ନୂଆଦିଲ୍ଲୀ, ୨୦।୪: ଆମେରିକାର ଲୁଇସିଆନା ରାଜ୍ୟର ଶ୍ରେଭପୋର୍ଟ ସହରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଜଣେ ବାପା ନିଜର ରାଗ ପାଇଁ ରାକ୍ଷସ ସାଜି ନିଜର ୭ ସନ୍ତାନଙ୍କ ସମେତ ୮ ଜଣ ଶିଶୁଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରିଛି । ଏହି ଗଣହତ୍ୟା ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଛି । ମୃତ ଶିଶୁମାନଙ୍କ ବୟସ ମାତ୍ର ୧ ବର୍ଷରୁ ୧୪ ଭିତରେ । ପୁଲିସ ସୂଚନା ଅନୁଯାୟୀ, ରବିବାର ସକାଳ ପ୍ରାୟ ୬ଟା ସମୟରେ ଏହି ଭୟଙ୍କର କାଣ୍ଡ ଘଟିଥିଲା । ସେହି ସମୟରେ ସମସ୍ତ ଶିଶୁ ଗଭୀର ନିଦ୍ରାରେ ଶୋଇଥିଲେ । ହତ୍ୟାକାରୀ ବାପା ଜଣକ କେବଳ ନିଜ ପିଲାମାନଙ୍କୁ ନୁହେଁ, ବରଂ ଜଣେ ସମ୍ପର୍କୀୟ ପୁତୁରା/ଝିଆରୀଙ୍କୁ ମଧ୍ୟ ଗୁଳି କରି ମାରିଦେଇଛି । ମୃତକଙ୍କ ମଧ୍ୟରେ ୫ ଜଣ ଝିଅ ଏବଂ ୩ ଜଣ ପୁଅ ରହିଛନ୍ତି ।

ଏହା ବି ପଢ଼ନ୍ତୁ... କଣ୍ଟେନରରେ ଗଲା BMW-ମର୍ସିଡିଜ୍, ଓଡୋମିଟର ୭୦୦ କିମି ଯାତ୍ରା; ମାଲିକଙ୍କୁ ଚୂନ ଲଗାଇଲେ ଟ୍ରାନ୍ସପୋର୍ଟର

ଘଟଣାର ଭୟାବହତା ଏଥିରୁ ଅନୁମାନ କରାଯାଇପାରେ ଯେ, ଜଣେ ଶିଶୁ ନିଜ ଜୀବନ ବଞ୍ଚାଇବାକୁ ଛାତ ଉପରକୁ ଦୌଡ଼ି ଯାଇଥିଲା, କିନ୍ତୁ ସେଠାରେ ହିଁ ସେ ମୃତ୍ୟୁବରଣ କରିଥିଲା । ଅନ୍ୟ ଜଣେ ଶିଶୁ ଛାତରୁ ତଳକୁ ଡେଇଁ ପଡ଼ିବାରୁ ଜୀବନ ବଞ୍ଚିଯାଇଥିଲେ ମଧ୍ୟ ସେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

କାହିଁକି ଏତେ ବଡ଼ କାଣ୍ଡ ଘଟାଇଲା ବାପା ?

ହତ୍ୟା କରିଥିବା ଅଭିଯୁକ୍ତ ଜଣକଙ୍କ ପରିଚୟ ୩୧ ବର୍ଷୀୟ ଶମାର ଏଲକିନ୍ସ ବୋଲି ଜଣାପଡ଼ିଛି, ଯିଏ କି ଜଣେ ପୂର୍ବତନ ସେନା କର୍ମଚାରୀ ଥିଲେ । ପୁଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ଏହା ଏକ ଘରୋଇ ହିଂସାର ଚରମ ରୂପ । ଏଲକିନ୍ସରଙ୍କ ସ୍ତ୍ରୀଙ୍କ ସହ ଛାଡ଼ପତ୍ର ମାମଲା ଚାଲିଥିଲା । ଏହି କାରଣରୁ ଦୁହିଁଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିଲା । ସେହିଦିନ ସକାଳେ ରାଗ ଏତେ ବଢ଼ିଯାଇଥିଲା ଯେ ସେ ହିତାହିତ ଜ୍ଞାନ ଭୁଲିଯାଇଥିଲେ । ଏଲକିନ୍ସ ପ୍ରଥମେ ଗୋଟିଏ ଘରେ ଜଣେ ମହିଳାଙ୍କୁ ଗୁଳି କରିଥିଲେ ଏବଂ ପରେ ପାଖରେ ଥିବା ଅନ୍ୟ ଏକ ଘରକୁ ଯାଇ ଶିଶୁମାନଙ୍କ ଉପରେ ଅତର୍କିତ ଗୁଳି ଚାଳନା କରିଥିଲା । ଏହି ଗୁଳିକାଣ୍ଡରେ ତାଙ୍କ ପତ୍ନୀ ଏବଂ ଅନ୍ୟ ଜଣେ ମହିଳା ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।

​​​​​​​

ଏନକାଉଣ୍ଟରରେ ହତ୍ୟାକାରୀର ମୃତ୍ୟୁ:

ଘଟଣା ଘଟାଇବା ପରେ ଏଲକିନ୍ସ ଏକ କାର୍ ଛିନତାଇ କରି ଫେରାର ହେବାକୁ ଚେଷ୍ଟା କରୁଥିଲା । ପୋଲିସ ତାକୁ ପିଛା କରି ବୋଜିଅର ପ୍ୟାରିସ୍ ଅଞ୍ଚଳରେ ଘେରି ଯାଇଥିଲା । ପୁଲିସ ସହ ଗୁଳି ବିନିମୟରେ ଏଲକିନ୍ସର ମୃତ୍ୟୁ ଘଟିଛି । ରିପୋର୍ଟ ଅନୁଯାୟୀ, ୨୦୧୯ ମସିହାରେ ଅସ୍ତ୍ରଶସ୍ତ୍ର ମାମଲାରେ ଏଲକିନ୍ସ ଗିରଫ ହୋଇଥିଲା, କିନ୍ତୁ ତା’ ନାଁରେ ପୂର୍ବରୁ କୌଣସି ଘରୋଇ ହିଂସାର ଅଭିଯୋଗ ନଥିଲା । ପଡ଼ୋଶୀମାନେ ତାକୁ ଜଣେ ସାଧାରଣ ବ୍ୟକ୍ତି ଭାବେ ଜାଣିଥିଲେ, ଯିଏ ପ୍ରାୟତଃ ପିଲାମାନଙ୍କ ସହ ସମୟ ଅତିବାହିତ କରୁଥିଲା । ମାତ୍ର ଗୋଟିଏ ଦିନର କ୍ରୋଧ ଏଭଳି ଭୟଙ୍କର ନରସଂହାରର ରୂପ ନେବ, ତାହା କେହି କଳ୍ପନା କରିନଥିଲେ ।