର ଯେତେ ଭାଗ ତାଙ୍କ କୁକୁରକୁ ମିଳିବ, ଏହାପରେ ସେ ଭାରତରେ ସବୁଠୁ ଧନୀ କୁକୁର ତାଲିକାରେ ରହିବ। ରତନ ଟାଟାଙ୍କର ଇଚ୍ଛାପତ୍ରରେ ତାଙ୍କର ସ୍ୱତନ୍ତ୍ର ବନ୍ଧୁ ଶାନ୍ତନୁଙ୍କ କଥା ମଧ୍ୟ କୁହାଯାଇଛି। 


ଟିଟୋକୁ ୫-୬ ବର୍ଷ ପୂର୍ବେ ପୋଷା ଭାବେ ଅଣାଯାଇଥିଲା। ରତନ ଟାଟାଙ୍କ ଇଚ୍ଛା ପତ୍ର ଅନୁସାରେ, ଟିଟୋର ଦେଖାଶୁଣାର ଦାୟିତ୍ୱ ତାଙ୍କର ଦୀର୍ଘ ଦିନ ଧରି ରୋଷେୟା ଥିବା ରାଜ୍ ଶା କରିବେ। ଟାଇମ୍ସ ଅଫ୍‌ ଇଣ୍ଡିଆ ଅନୁସାରେ, ଇଚ୍ଛା ପତ୍ରରେ ତିନି ଦଶକ ଯାଏ ରତନ ଟାଟାଙ୍କ ଚାକର ରହିଥିବା ସୁବୈୟା ପାଇଁ ମଧ୍ୟ ପ୍ରାବଧାନ କରିଯାଇଛନ୍ତି। ଉଲ୍ଲେଖନୀୟ ଯେ, ଟାଟା ଯେବେ ବି ବାହାରକୁ ଯାଉଥିଲେ ସେ ରଞ୍ଜନ ଓ ସୁବୈୟାଙ୍କ ପାଇଁ ଡିଜାଇନର ପୋଷାକ କିଣି ଆଣୁଥିଲେ।

ରତନ ଟାଟାଙ୍କ ଖାସ୍‌ ବନ୍ଧୁ ତଥା ଏଗଜିକ୍ୟୁଟିଭ୍‌ ଆସିଷ୍ଟାଣ୍ଟ ଶାନ୍ତନୁ ନାଇଡୁଙ୍କର କଥା ମଧ୍ୟ କୁହାଯାଇଛି। ଟାଟା ନାଇଡୁଙ୍କ ଉଦ୍ୟୋଗ ଗୁଡଫେଲୋରେ ନିଜର ଷ୍ଟକ୍‌କୁ ଛାଡ଼ି ଦେଇଛନ୍ତି । ପ୍ରସିଦ୍ଧ ଶିଳ୍ପପତିଙ୍କର ସଂପତ୍ତିରେ ଅଲିବାଗ୍‌ରେ ୨,୦୦୦ବର୍ଗ ଫୁଟ୍‌ର ସି-ଫେସ୍‌ ବଙ୍ଗଳା, ମୁମ୍ୱାଇରେ ଜୁହୁ ତାରା ରୋଡ୍‌ରେ ଦୁଇ ମହଲା ଘର, ୩୫୦ କୋଟି ଟଙ୍କାରୁ ଅଧିକର ଫିକ୍ସ ଡିପୋଜିଟ୍‌ ଓ ଟାଟା ସନ୍ସରେ ୦.୮୩ ପ୍ରତିଶତ ଷ୍ଟକ୍‌ ଓ ଟାଟା ଗ୍ରୁପ୍‌ରେ ୧୬୫ ବିଲିୟନ ଡଲାରର ସଂପତ୍ତି ସାମିଲ ଅଛି।

ପରମ୍ପରା ଅନୁସାରେ,ଟାଟ ସନ୍ସରେ ତାଙ୍କର ଷ୍ଟକ୍‌ ରତନ ଟାଟା ଏଣ୍ଡୋମେଣ୍ଟ ଫାଉଣ୍ଡେସନ (ଆରଟିଇଏଫ) କୁ ସ୍ଥାନାନ୍ତରିତ କରିଦିଆ ଯିବ, ଯାହା ଏକ ଧର୍ମାର୍ଥ ଟ୍ରଷ୍ଟ। ଟାଇମ୍ସ ଅଫ୍‌ ଇଣ୍ଡିଆର ରିପୋର୍ଟ ଅନୁସାରେ, ତାଙ୍କର ଇଚ୍ଛାପତ୍ରକୁ ବମ୍ୱେ ହାଇକୋର୍ଟଙ୍କ ଦ୍ୱାରା ପ୍ରୋବ୍‌ କରାଯିବାର ଆଶା ରହିଛି , ଏକ ପ୍ରକ୍ରିୟା ଯେଉଁଥିରେ ଅନେକ ମାସ ଲାଗିବ। ଜଣେ ପରୋପକାରୀ, ପଶୁ ପ୍ରେମୀ ଓ ଉତ୍ସାହୀ ଉଦ୍ୟୋଗୀ ଭାବେ ଜଣାଶୁଣା, ରତନ ଟାଟା ୯ ଅକ୍ଟୋବର, ୨୦୨୪ରେ ୮୬ ବର୍ଷ ବୟସରେ ଦୁନିଆକୁ ଅଲବିଦା କହି ଥିଲେ।